ରାସ୍ତା ମରାମତି ପାଇଁ ଅପେକ୍ଷାରେ ହେରବନପାଲି ଗ୍ରାମବାସୀ: ବର୍ଷେ ନ ପୁରୁଣୁ ଉଠିଗଲା ପିଚୁ

ମାଲକାନଗିରି /କାଳିମେଳା(ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଳକ ମାଟେରୁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପରସନପାଲ୍ଲୀ ଠାରୁ ହେରବନପାଲ୍ଲୀ ଦେଇ ଯାଇଥିବା ମୁଖ୍ୟ ରାସ୍ତାଟି ଏବେ ଅତି ଶୋଚନୀୟ ହୋଇପଡିଛି। ଏହି ରାସ୍ତା ଦେଇ ନିୟମିତ ଶତାଧିକ ଲୋକ ଯାତାୟାତ କରୁଥିବା ବେଳେ ପ୍ରଶାସନିକ ଅବହେଳା ଯୋଗୁଁ ଗ୍ରାମବାସୀମାନେ ଅକଥନୀୟ ନିର୍ଯାତନା ଭୋଗୁଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ପରସନପାଲ୍ଲୀ ଗାଁ ଛକ ଠାରୁ ହେରବନପାଲ୍ଲୀ ଗାଁ ପର୍ଯ୍ୟନ୍ତ କିଛି ଦିନ ତଳେ ପିଚୁରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ନିମ୍ନମାନର କାର୍ଯ୍ୟ ଯୋଗୁଁ ବର୍ଷେ ନ ପୁରୁଣୁ ସାମାନ୍ୟ ବର୍ଷା ପାଣିରେ ସବୁ ପିଚୁ ଧୋଇ ହୋଇଯାଇଛି। ବର୍ତ୍ତମାନ ରାସ୍ତାରୁ ପିଚୁ ଉଠିଯାଇ ବଡ଼ ବଡ଼ ମେଟାଲ (ପଥର) ସବୁ ବାହାରି ପଡିଛି। ରାସ୍ତା ସାରା କେବଳ ଖାଲଖମାରେ ଭର୍ତ୍ତି ହୋଇ ରହିଥିବାରୁ ଏହା ମରଣଯନ୍ତା ପାଲଟିଛି। ଏହି ଭଙ୍ଗା ରାସ୍ତା ଯୋଗୁଁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାତି ସମୟରେ ଏବଂ ଜରୁରୀକାଳୀନ ପରିସ୍ଥିତିରେ ରୋଗୀ ଓ ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଆସିବାରେ ମଧ୍ୟ ଅନେକ ସମସ୍ୟା ସୃଷ୍ଟି ହେଉଛି। ତେଣୁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଏହା ଉପରେ ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ବିପଦସଙ୍କୁଳ ରାସ୍ତାର ମରାମତି କାର୍ଯ୍ୟ କରିବାକୁ ଅଞ୍ଚଳବାସୀ ଦୃଢ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ