ଭୂତ ପେଟରେ ସରକାରୀ କଲ୍ୟାଣ ଯୋଜନା, ଯାଞ୍ଚ ପାଇଁ ପୁରୁଣା ଭତ୍ତା ରେକର୍ଡ ଦେଉ ନାହାଁନ୍ତି ସରପଞ୍ଚ

ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡ଼ଅଁର  ପଞ୍ଚାୟତରେ ଟିପ ମାରି ୪୦ରୁ ଉର୍ଦ୍ଧ୍ଵ  ମୃତବ୍ୟକ୍ତି ସରକାରୀ ଭତ୍ତା ନେବା ଘଟଣାରେ ପ୍ରମାଣ ମିଳିଛି l ଫଳରେ ତଦନ୍ତ ପାଇଁ ଏକ ୪ ଜଣିଆ ଟିମ ଗଠନ କରାଯାଇଛି l ଏହି ଟିମରେ ବ୍ଲକର ଏବିଡ଼ିଓ, ବିଏସଏସଓ, ଦୁଇଜଣ ପିଇଓ ଅଛନ୍ତି l ଏହି ଟିମ ବିଭିନ୍ନ ପଞ୍ଚାୟତରେ ତଦନ୍ତ କରିବ ବୋଲି ହାଟଡିହି ବ୍ଲକ ବିଡ଼ିଓ ରଞ୍ଜନ କୁମାର ପରିଡା କହିଛନ୍ତି l ଏଥିସହ ବିଡ଼ିଓ ପରିଡା ଏବଂ ନୂତନ ପିଇଓ ଅଜୟ ନାୟକ କହିଛନ୍ତି ଯେ ଏଠାରେ ଦୁଇ ପ୍ରକାର ଅପରାଧ ହୋଇଛି। ଗୋଟିଏ ହେଲା ମୃତ ବ୍ୟକ୍ତିର ନାମ ତାଲିକାରୁ ନହଟାଇ ରଖିବା ଏବଂ ଦ୍ୱିତୀୟ ହେଲା ତାଙ୍କ ନାମରେ ନକଲି ଟିପ ମାରି ଟଙ୍କା ଉଠାଇବା। ଏହା ଏକ ଯୋଜନାବଦ୍ଧ ଲୁଟ ଅଟେ l ଏହି କାମ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଅନୁସାରେ ସଙ୍ଗୀନ ଅପରାଧ ଅଟେ l ତେଣୁ ଧାରା ୩୧୮(୪)  ସରକାରଙ୍କୁ ଠକି ଟଙ୍କା ନେବା, ଧାରା ୩୩୬ ଏବଂ ୩୩୮  ମୃତ ଲୋକଙ୍କ ନାଁରେ ନକଲି ଟିପ ଓ ଦସ୍ତଖତ କରିବା, ଧାରା ୩୧୬(୫) ବିଶ୍ୱାସଘାତକତା, ଦୁର୍ନୀତି ନିବାରଣ ଆଇନ(ପିସି ଆକ୍ଟ) ଧାରା ୭, ୧୩ ଅନୁସାରେ ଯଦି ସରପଞ୍ଚ, ପିଇଓ ବା ଅନ୍ୟ କର୍ମଚାରୀ ଏହି ଲୁଟରେ ସାମିଲ ଥିଲେ ସେମାନଙ୍କ ନାମରେ କେସ ହେବ। ବିଏସଏସଓ(ବ୍ଲକ ସୋସିଆଲ ସିକ୍ୟୁରିଟି ଅଫିସର) ସ୍ୱାତୀ ସିଂ କହିଛନ୍ତି ଯେ ଚଳିତ ବର୍ଷ ଗତ ମେ ମାସରେ ସମସ୍ତ ପଞ୍ଚାୟତକୁ ଚିଠି କରି ମୃତ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ତଥ୍ୟ ମାଗିଥିଲୁ l ଜୁନ ମାସ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିଲା l କିନ୍ତୁ ଭତ୍ତା ଅନୁଦାନ ଲୁଟିବା ପାଇଁ ସେତେବେଳେ ପଞ୍ଚାୟତ ତରଫରୁ ସେମାନେ ମୃତ ହିତାଧିକାରୀଙ୍କ ସୂଚନା ଦେଲେନି l ଏବେ ଯାଞ୍ଚ ପାଇଁ ପୁରୁଣା ଭତ୍ତା  ରେକର୍ଡ ମାଗିବାରୁ ସରପଞ୍ଚ ସେ ସବୁ ଦେଉ ନାହାଁନ୍ତି l ସରପଞ୍ଚ ଆରତୀ ଜେନାଙ୍କୁ ଯୋଗାଯୋଗ କରିବାରୁ ତାଙ୍କ ସ୍ୱାମୀ ଫୋନ ଉଠାଇ କହିଥିଲେ ଯେ କୌଣସି ଅନିୟମିତତା କି ଲୁଟ ହୋଇନି l ମିଛ ଅପପ୍ରଚାର କରାଯାଉଛି l ସୂଚନା ଯୋଗ୍ୟ,ଓଡିଶା ଗ୍ରାମ ପଞ୍ଚାୟତ ଆଇନ ୧୯୬୪ ଅନୁସାରେ ସରପଞ୍ଚ ହେଉଛନ୍ତି ଭତ୍ତା ବଣ୍ଟନର ତଦାରଖ ଅଧିକାରୀ। ଜାଣି ଜାଣି ମୃତ ଲୋକଙ୍କ ନାମ ନହଟାଇବା ଅବହେଳା ଅଟେ । ଜିଲାପାଳ ଚାହିଁଲେ ସରପଞ୍ଚଙ୍କୁ ନୋଟିସ ଦେଇ ତାଙ୍କୁ ପଦରୁ ବହିଷ୍କାର କରିପାରନ୍ତି l କିନ୍ତୁ ଅଭିଯୋଗକୁ ୬ଦିନ ବିତି ଯାଇଥିଲେ ବି ଆଜି ପର୍ଯ୍ୟନ୍ତ ସେପରି କିଛି ପଦକ୍ଷେପ ନିଆ ଯାଇ ପାରିନି।

ଏ ସମ୍ପର୍କରେ ଆଇନଜୀବି ମନୋଜ କୁମାର ପାଣି ଏବଂ ଅନିଲ ବାରିକ କହିଛନ୍ତି ଯେ ମାନ୍ୟବର ସୁପ୍ରିମ କୋର୍ଟ ଗତ ୨୦୧୦ ରେ ଷ୍ଟେଟ ଅଫ ଓଡିଶା ବନାମ ଚୌଧୁରୀ ନାୟକଙ୍କ ମାମଲାରେ ନକଲି ଭତ୍ତା ବନ୍ଦ କରିବା ସହ  ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବା ବାଧ୍ୟ ବୋଲି ରାୟ ପ୍ରକାଶ କରିଥିଲେ l ୟୁନିଅନ ଅଫ ଇଣ୍ଡିଆ ବନାମ ଅବତାର ସିଂହ (୨୦୦୬) ମାମଲାରେ ମାନ୍ୟବର କୋର୍ଟ ଉଦ୍ଧୃତ କରିଛନ୍ତି ଯେ ଯୋଗ୍ୟ ଲୋକଙ୍କୁ ଦେବା ପାଇଁ ଉଦାର ହେବା ଠିକ, କିନ୍ତୁ ଅଯୋଗ୍ୟ/ମୃତ ଲୋକ ନାମରେ ଲୁଟକୁ ଛାଡିବା ନାହିଁ। ନକଲି ଲୋକ ସୁବିଧା ନେବା ହେଉଛି ସବୁ କଲ୍ୟାଣ ଯୋଜନାର ଅଭିଶାପ।ୟୁନିଅନ ଅଫ ଇଣ୍ଡିଆ ବନାମ ଇନ୍ଦ୍ରରାଜ (୨୦୨୫) ମାମଲା ଅନୁସାରେ ଟଙ୍କା ଲୁଟି ପରେ ଫେରାଇ ଦେଲେ ବି ଅପରାଧ କ୍ଷମା ହେବ ନାହିଁ। ସରପଞ୍ଚ/ପିଇଓ କହିପାରିବେ ନାହିଁ ଯେ ମୁଁ ଜାଣିନି ବୋଲି l ଖଗେଶ୍ୱର ସା ବନାମ ଷ୍ଟେଟ ଅଫ ଓଡିଶା,(୨୦୨୬) ମାମଲାରେ ମାନ୍ୟବର ଓଡିଶା ହାଇକୋର୍ଟ କହିଛନ୍ତି ଯେ ପଞ୍ଚାୟତ ଫଣ୍ଡ ଲୁଟ କରିଥିଲେ ଲୁଟ କ୍ଷମା ହେବ ନାହିଁ l ପେନସନ ଇଜ ରାଇଟ ଟୁ ପ୍ରପର୍ଟି ଆର୍ଟିକିଲ ୩୦୦-ଏ କୁ ଆଧାର କରି ତ୍ରୈଲୋକ୍ୟନାଥ ବେହେରା ବନାମ ଷ୍ଟେଟ ଅଫ ଓଡିଶା (୨୦୧୫) ମାମଲାରେ ସୁପ୍ରିମକୋର୍ଟଙ୍କ ନୀତିକୁ ଉଦ୍ଧୃତ କରି ହାଇକୋର୍ଟ କହିଥିଲେ ଯେ, ମୃତ ଲୋକ ନାଁରେ ଟଙ୍କା ଉଠାଇବା ହେଉଛି ଜୀବିତ ଗରିବଙ୍କ ସମ୍ପତ୍ତି ଅଧିକାର ଛଡାଇ ନେବା l ପଞ୍ଜାବ ବନାମ ଗୁର୍ଡିଆଲ ସିଂହଙ୍କ ମାମଲାର ରାୟକୁ ପାଥେୟ କରି ବହିଷ୍କାର କରିହେବ l ମଘୁଂ ବୈଗା ବନାମ ଷ୍ଟେଟ ଅଫ ମଧ୍ୟପ୍ରଦେଶ (୨୦୨୫) ମାମଲା ଅନୁସାରେ ଉପରିସ୍ଥ ଅଧିକାରୀଙ୍କର କ୍ଷମତା ଅଛି ଯେ ସରପଞ୍ଚ ଦୁର୍ନୀତିରେ ସମ୍ପୃକ୍ତ ଥିଲେ ସରପଞ୍ଚଙ୍କ ଆର୍ଥିକ କ୍ଷମତା ଛଡାଇ ପାରିବେ। ଏଥିସହ ପୂର୍ବରୁ ମଧ୍ୟ ଢେଙ୍କାନାଳ ଜିଲାରେ ସରକାରୀ ଅନୁଦାନ ଲୁଟ ନେଇ ଭିଜିଲାନ୍ସ ଥାନାରେ ମାମଲା ନଂ ୪୦/ ୧୬ ଅକ୍ଟୋବର ୨୦୨୬ ଏବଂ ପିସି ଆକ୍ଟ ଧାରା ୧୩(୨) ଆର/ଡବ୍ଲ୍ୟୁ ୧୩(୧)(ଏ), ବିଏନଏସ ଧାରା ୩୧୬(୫)/୩୧୮(୪)/୩୪୪/୬୧(୨) ଅନୁସାରେ କେସ ହୋଇଛି l ଏହି ଘଟଣାରେ ଆନନ୍ଦପୁର ଉପଜିଲାପାଳ ନୀଳ ମାଧବ ସୁନା କହିଛନ୍ତି ଯେ ପ୍ରକ୍ରିୟାକରଣ ଜାରି ରହିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ