ହାଡୁଗୁଡ଼ା ସେବାଶ୍ରମରେ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ
ଗୁଣପୁର, (ୱାଇ ଏନ ଏସ): ହାଡୁଗୁଡ଼ା ପ୍ରାଥମିକ ସେବାଶ୍ରମ ପରିସରରେ ମହାନ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମଜୟନ୍ତୀ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଛି। ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପଲତା ମାଣ୍ଡାଙ୍ଗିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବୁଥିଙ୍ଗ ଗ୍ରାମପଞ୍ଚାୟତର ସରପଞ୍ଚ ଦେବଦାସ ତୋଇକା ମୁଖ୍ୟ ଅତିଥି ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିରଞ୍ଜନ ଶବର ଓ ଉପସଭାପତି ସବିତା ମଣ୍ଡଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବରିଷ୍ଠ ଶିକ୍ଷକ ନରସିଂହ ସାହୁ ବିର୍ସା ମୁଣ୍ଡାଙ୍କ ଜୀବନୀ ଓ ତ୍ୟାଗ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ପ୍ରଧାନଶିକ୍ଷୟିତ୍ରୀ ଆଦିବାସୀ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ଏବଂ ସରକାରୀ ଶିକ୍ଷା ଯୋଜନାର ସଦୁପଯୋଗ ଉପରେ ଗୁରୁତ୍ୱ ଦେଇଥିଲେ। ଶିକ୍ଷକ ସ୍ୱାଧୀନ କୁମାର ସାହୁ ବିର୍ସା ମୁଣ୍ଡାଙ୍କ ତ୍ୟାଗ ଓ ବଳିଦାନର ଆଦର୍ଶକୁ ଜୀବନରେ ଅନୁସରଣ କରି ଉଚ୍ଚଶିକ୍ଷିତ ଓ ଦକ୍ଷ ନାଗରିକ ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ଏବଂ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସଚେତନତା ଷ୍ଟଲ ଖୋଲାଯାଇ ସରକାରୀ ଯୋଜନା ଓ ସେବା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଶିକ୍ଷକ ନରସିଂହ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପଲତା ମାଣ୍ଡାଙ୍ଗି ଧନ୍ୟବାଦ ଅର୍ପଣ କରିଥିଲେ।


