ବୃନ୍ଦାବନରୁ ଗିରଫ ମଧୁକାନ୍ତକୁ ୭ ଦିନିଆ ରିମାଣ୍ଡ ପାଇଁ କୋର୍ଟରେ ଚୌଦ୍ୱାର ପୁଲିସର ଆବେଦନ

କଟକ, (ଓ୍ବାଇଏନଏସ): ଚୌଦ୍ୱାର ସର୍କଲ୍ ଜେଲ୍‌ରୁ ଫେରାର୍ ହେବାର ପ୍ରାୟ ୧୩୪ ଦିନ ପରେ ପୁଣି ଗିରଫ ବିହାରର ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ କୁମାର ରାଣାକୁ ଚୌଦ୍ୱାର ଥାନା ପୁଲିସ ରିମାଣ୍ଡରେ ଆଣିବ । ୭ ଦିନ ରିମାଣ୍ଡରେ ଆଣିବାକୁ କୋର୍ଟଙ୍କ ପାଖରେ ପ୍ରାର୍ଥନା କରାଯାଇଛି । ଜେଲ୍ ବ୍ରେକ୍, ଲୁଚି ବୁଲିବା ଓ ଫେରାର୍ ଥିବା ସହଯୋଗୀ ରାଜା ବିଷୟରେ ତଦନ୍ତକାରୀ ଟିମ୍ ମଧୁକାନ୍ତକୁ ପଚରାଉଚରା କରିବ । ଅନ୍ୟପଟେ ଜେଲ୍‌ର ସୁରକ୍ଷା ବ୍ୟବସ୍ଥା କିଭଳି ଅଛି ତାହା ଜାଣିବା ପାଇଁ ପ୍ରତି ସପ୍ତାହରେ ଚୌଦ୍ୱାର ଥାନା ଅଧିକାରୀ ଓ ଜୋନ୍ ଏସିପି ଜେଲ୍ ଯିବାକୁ ସ୍ଥିର ହୋଇଛି । ଗତ ୧୩ ତାରିଖ ସନ୍ଧ୍ୟାରେ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରିବା ପରେ ଭୁବନେଶ୍ୱର ଅଣାଯାଇଥିଲା । ଏହାପରେ ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ରଖି ପଚରାଉଚରା ମଧ୍ୟ କରାଯାଇଥିଲା । ଏହି ସମୟରେ ସେ’ ଜେଲ୍ରୁ ଫେରାର୍ ହେବା ଓ ଲୁଚି ରହିବା ବିଷୟ କହିଛି । ମାତ୍ର ସମୟ ଅଭାବରୁ ବହୁ ବିଷୟରେ ପୁଲିସ ପଚରାଉଚରା କରିପାରିନି । ତେଣୁ ମଧୁକାନ୍ତଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓକାଳିବା ପାଇଁ ଚୌଦ୍ୱାର ଥାନା ପୁଲିସ ରିମାଣ୍ଡରେ ଆଣିବାକୁ ନିଷ୍ପତ୍ତି ନେଇଛି । ଶନିବାର ତାକୁ କଟକ ଜେଏମ୍ଏଫ୍‌ସି -୧ କୋର୍ଟଙ୍କ ସମ୍ମୁଖରେ ହାଜର କରିବା ବେଳେ ଚୌଦ୍ୱାର ଥାନା ପକ୍ଷରୁ ତାକୁ ୭ ଦିନିଆ ରିମାଣ୍ଡରେ ଦେବାକୁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ସମ୍ଭବତଃ ସୋମବାର ଏନେଇ ଶୁଣାଣି ହେବ । ମୁଖ୍ୟ ବିଷୟ ହେଉଛି, ଜେଲ୍ ଭିତରେ ମଧୁକାନ୍ତ ଓ ରାଜା କେମିତି ଖସିବା ପାଇଁ ପ୍ଲାନ୍ କରିଥିଲେ, ସେଥିରେ କିଏ ସହଯୋଗ କରିଥିଲେ, ସେମାନଙ୍କୁ ହତିଆର କିଏ ଦେଇଥିଲା ସେସବୁ ମଧୁକାନ୍ତକୁ ପଚରାଉଚରା କରାଯିବ । ସେହିପରି ଜେଲ୍‌ରୁ ବାହାରିବା ପରେ ଗତ ୧୩୪ ଦିନ କେଉଁ ରାଜ୍ୟରେ ଥିଲେ, କିଏ ତାଙ୍କୁ ସାହାଯ୍ୟ କରୁଥିଲା, ଟଙ୍କା କେଉଁଠାରୁ ପାଇଥିଲେ ତାହା ମଧ୍ୟ ଜେରା କରାଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଫେରାର୍ ଥିବା ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣି ଏବେ କେଉଁଠି ଅଛି? ଫେରାର୍ ହେବା ପରେ ରାଜାର ନିର୍ଦ୍ଦେଶରେ ତାର କେଉଁ ଗ୍ୟାଙ୍ଗ୍ ସଦସ୍ୟ ସହଯୋଗ କରିଥିଲେ, ଲୁଚି ବୁଲିବା ପାଇଁ ରାଜା କ’ଣ ସବୁ ପ୍ଲାନ୍ କରିଥିଲା, ଶେଷ ଥର ରାଜା ସହିତ କେବେ ଯୋଗାଯୋଗ ହୋଇଥିଲା, ରାଜା କାହାଠାରୁ ଏବେ ସହଯୋଗ ପାଉଛି, ଆଗକୁ ପୁଣି କିଛି ଲୁଟ୍‌ପାଟ୍‌ର ପ୍ଲାନ୍ ରାଜା କରିଥିଲା କି ସେସବୁ ବିଷୟ ମଧୁକାନ୍ତକୁ ତଦନ୍ତକାରୀ ଟିମ୍ ପଚରାଉଚରା କରିବ । ଏହି ଆଧାରରେ ରାଜାକୁ ଗିରଫ କରିବା ପାଇଁ ପୁଲିସ ପ୍ଲାନ୍ କରିବ। ଅନ୍ୟପଟେ ଜେଲ୍‌ର ସୁରକ୍ଷାକୁ ନେଇ ପୁଲିସ ଆଉ କୌଣସି ପ୍ରକାର ରିସ୍କ ନେବାକୁ ଚାହୁଁନି । ତେଣୁ ଗତକାଲି କଟକ ପୁଲିସର ବରିଷ୍ଠ ଅଧିକାରୀମାନେ ଜେଲ୍ କର୍ତ୍ତୃପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରିଛନ୍ତି । ତେଣୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି । ଏଥିସହିତ ଜେଲ୍‌ରୁ ଲଗାତର ଚୌଦ୍ୱାର ଥାନା ଅଧିକାରୀ ଓ ଜୋନ୍ ଏସିପିଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀ ପ୍ରତି ସପ୍ତାହରେ ଯିବେ । ହାର୍ଡକୋର ଅପରାଧୀ ରହୁଥିବା ସେଲ୍‌ ଗୁଡ଼ିକରେ କିଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି ତାହାର ସ୍ଥିତି ମଧ୍ୟ ଯାଞ୍ଚ୍ କରିବେ ବୋଲି ନିଷ୍ପତ୍ତି ହୋଇଛି । ଏପରିକି ସଂପୂର୍ଣ୍ଣ ଜେଲ୍ ଭିତର ସ୍ଥିତି ଜାଣିବାକୁ କଟକ ପୁଲିସ ପକ୍ଷରୁ ଅଚାନକ ମଧ୍ୟ ଚଢ଼ଉ ହେବ ବୋଲି ନିଷ୍ପତ୍ତି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ