ଶାଳିଜଙ୍ଗା ମହିମା ଆଶ୍ରମରେ ଚତୁର୍ଦ୍ଦଶୀ ମେଳା

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଦ୍ୱିତୀୟ ଯୋରନ୍ଦା ନାମରେ ଅଭିହିତ ଶାଳିଜଙ୍ଗା ମହିମା ଆଶ୍ରମରେ ଶନିବାର ମାଘ ଚତୁର୍ଦ୍ଦଶୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ଅବସରରେ ମହିମା ଆଶ୍ରମର ଅନ୍ତେବାସୀ ହେମନ୍ତ ଦାସ ଅଖଣ୍ଡ ଝାଡ ଦୀପ ଲଗାଇଥିଲେ। ଘଂଟ ଘଂଟା, ଶଙ୍ଖ, ହୁଳହୁଳି ସମେତ ମହିମା ଅଲେଖ ଡାକରେ ଆଶ୍ରମ ପରିସର ପ୍ରକମ୍ପିତ ହୋଇ ଉଠିଥିଲା। ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ପ୍ରାତଃ ସମୟରୁ ଉକ୍ତ ପୀଠକୁ ଆସିବାର ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁମାନେ ଧୁନିରେ ପକାଇବା ପାଇଁ ଘିଅ,ନଡିଆ,କଦଳୀ ଆଦି ଆଣି ଆସିଥିଲେ। ଆଶ୍ରମ ପରିସରରେ ଥିବା ଶୂନ୍ୟ ମନ୍ଦିର ତଥା ଅନ୍ୟାନ୍ୟ ମନ୍ଦିର ଗୁଡିକ ରଙ୍ଗବେରଙ୍ଗର ଫୁଲରେ ସଜ୍ଜା ଯାଇଥିଲା। ରାତି ତମାମ ଶ୍ରଦ୍ଧାଳୁମାନେ ଏଠାରେ ଉଜାଗର ରହିଥାନ୍ତି। ଯେଉଁ ଶ୍ରଦ୍ଧାଳୁମାନେ ଏଠାକୁ ଆସନ୍ତି କେହି ଖାଲି ହାତରେ ଆସନ୍ତି ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶ୍ରଦ୍ଧାଳୁ ମାନେ ଆଣୁଥିବା ପନିପରିବା ଏଠାରେ କଟାନଯାଇ ପ୍ରସାଦ ଭାବେ ଗୋଟା ରୋଷେଇ କରାଯାଇଥାଏ। ପୂଜାର୍ଚ୍ଚନା ସରିବା ପରେ ସକାଳ ସମୟରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଏହି ପ୍ରସାଦ ସେବନ କରିଥାନ୍ତି। ମେଳାକୁ ଦୃଷ୍ଟିରେ ରଖି ମନ୍ଦିରର ଚତୁଃପାଶ୍ୱର୍ରେ ବିଭିନ୍ନ ଉଠା ଦେକାନମାନ ଖୋଲା ଯାଇଥିବା ଦେଖାଯାଇଛି। ସେହିପରି ସ୍ଥାନୀୟ ଶ୍ରୀ ମଉଳା ଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏନଏସଏସ ଓ ଜୁନିୟର ରେଡକ୍ରସ ଛାତ୍ରୀଙ୍କ ଦ୍ୱାରା ଶ୍ରଦ୍ଧାଳୁମାନଙ୍କୁ ଖାଦ୍ୟ ପରିବେଷଣ କରାଯିବା ସହିତ ଆଶ୍ରମ ପରିସରକୁ ସଫାସୁତୁରା କରାଯାଇଥିଲା। ସଂଧ୍ୟା ସମୟରେ ଶତାଧିକ ଶ୍ରଦ୍ଧାଳୁଙ୍କର ସମାଗାମ ହୋଇଥିଲା। ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ନାଉଗାଁ ଥାନାଧିକାରୀ ପ୍ରଦୀପ୍ତ କାନୁନଗୋଙ୍କ ତତ୍ୱାବଧାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଥିଲା। ଦିନ ତମାମ ମହିମା ଧର୍ମାବଲମ୍ବୀମାନଙ୍କ ଦ୍ୱାରା ନାମ ସଂକୀର୍ତନ କରାଯିବା ସହ ମହିମା ଅଲେଖ ଡାକରେ ଉକ୍ତ ଅଂଚଳ ପ୍ରକମ୍ପିତ ହୋଇ ଉଠିଥିଲା। ଅପରପକ୍ଷେ ପୂର୍ବରୁ ଆଶ୍ରମ ପରିଚାଳନା କରୁଥିବା ବାବା ଗଦାଧର ଦାସ ବିବାଦୀୟ ପରିସ୍ଥିତିରେ ବାହାରେ ରହୁଥିବା ବେଳେ ଶୁକ୍ରବାର ରାତିରେ ଆଶ୍ରମକୁ ଆସିବା ବାଟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ମୁଗେଇ ଛକ ନିକଟରେ ପୋଲିସ ତାଙ୍କୁ ଥାନା ନେଇଥିଲେ। ଥାନା ପକ୍ଷରୁ ଶନିବାର ବାବା ଦାସଙ୍କ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପୂର୍ବରୁ ବାବାଙ୍କ ନାମରେ ମାମଲା ରହିଥିବାରୁ ତାଙ୍କୁ ତହସିଲ କାର୍ଯ୍ୟାଳୟରେ ମାଜଷ୍ଟ୍ରେଟ ଅକ୍ଷୟ କୁମାର ବଡୁଙ୍କ ନିକଟରେ ହାଜିରା ହୋଇଥିଲେ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ବାବାଙ୍କୁ ଥାନାରେ ଅଟକ ରଖାଯାଇଥିବା ଥାନାଧିକାରୀ ପ୍ରଦୀପ୍ତ କାନୁନଗୋ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ଆଶ୍ରମର ମାଘ ମେଳା ପରିଚାଳନା କମିଟିର ସଦସ୍ୟମାନେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ