କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ରକ୍ତଦାନ ଶିବିର
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ରେଡକ୍ରସ ୟୁନିଟ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର କଲେଜ ଗାନ୍ଧୀ ଭବନ ପରିସରରେ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟ ଯୁବରେଡକ୍ରସର ପରାମର୍ଶଦାତା ତଥା ଜିଲ୍ଲା ରେଡକ୍ରସ ସମ୍ପାଦକ ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ୱେଛାକୃତ ରକ୍ତଦାନ ଶିବିରକୁ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରି କହିଲେ ରକ୍ତଦାନ ହେଉଛି ମହତଦାନ। ଜଣେ ରକ୍ତଦାନ କଲେ ଦୁଇଟି ଜୀବନ ରକ୍ଷା ହୋଇଥାଏ। ତେଣୁ ପ୍ରତ୍ୟେକ ପିଲା ସ୍ୱେଛାକୃତ ରକ୍ତଦାନ କରିବା ଉଚିତ ବୋଲି ଜିଲ୍ଲାପାଳ କହିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା କଲେଜ ପରିଚାଳନା ପରିଷଦ ସଭାପତି ନବକ୍ରିଷ୍ଣ ଜେନା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ୱେଛାକୃତ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲେଜ ଅଧ୍ୟକ୍ଷ ଶାନ୍ତନୁ କୁମାର ଜେନା,ଏନସିସି ଅଫିସର (ବାଳକ ବିଭାଗ) ଲେଫ୍ଟନାଣ୍ଟରଜନୀକାନ୍ତ ତ୍ରିପାଠୀ, ଏନସିସି ଅଫିସର(ବାଳିକା ବିଭାଗ) ଲେଫ୍ଟନାଣ୍ଟ ସୀମା ମହାନ୍ତି, ଏନଏସଏସ ପ୍ରୋଗ୍ରାମ ଅଫିସର ପ୍ରମୋଦ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଶିବିରଟି ଶ୍ରୀରାମଚନ୍ଦ୍ରଭଞ୍ଜ ଭେଷଜ ଚିକିତ୍ସାଳୟ ଓ ମେଡିକାଲ କଲେଜ ରକ୍ତଭଣ୍ଡାର କର୍ମଚାରୀଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା। ଶିବିରଟି ୟୁବରେଡକ୍ରସର ୫୦ରୁ ଉର୍ଦ୍ଧ୍ୱ ସ୍ୱେଛାସେବୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏଥିରେ ୭୩ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଓଡିଆ ପକ୍ଷ ପାଳନ ଅବସରରେ ଏହି ବିଶାଳ ସ୍ୱେଛାକୃତ ରକ୍ତଦାନ ଶିବିର ‘ରକ୍ତଦାନ ମହତଦାନ’ ବାର୍ତ୍ତା ଉପରେ ଆଲୋକପାତ କରିଥିଲା।


