ବିଦ୍ୟାଳୟର ସମସ୍ୟା ସାମାଧାନ ପାଇଁ ଦାବୀପତ୍ର

କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟ ଗୁଡିକର ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ,ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ,ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ଅନ୍ୟାନ୍ୟ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଆଜି ତାଙ୍କ କେନ୍ଦୁଝର ଗସ୍ତ ଅବସରରେ ସର୍କିଟ ହାଉସ ଠାରେ ବିଜେପି ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚା ଉପ ସଭାପତି ମମିତା ନାୟକ,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା କିରଣବାଳା ନାୟକ,ରାଜ୍ୟ କୃଷକ ମୋର୍ଚ୍ଚାର ସଂଯୋଜକ ହରିହର ମହାନ୍ତ,ଶ୍ୟାମସୁନ୍ଦର ନାୟକ,କମଳା ସିଂ,ବନଜ ନାୟକ ପ୍ରମୁଖ ମନ୍ତ୍ରୀଙ୍କୁ ଏହି ଦାବୀ ପତ୍ର ଦେଇ ତାହାର ସମାଧାନ ପାଇଁ ଅନୁରୋଧ କରିଥିଲେ । ଝୁମ୍ପୁରା ବ୍ଲକ ବସନ୍ତପୁର ଉଚ୍ଚ ବିଦ୍ୟାଳୟଟି ଗତ ବର୍ଷ ବିଭାଗୀୟ ଚିଠି ସଂଖ୍ୟା ୬୭୯୯ ତା ୧୬/୦୩/୨୦୨୪ରିଖ ଅନୁସାରେ ଯୁକ୍ତ ଦୁଇ ବିଜ୍ଞାନ କୁ ଉନ୍ନିତ ହୋଇଥିଲା । ସେଠାରେ ଚଳିତ ବର୍ଷ ଆଡମିଶନ କରିବା ପାଇଁ ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟଟି ବହୁ ପୁରାତନ ହୋଇଥିଲେ ମଧ୍ୟ ସେଠାରେ ଶିକ୍ଷକ ଆବାସ ଗୃହ ଗୁଡିକ ଭଗ୍ନ ଅବସ୍ଥାରେ ରହିଛି । ସେହି ଜରାଜୀର୍ଣ୍ଣ ଗୃହ ଗୁଡିକୁ ଭାଙ୍ଗି ନୂତନ ଶିକ୍ଷକ ଆବାସ ଗୃହ ନିର୍ମାଣ ନିମନ୍ତେ ଅନୁରୋଧ କରାଯାଇଛି । ଉକ୍ତ ଉଚ୍ଚ ବିଦ୍ୟାଳୟକୁ ମୁଖ୍ୟ ରାସ୍ତାରୁ ସଂଯୋଗୀକରଣ ରାସ୍ତାଟି ଯାତାୟତ ପାଇଁ ଅନୁପଯୋଗୀ ହୋଇଥିବାରୁ ତାହାର ମରାମତି ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ନରଣପୁର ଉଚ୍ଚ ବିଦ୍ୟାଳୟଟି ଗତବର୍ଷ ଉନ୍ନିତ ହୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହୋଇଛି ଏବଂ ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇଛି । ଏହି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ଜାଗା ଚିହ୍ନଟ ସହିତ ବିଦ୍ୟାଳୟ ଗୃହ,ଛାତ୍ରାବାସ ଏବଂ ଶିକ୍ଷକ ଆବାସ ଗୃହ ନିର୍ମାଣ,୧୩ଟି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ ପୂରଣ,ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ମଞ୍ଜୁରୀ ହୋଇନଥିବା ୧୨ଟି ପଦବୀକୁ ମଞ୍ଜୁର କରି ଏଗୁଡିକ ପୂରଣ ଦିଗରେ ପଦକ୍ଷେପ ନେବା ପାଇଁ ଦାବୀପତ୍ରରେ ଉଲ୍ଲେଖ ରହିଛି । ଏହି ଜିଲ୍ଲାର ବାଂଶପାଳ ବ୍ଲକ ଅନ୍ତର୍ଗତ ଶୁଆକାଟୀ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ,ପାଟଣା ବ୍ଲକ ଅନ୍ତର୍ଗତ ଚିଲିଦା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ହରିଚନ୍ଦନପୁର ବ୍ଳକ ଅନ୍ତର୍ଗତ ବକ୍ସିବାରିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉନ୍ନିତ କରାଯାଇ ଯୁକ୍ତ ଦୁଇ ବିଜ୍ଞାନ ଖୋଲିବା ପାଇଁ ଦାବୀପତ୍ରରେ ଅନୁରୋଧ କରାଯାଇଛି । ଜିଲ୍ଲାରେ ଥିବା ଆଶ୍ରମ ଏବଂ ଉଚ୍ଚ ବିଦ୍ୟାଳୟରେ ଛାତ୍ରାବାସ ସମସ୍ୟା,ନୂତନ ଶିକ୍ଷକ ଗୃହ ନିର୍ମାଣ,ଖେଳ ପଡିଆ ନିର୍ମାଣ,ବିଭିନ୍ନ ଶିକ୍ଷକ ଓ ଅଣ ଶିକ୍ଷକ ପଦବୀ ପୂରଣ ପାଇଁ ଅନୁରୋଧ କରାଯାଇଛି । ମନ୍ତ୍ରୀ ଏ ସବୁ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ