କୁଲଦୀପ ରଥଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ୨୫ ନଭେମ୍ବରକୁ ଘୁଞ୍ଚିଲା
କଟକ, (ଓ୍ବାଇଏନଏସ): ଯୌନ ନିର୍ଯାତନା ଅଭିଯୋଗ ସଂପର୍କିତ ମାମଲାରେ ଆଗୁଆ ଜାମିନ ଆବେଦନ କରିଥିବା କୁଲଦୀପ ରଥଙ୍କ ଗିରଫ ହେବା ଆଶଙ୍କାକୁ ନେଇ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ମତ ରଖିଛନ୍ତି। ଅଭିଯୋଗରେ ଉଲ୍ଲେଖିତ ଅପରାଧଗୁଡ଼ିକ ପାଇଁ ସର୍ବାଧିକ ଦଣ୍ଡବିଧାନ ସାତ ବର୍ଷରୁ କମ୍ ଥିବାରୁ ଅନ୍ତରୀଣ ସମୟରେ ଗିରଫ ହୋଇ ଜେଲ୍ ଯିବାର ଆଶଙ୍କା ଯୁକ୍ତିଯୁକ୍ତ ନୁହେଁ ବୋଲି ଅଦାଲତ ମତ ଦେଇଛନ୍ତି। ତେବେ ଆଗୁଆ ଜାମିନ ଆବେଦନ ଉପରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ରାୟ ପ୍ରକାଶ ପାଇନାହିଁ। ଜଷ୍ଟିସ୍ ଭି. ନରସିଂହଙ୍କ ଖଣ୍ଡପୀଠରେ ଜି.ଆର୍. କେସ୍ ନଂ ୭୦୭/୨୦୨୬ ଏବଂ ଚୌଦ୍ୱାର ଥାନା କେସ୍ ନଂ ୭୧୩/୨୦୨୬ ସଂପର୍କିତ ଏହି ଆବେଦନର ଶୁଣାଣି ହୋଇଥିଲା। ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୭୫(୨), ୩୫୧(୨) ଏବଂ ୩(୫) ଅନୁଯାୟୀ ଏହି ମାମଲା ରୁଜୁ ହୋଇଛି।ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲାର କେସ୍ ଡାଏରୀ ଉପସ୍ଥାପନ କରିବା ପାଇଁ ଅଧିକ ସମୟ ଲୋଡ଼ାଯାଇଥିଲା। ଏହାକୁ ଗ୍ରହଣ କରି ହାଇକୋର୍ଟ ଆସନ୍ତା ନଭେମ୍ବର ୨୫ ତାରିଖକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି। ଅଦାଲତ ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟଙ୍କ Arnesh Kumar vs State of Bihar ଏବଂ Satender Kumar Antil vs Central Bureau of Investigation ମାମଲାରେ ପ୍ରଦତ୍ତ ରାୟର ଉଲ୍ଲେଖ କରିଥିଲେ। ସାତ ବର୍ଷରୁ କମ୍ ଦଣ୍ଡବିଧାନ ଥିବା ଅପରାଧରେ ଗିରଫ ସମ୍ପର୍କିତ ଆଇନଗତ ନିର୍ଦ୍ଦେଶାବଳୀକୁ ଅନୁଧ୍ୟାନ କରି ଆବେଦନକାରୀଙ୍କ ଗିରଫ ଆଶଙ୍କା ନେଇ ଉଠାଯାଇଥିବା ଯୁକ୍ତି ଅନ୍ତରୀଣ ଭାବେ ଗ୍ରହଣୀୟ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ। ସୂଚନାଯୋଗ୍ୟ, ଚୌଦ୍ୱାର ସର୍କଲ ଜେଲ୍ର ଜଣେ ପୂର୍ବତନ ମହିଳା ଜେଲର ଅକ୍ଟୋବର ୩୧ ତାରିଖରେ ଏହି ଅଭିଯୋଗ ଆଣିଥିଲେ। ତାଙ୍କ ଅଭିଯୋଗରେ ପୂର୍ବତନ ଜେଲ୍ ଡିଜି ସୁଶାନ୍ତ କୁମାର ନାଥ ଏବଂ କୁଲଦୀପ ରଥଙ୍କ ନାମ ରହିଛି। ଅଭିଯୋଗ ଅନୁସାରେ, ୨୦୨୫ ଜୁଲାଇ ମାସରେ ରଥ ତାଙ୍କୁ ଯୋଗାଯୋଗ କରିଥିଲେ ଏବଂ ପରବର୍ତ୍ତୀ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ କଟକର ଦୁଇଟି ହୋଟେଲରେ ନାଥଙ୍କ ସହ ଏକାନ୍ତରେ ସାକ୍ଷାତ କରିବାକୁ କହିଥିବା ସେ ଅଭିଯୋଗ କରିଛନ୍ତି। ମାତ୍ର ସେ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଥିବା ଦାବି କରିଛନ୍ତି। ଏଥିସହ ବିଭାଗୀୟ ସ୍ତରରେ ହଇରାଣ ହରକତ, କ୍ୟାରିୟର ନଷ୍ଟ କରିବାର ଧମକ, ପରିବାରକୁ ଧମକ ଏବଂ ଚୌଦ୍ୱାର ଜେଲ୍ରୁ ଦୁଇ ଜଣ ବିଚାରାଧୀନ କଏଦୀ ଫେରାର ହେବା ସଂପର୍କିତ ଅନ୍ୟ ଏକ ମାମଲାକୁ ନେଇ ଚାପ ପକାଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏହି ବିବାଦ ପରେ ସୁଶାନ୍ତ କୁମାର ନାଥଙ୍କୁ ଜେଲ୍ ଡିଜି ପଦରୁ ବଦଳି କରାଯାଇ ଗୃହ ବିଭାଗରେ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି (ଓଏସ୍ଡି) ଭାବେ ନିଯୁକ୍ତ କରାଯାଇଥିଲା। ଅନ୍ୟପଟେ ନାଥ ଓ ରଥ ଉଭୟେ ମାମଲାର ଅପରାଧିକ କାର୍ଯ୍ୟାନୁଷ୍ଠାନ ରଦ୍ଦ କରିବା ପାଇଁ ମଧ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ବର୍ତ୍ତମାନ କୁଲଦୀପ ରଥଙ୍କ ଆଗୁଆ ଜାମିନ ଆବେଦନ ଉପରେ ହାଇକୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତିକୁ ଅପେକ୍ଷା ରହିଛି। ନଭେମ୍ବର ୨୫ ତାରିଖର ଶୁଣାଣି ଏହି ମାମଲାର ପରବର୍ତ୍ତୀ ଦିଗ ନିର୍ଦ୍ଧାରଣ କରିବ।


