ଗୋଚର ଜମି ଜବର ଦଖଲକୁ ନେଇ ସଂଘର୍ଷ: ଥାନାରେ ବସିଲା ବୈଠକ

ହାଟଡିହି (ଓ୍ବାଇଏନଏସ): ଗୋଚର ଜମି ଜବର ଦଖଲକୁ ନେଇ ଶଙ୍ଖଣା ଓ ତେନ୍ତୁଳିନଣ୍ଡା ଗ୍ରାମ ଭିତରେ ସଂଘର୍ଷ ଘଟଣାରେ ଆଜି ସୋସୋ ଥାନାରେ  ବୈଠକ ବସି ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। କିନ୍ତୁ ଅନ୍ୟ ପଟେ ୨ ଗାଁ ଭିତରେ  ଉତ୍ତେଜନା ଲାଗିରହିଛି। ପୋଲିସ ଉପସ୍ଥିତିରେ ପରସ୍ପପରକୁ ଆକ୍ଷେପ ପ୍ରତି ଆକ୍ଷେପ କରାଯାଉଥିବା ଅଭିଯୋଗ ହେଉଛି। ତେନ୍ତୁଳିନଣ୍ଡା ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ତେନ୍ତୁଳିନଣ୍ଡା ଗ୍ରାମର କିଛି ଗୋଚର ଜମିକୁ ଶଙ୍ଖଣା ଗ୍ରାମର କିଛି ବ୍ୟକ୍ତି ଜବର ଦଖଲ କରି ଚାଷବାସ କରୁଥିଲେ। କିଛିମାସ ତଳେ ଜଣେ ବ୍ୟକ୍ତି ଜବରଦଖଲ ଜମିରେ ଏକ ପୋଖରୀ କରିଦେଇଥିବା ବେଳେ ଏବେ ଆଉ ଜଣେ ବ୍ୟକ୍ତି ଖୁଣ୍ଟ ପକାଇ ଘର ଆରମ୍ଭ କରିବାରୁ  ତେନ୍ତୁଳିନଣ୍ଡା ଗ୍ରାମବାସୀ ମାନେ ବିରୋଧ କରିଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ତେନ୍ତୁଳିନଣ୍ଡା ଗ୍ରାମବାସୀ ମିଳିତ ଭାବେ ଉକ୍ତ ପୋଖରୀକୁ ପୋତିବାକୁ ନିଷ୍ପତି ନେଇଥିଲେ। ଯାହାକୁ ନେଇ ବିବାଦ ତୀବ୍ରତର ହୋଇଥିଲା। ଗତକାଲି ରାତିରେ ତେନ୍ତୁଳିନଣ୍ଡା ଗ୍ରାମବାସୀ ଗାଁରେ ବୈଠକ କରୁଥିବା ବେଳେ ଶଙ୍ଖଣା ଗ୍ରାମର କିଛି ଯୁବକ ଗାଳି ଗୁଲଜ କରିବା ବେଳେ ତେନ୍ତୁଳିନଣ୍ଡା ଗ୍ରାମର ୨ ଜଣ ଯୁବକ ଭିଡିଓ ଉତ୍ତୋଳନ କରିବାରୁ ଉଭୟ ପକ୍ଷଙ୍କ ଭିତରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ପରସ୍ପରକୁ ଟେକା ପଥର ଫୋପାଡ଼ି ବାରୁ ଉଭୟ ପକ୍ଷରୁ ୮ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ରେ ଭର୍ତ୍ତି କରାଯାଇ ଥିଲା। ଖବରପାଇ ସୋସୋ ଓ ନନ୍ଦିପଦା ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ଉତ୍ତେଜନା କୁ ପ୍ରଶମିତ କରିବା ପାଇଁ ଗାଁରେ ପୋଲିସ ମୃତୟନ କରାଯାଇଥିଲା। ଆଜି ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା, ସୋସୋ ଥାନା ଆଇ.ଆଇ.ସି କାନନ ସାହୁଙ୍କ ଉପସ୍ଥିତିରେ ଉଭୟ ଗ୍ରାମର ଭଦ୍ର ବ୍ୟକ୍ତି ମାନଙ୍କୁ ନେଇ ବୈଠକ ବସି ଉଭୟ ଗାଁରେ ଶାନ୍ତି ପ୍ରତିଷ୍ଠା ସହ ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଥିଲା। ଏଥିରେ ତେନ୍ତୁଳିନଣ୍ଡା ଗ୍ରାମବାସୀ ଜବରଦଖଲ ହଟାଇବାକୁ ଦାବି କରିଥିଲେ। ପରେ ଆଜି ଅପରାହ୍ନରେ ତେନ୍ତୁଳିନଣ୍ଡା ଗାଁ ମୁଣ୍ଡରେ ଥିବା କିଛି ଦୋକାନ ବନ୍ଦ କରାଇବାକୁ ନେଇ ପୁନଶ୍ଚ ଉତ୍ତେଜନା ପ୍ରକାଶ ପାଇବା ପରେ ଅଧିକ ପୋଲିସ ମୃତୟନ ହୋଇଥିବା ଜଣାଯାଇଛି। ଏନେଇ ଉଭୟ ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଥାନା ଆଇ.ଆଇ.ସି ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ