ଗୃହ ନିର୍ମାଣ ଶେଷ : କାମରେ ଲାଗୁନି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ଗ୍ରାମାଞ୍ଚଳରେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଈଁ ରାଜ୍ୟ ସରକାର ପ୍ରତି ପଂଚାୟତ ରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନାମରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ର ଖୋଲିବା ସହିତ ପ୍ରତି କେନ୍ଦ୍ରମାନଙ୍କରେ ଜଣେ ଲେଖାଏଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ସିଏଚଓ )ଙ୍କୁ ନିଯୁକ୍ତି କରିଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ୧୪ଟି ଉପକେନ୍ଦ୍ର ମଧ୍ୟରୁ ପ୍ରାୟ ୧୨ଜଣ ସିଏଚଓ ଙ୍କୁ ନିଯୁକ୍ତ କରାଯାଇଛି । ସିଏଚଓ ମାନେ ସକାଳ ୮ଟାରୁ ୧୨ଟା ଏବଂ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଆରୋଗ୍ୟ ମନ୍ଦିରରେ ଉପସ୍ଥିତ ରହି ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବିତରଣ କରିବା ପାଈଁ ନିର୍ଦେଶ ନାମା ରହିଛି। ମାତ୍ର ଅଧିକାଂଶ ଆରୋଗ୍ୟ ମନ୍ଦିରରେ ଏହାର ବ୍ୟତିକ୍ରମ ହେଉଥିବା ଅଭିଯୋଗ ହେଉଛି। ଅସ୍ତରଙ୍ଗ ବ୍ଲକ ଅଧୀନ ନମାରୋ, ବଡ଼ଗୋଲା, ଓସ୍ତପୁର, ନଇଁଗୁଆଁ, ନୂଆଗଡ, ଝାଡ଼ଲିଙ୍ଗ, ନଗର ଗ୍ରାମରେ ଥିବା କେନ୍ଦ୍ର ଗୁଡିକ କାମ ସରିଥିବା ବେଳେ ସରିପୁର, ଆଳସାହି, ସୁନ୍ଦର ଓ ପାଟଳଦା ଗ୍ରାମରେ ଏଡଭାନ୍ସ କାମ ସରିନି ।ଆଜକୁ ପ୍ରାୟ ଦୀର୍ଘ ମାସ ହେଲା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୃହ ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ଏହା କାମରେ ଲାଗୁ ନଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା କେତେକ ଆରୋଗ୍ୟ ମନ୍ଦିରରେ ସିଏଚଓ କାର୍ଯ୍ୟ କରୁନଥିବା ଅଭିଯୋଗ ହୋଇଛି। ରାଜ୍ୟ ସରକାର ପ୍ରତି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ ପାଈଁ ୩୪ଲକ୍ଷ ୮୮ହଜାର ଟଙ୍କା ବ୍ୟୟ ବରାଦ କରିଛନ୍ତି । ଅପର ପକ୍ଷରେ କାର୍ଯ୍ୟ କରୁଥିବା ଆରୋଗ୍ୟ ମନ୍ଦିରକୁ ଲାଗି ସିଏଚଓ ମାନଙ୍କ ବାସଭବନ ନିର୍ମାଣ କରାଯାଇଥିଲେ ମଧ୍ୟ ଜଣେ ହେଲେ ସିଏଚଓ ରହୁ ନଥିବା ଅଭିଯୋଗ ହୋଇଛି। ଅଳ୍ପ କେତେକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ସିଏଚଓ ମାନେ କାଁ ଭାଁ ଖୋଲୁଥିବା ବେଳେ ଅପରାହ୍ନ ରେ ଆଦୌ ଖୋଲୁ ନଥିବା ଅଭିଯୋଗ ହୋଇଛି। ବହୁ ଗ୍ରାମାଞ୍ଚଳ ରେ ଆରୋଗ୍ୟ ମନ୍ଦିରରେ ମିଳୁଥିବା ସେବା ଓ ସିଏଚଓ ମାନଙ୍କ କାର୍ଯ୍ୟ ସମ୍ପର୍କରେ ଲୋକ ମାନେ ଅଜ୍ଞ ଥିବା ମଧ୍ୟ ଜଣାପଡିଛି। ସ୍ୱାସ୍ଥ୍ୟ ଅଧିକାରୀ ମାନେ ମାସରେ ଅଧିକାଂଶ ଦିନ ଭୂତ ରୋଗୀ ସୃଷ୍ଟି କରି ସ୍ୱାସ୍ଥ୍ୟ ବିଭାଗ କୁ ମିଥ୍ୟା ତଥ୍ୟ ଦେଉଥିବା ଅଭିଯୋଗ ହେଉଛି। ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମାନେ ମାସକୁ ବେତନ ସହିତ ପ୍ରୋତ୍ସାହନ ରାଶି ମଧ୍ୟ ପାଉଛନ୍ତି । ଉକ୍ତ ପ୍ରୋତ୍ସାହନ ରାଶିକୁ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ବିନିଯୋଗ କରିବା ପାଈଁ ନିର୍ଦେଶ ଥିବା ବେଳେ ଓ ସ୍ଥାନୀୟ ସରପଞ୍ଚ ଙ୍କ ସହଯୋଗ ରେ ଅର୍ଥ ବିନିଯୋଗ ହେବାର ପ୍ରକ୍ରିୟା ଥିଲେ ସୁଦ୍ଧା ବହୁ ସ୍ଥାନରେ ଏହାର ବ୍ୟତିକ୍ରମ ହେଉଥିବା ଅଭିଯୋଗ ହୋଇଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ କରାଯାଇଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଗୁଡିକ ଭୂତକୋଠି ରେ ପରିଣତ ହେବାକୁ ବସିଲାଣି । ତେଣୁ ଆରୋଗ୍ୟ ମନ୍ଦିର ଗୁଡିକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଈଁ ବୁଦ୍ଧିଜୀବୀ ମହଲରୁ ଦାବୀ ହୋଇଛି । ଏ ସଂପର୍କରେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ସଞ୍ଜୟ ପ୍ରଧାନ ଙ୍କୁ ପଚାରିବାରୁ କହିଛନ୍ତି କ୍ରମାନୁସାରେ ସିଏଚଓ ମାନଙ୍କର କାଗଜପତ୍ର ତନଖି କରାଯାଉଛି। ଏହା ସହ କହିଛନ୍ତି ଅପରାହ୍ନ ସମୟରେ ସିଏଚଓ ମାନେ କ୍ଷେତ୍ର ପରିଦର୍ଶନ ଯାଉଛନ୍ତି, କିନ୍ତୁ ସ୍ଥାନୀୟ ଲୋକ କହିବା କଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଗଣମାଧ୍ୟ୍ୟମ ରେ ଏ କଥା ସଫେଇ ଦେଇଛି। କେବେ ଅପରାହ୍ନ ରେ ଖୋଲୁନାହିଁ କି କ୍ଷେତ୍ର ପରିଦର୍ଶନ ଯାଉନାହାନ୍ତି ।କିନ୍ତୁ ଉପଯୁକ୍ତ ତଦନ୍ତ କଲେ କେମିତି ଚାଲିଛି ଉପସ୍ୱାସ୍ଥ୍ୟକେନ୍ଦ୍ର ତାହା ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଅଂଚଳର ରମାକାନ୍ତ ମୁଦୁଲି କହିଛନ୍ତି।


