ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପୁସ୍ତକ ଉନ୍ମୋଚନ
ଭୁବନେଶ୍ୱର,(ଓ୍ବାଇଏନଏସ): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଶିକ୍ଷକ-ଶିକ୍ଷା ବିଭାଗର ଓଡ଼ିଆ ପ୍ରଶିକ୍ଷଣ ବିଭାଗ ତରଫରୁ ଏକ ପୁସ୍ତକ ଉନ୍ମୋନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଏହି ପୁସ୍ତକ ଉନ୍ମୋଚନ କରାଯିବା ସହ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ”ଶାସ୍ତ୍ରୀୟ ଓଡ଼ିଆ ଭାଷା ଏବଂ ଭାରତୀୟ ଭାଷା ପରମ୍ପରା“ ଉପରେ ଅନୁଷ୍ଠିତ ଆଲୋନାଚକ୍ରକୁ ରମାଦେବୀ ଶିକ୍ଷକ-ଶିକ୍ଷା ବିଭାଗର ଓଡ଼ିଆ ଭାଷା ପ୍ରଶିକ୍ଷଣ ବିଶେଷଜ୍ଞ ଡକ୍ଟର ନାରାୟଣ ବାରିକ୍ ପରିଚାଳନା କରିଥିଲେ। ଏହି ଆଲୋନାଚକ୍ରରେ ଓଡ଼ିଆ ଭାଷା ପ୍ରଶିକ୍ଷଣ ବିଭାଗର ଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରି ନିଜ ନିଜର ମତ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥିଭାବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ ଡ. ଅଶୋକ କୁମାର ଦିଗଲ୍ ଯୋଗଦାନ କରି ଡକ୍ଟର ନାରାୟଣ ବାରିକ୍ ଏବଂ ଡକ୍ଟର କୁଞ୍ଜଲତା ଦାସଙ୍କ ଲିଖିତ ”ଓଡ଼ିଆ ଶିକ୍ଷାଦାନ ପଦ୍ଧତି“ ପୁସ୍ତକକୁ ଉନ୍ମୋନ କରିଥିଲେ। ଆଇ କେୟାର ପବ୍ଲିଶର୍ସ, ଭୁବନେଶ୍ୱରର ପ୍ରୋପାଇଟର୍ ନରେଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ପ୍ରକାଶିତ ଏ ବହିର ଏକ କପି ଡ. ଦିଗଲ୍ଙ୍କୁ ଡ. ବାରିକ୍ ପ୍ରଦାନ କରିବା ପରେ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟର୍ ଶ୍ୱେତାଲିନ୍ ରାଉତ୍ଙ୍କୁ ଏକ କପି ଡଃ ଦିଗଲ ପ୍ରଦାନ କରି ଏବର୍ଷର ପିଲାମାନଙ୍କୁ ଭଲ ରେଜଲ୍ଟ ପାଇଁ ପ୍ରୋତ୍ସାହିତ କରିଥିଲେ। ବି.ଇଡି ଛାତ୍ରୀ ମିତାଲି ସାହୁ ଏବଂ ବୈଶାଖୀ ତ୍ରିପାଠୀ ଫଟୋଗ୍ରାଫି କାର୍ଯ୍ୟ ତୁଲାଇଥିଲେ। ବି.ଇଡି ଛାତ୍ରୀ ଆରତୀ ବେହେରା ଓ ଦୀପ୍ତିସ୍ନେହା କରଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।


