ଡକାୟତ ଟୁନା ହରିଜନଙ୍କ ଘରେ ଚାଲିଲା ବୁଲଡୋଜର

ନବରଙ୍ଗପୁର,(ୱାଇଏନଏସ): କୁଖ୍ୟାତ ଡକାୟତ ଟୁନା ହରିଜନଙ୍କ ଘରେ ଚାଲିଲା ବୁଲଡୋଜର । ସରକାରୀ ଜମି ଜବରଦଖଲ କରି ଘର ଓ ଷ୍ଟଲ୍ ନିର୍ମାଣ କରିଥିବା ଅଭିଯୋଗରେ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ । ନବରଙ୍ଗପୁର ସହର ନିକଟ ସାନକୁସୁମୀ ଗାଁରେ ଟୁନା ହରିଜନଙ୍କ ଘର ଓ ଷ୍ଟଲକୁ ଭଙ୍ଗିଛି ପ୍ରଶାସନ । ପୂର୍ବରୁ ନୋଟିସ୍ ଜାରି କରାଯାଇଥିବା ବେଳେ ଜବରଦଖଲ ଖାଲି ନକରିବାରୁ ଆଜି ବୁଲଡୋଜର ଲଗାଇ ଉଚ୍ଛେଦ କରାଯାଇଥିଲା । ସୂଚନା ଅନୁସାରେ, ସାନକୁସୁମୀ ଗ୍ରାମରେ ଖାତା ନମ୍ବର ୩୦୪ ଓ ପ୍ଲଟ୍ ନମ୍ବର ୨୫ରେ ମୋଟ୍ ୪୫ ସେଣ୍ଟ ସରକାରୀ ଜମି ରହିଛି । ଏହି ଜମିରୁ ୧୦ ସେଣ୍ଟ ଜବରଦଖଲ କରି ଘର ଓ ଷ୍ଟଲ୍ ନିର୍ମାଣ କରାଯାଇଥିବା ଅଭିଯୋଗ ରହିଛି । ପ୍ରଥମେ ପ୍ରଶାସନ ପକ୍ଷରୁ ୩୦ ଦିନିଆ ନୋଟିସ୍ ଦିଆଯାଇଥିଲା । ପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ଜାରି ହୋଇଥିଲା ୩ ଦିନିଆ ନୋଟିସ୍ । ଏହାପରେ ଜାଗା ଖାଲି ନକରିବାରୁ ଆଜି ବୁଲଡୋଜର ଲଗାଇ ଜବରଦଖଲ ଉଚ୍ଛେଦ କରିଥିଲା ପ୍ରଶାସନ । ଯାହାକୁ ନେଇ ଟୁନା ହରିଜନ ଙ୍କ ପରିବାର (ମାଆ, ଭଉଣୀ ଓ ସ୍ତ୍ରୀ ) ଲୋକେ ଉଚ୍ଛେଦ କାର୍ଯ୍ୟକୁ ପ୍ରବଳ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା । ସେହି ଜବରଦଖଲ ସ୍ଥାନରେ ଟୁନା ହରିଜନ ଆବାସ ଯୋଜନାରେ ଗୃହ ନିର୍ମାଣ କରିଥିବାବେଳେ ଆବାସ ଘରର ନିର୍ମାଣ ଶୈଳୀ ଭିନ୍ନ ରହିଛି। ଆବାସ ଗୃହ ନିକଟରେ ଦୁଇଟି ଦୋକାନ ଘର କାମ ମଧ୍ୟ ଜାରି ରହିଥିଲା । ଯାହାକୁ ସମ୍ପୂର୍ଣ୍ଣ ଭାବେ ପ୍ରଶାସନ ଉଚ୍ଛେଦ କରିଛି । ସେପଟେ, ଟୁନା ହରିଜନ ବର୍ତ୍ତମାନ କୋରାପୁଟ ଜେଲରେ ଥିବା ସୂଚନା ମିଳିଛି । ତାଙ୍କ ନାଁରେ ଅବିଭକ୍ତ କୋରାପୁଟ, କଳାହାଣ୍ଡି ଏବଂ ଛତିଶଗଡ଼ର ଜଗଦଲପୁର ଅଞ୍ଚଳରେ ଡକାୟତି ଓ ଚୋରିରେ ସାମିଲ ଥିବା ନେଇ ୪୦ରୁ ଅଧିକ ମାମଲା ଥିବା ପୋଲିସ କହିଛି । ନିକଟରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ପୋଲିସ ପାଟ୍ରୋଲିଂ ଗାଡ଼ି ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲା ଟୁନା । ଏହାପରେ ପୋଲିସ ତାକୁ ଧରିବା ପାଇଁ ଜାଲ ବିଛାଇଥିବାବେଳେ ଗତ କିଛିଦିନ ତଳେ ଛତିଶଗଡ଼ର ଜଗଦଲପୁରରୁ ସିନେମା ଷ୍ଟାଇଲରେ କୋରାପୁଟ ପୋଲିସ ଟୁନା କୁ ଗିରଫ କରିଥିଲା । ଏହି ଉଚ୍ଛେଦ କାର୍ଯ୍ୟ ସମୟରେ ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର , ଅତିରିକ୍ତ ଏସ୍ପି ଆଦିତ୍ୟ ସେନ, ନବରଙ୍ଗପୁର ଥାନାଧିକାରୀ ସମ୍ବିତ ବେହେରା ଏବଂ ତହସିଲଦାରଙ୍କ ସମେତ ଵିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ପୋଲିସ ପକ୍ଷରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇ ଏହି ଉଛେଦ କାର୍ଯ୍ୟ ଚାଲିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ