ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳ ର ୧୪୦ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପାଟପୁର ଗାନ୍ଧୀ ଛକ ଠାରେ ଉପସ୍ଥିତ ଦଳୀୟ ନେତୃବୃନ୍ଦ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ବିଶାଳ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ସଭାସ୍ଥଳରେ ପହଞ୍ଚିଥିଲା।ସେଠାରେ ବର୍ଷୀୟାନ କଂଗ୍ରେସ ନେତା ରାମହରି ଦୋରା ଦଳୀୟ ପତାକା ଉତ୍ତୋଳନ କରିଥିଲେ। ସାନଖେମୁଣ୍ଡି ବ୍ଲକ କଂଗ୍ରେସ ସଭାପତି ଏ.ବାବୁଲା ଦୋରା ଙ୍କ ସଭାପତିତ୍ବରେ ଆୟୋଜିତ ଜନସଭା ରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇ ଭାରତ ର ସ୍ଵାଧୀନତା ପାଇଁ ୧୪୦ ବର୍ଷ ପୂର୍ବେ ୧୮୮୫ ମସିହା ଡିସେମ୍ବର ୨୮ ତାରିଖରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ଗଠନ କରାଯାଇଥିଲା। ଦେଶ ଆଉ ଜାତି ପାଇଁ ତତ୍କାଳୀନ ଦଳୀୟ ନେତୃବୃନ୍ଦ ଙ୍କ ଉତ୍ସର୍ଗୀକୃତ କାର୍ଯ୍ୟାବଳୀ ସହ ସ୍ଵାଧୀନତା ଆନ୍ଦୋଳନରେ ସେମାନଙ୍କ ତ୍ୟାଗ କୁ ଆମେ ମନେରଖିବା ଉଚିତ ବୋଲି ସେ ମତପ୍ରକାଶ କରିଥିଲେ। ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଠାରୁ ଆରମ୍ଭ କରି କଂଗ୍ରେସର ପରବର୍ତ୍ତୀ ପୀଢ଼ିର ଜନନେତା ମାନଙ୍କ ତ୍ୟାଗ ଓ ବଳିଦାନରେ ସ୍ଵାଧୀନ ହୋଇଥିବା ଭାରତବର୍ଷ ସାମ୍ପ୍ରତିକ ଶାସକ ଦଳ ଭାଜପା ଓ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଦ୍ୱାରା ପରିଚାଳିତ ପରିଚାଳିତ ମୋଦୀ ସରକାର ଙ୍କ ଆଭିମୁଖ୍ୟକୁ ନେଇ ସେ ଦୃଢ଼ ସମାଲୋଚନା କରିଥିଲେ ।ଆଗାମୀ ଦିନରେ ଉଭୟ ରାଜ୍ୟ ଓ କେନ୍ଦ୍ରରେ କଂଗ୍ରେସ ଦଳ ନିଶ୍ଚିତ ବିଜୟ ହାସଲ କରିବ। ଦଳୀୟ କର୍ମୀ ଓ ନେତୃବୃନ୍ଦ ଏକଜୁଟ ହୋଇ କଂଗ୍ରେସର ଦଳୀୟ ସଙ୍ଗଠନ କୁ ସୁଦୃଢ଼ ରଖିବାକୁ ସେ ଆହ୍ୱାନ ଦେଇଥିଲେ। ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ବଂଶଧାରା ସାମନ୍ତ ସିଂହାର, କଂଗ୍ରେସ କାର୍ଯ୍ୟକର୍ତ୍ତା ଦେବକାନ୍ତ ଶର୍ମା , ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାତ୍ର, ଜିଲା ଛାତ୍ର କଂଗ୍ରେସ ର ପୂର୍ବତନ ସଭାପତି ବିକାଶ ପଶୁପାଳକ ,ପିସିସି ସଭ୍ୟ ଅରବିନ୍ଦ ନାହାକ, ବାଉରୀବନ୍ଧୁ ପ୍ରଧାନ, ରଘୁନାଥ ବେହେରା, ନିରାକାର ପ୍ରଧାନ ,ମୁକୁନ୍ଦ ଚନ୍ଦ୍ର ବରାଡ, ଶଙ୍କର୍ଷଣ ଖୁଣ୍ଟିଆ,ସୁଧାଂଶୁ ସ୍ୱାଇଁ, ଅନ୍ତର୍ଯ୍ୟାମୀ ସ୍ୱାଇଁ,ନାରାୟଣ ଗୌଡ଼, ପ୍ରଫୁଲ୍ଲ ଦାସ, ଶିବରାମ ବାଡତ୍ୟା, ଶତ୍ରୁଘ୍ନ ଗୌଡ ଙ୍କ ସମେତ ବହୁ ସଂଖ୍ୟକ ସରପଞ୍ଚ,ସମିତି ସଭ୍ୟ ବୃନ୍ଦ ମଞ୍ଚାସିନ ଥିଲେ । ଏହି ଜନସଭାରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅଧିନ ଧରାକୋଟ ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ସହସ୍ରାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ।


