ଜନଗଣନାକୁ ନେଇ ଆନ୍ଧ୍ର-ଓଡିଶା ସୀମାନ୍ତରେ ଥିବା ମାଣିକପାଟଣାରେ ଘନେଇଲା ବିବାଦ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍‌ର ଆନ୍ଧ୍ର ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମରେ ଜନଗଣନାକୁ ନେଇ ବିବାଦ ଘନେଇଲା, ଏହି ଗ୍ରାମରେ ରହୁଥିବା ଆନ୍ଧ୍ର ସପକ୍ଷବାଦୀ ଓ ବିରୋଧୀ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜି ଥିବା ସୂଚନା ମିଳିଛି, ସର୍ଭେ ଦାୟିତ୍ଵରେ ରହିଥିବା ଓଡ଼ିଶାର ଅଧିକାରୀଙ୍କୁ ଆନ୍ଧ୍ରପ୍ରଦେଶର ସପକ୍ଷବାଦୀ ଗୋଷ୍ଠୀ ଗାଳିଗୁଲଜ କରିବାରୁ ପରିସ୍ଥିତି ଅଶାନ୍ତ ହୋଇଥିଲା। ପରେ ରାୟଗଡ଼ ଅତିରିକ୍ତ ତହସିଲଦାର ଜଗମୋହନ ପାଢ଼ୀ ସେହି ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିପରି ଅତିରିକ୍ତ ନିର୍ଦ୍ଦେଶକ ତଥା ଜନଗଣନା କାର୍ଯ୍ୟକ୍ରମର ଗଜପତି ଜିଲ୍ଲା ନୋଡାଲ୍ ଅଧିକାରୀ ସୁଜିତ ପ୍ରଧାନ ଓ ତାଙ୍କ ଟିମ୍ ମଧ୍ୟ ମାଣିକପାଟଣାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟଯେ, ଗତ ମଙ୍ଗଳବାର ଦିନ ଆନ୍ଧ୍ର ଜନଗଣନା ଅଧିକାରୀମାନେ ଆସି ଓଡ଼ିଶା ପକ୍ଷରୁ ଜନଗଣନାରେ ଉଲ୍ଲେଖ କରାଯାଇଥିବା ତ‌ଥ୍ୟକୁ ଚୂନ ବୋଳି ଲିଭାଇବା ସହ ଆନ୍ଧ୍ର ତଥ୍ୟକୁ ଲେଖିଥିଲ । ଏହାପରେ ଗତ ୭ ତାରିଖରେ ଗଜପତି ଜିଲ୍ଲାର ପ୍ରଶାସନିକ ଅଧିକାରୀମାନେ ଆନ୍ଧ୍ର ତଥ୍ୟକୁ ଲିଭାଇ ଓଡ଼ିଶା ତଥ୍ୟ ଉଲ୍ଲେଖ କରିଥିଲେ। ଗତ ଶୁକ୍ରବାର ସନ୍ଧ୍ୟାରେ ପୁଣିଥରେ ଆନ୍ଧ୍ରର ଅଧିକାରୀମାନେ ଆସି ରଙ୍ଗ ବୋଳିବା ପାଇଁ ଉଦ୍ୟମ କରୁଥିବା ବେଳେ କିଛି ଗ୍ରାମବାସୀ ବିରୋଧ କରିଥିଲେ। ଶନିବାର ସକାଳେ ଗଜପତି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମାଣିକପାଟଣାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଆନ୍ଧ୍ର ସପକ୍ଷରେ ଥିବା କିଛି ପରିବାର ପ୍ରତିବାଦ କରିଥିଲେ, ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ବୁଝାସୁଝା ପରେ ୧୫ ଗୋଟି ପରିବାର ଜନଗଣନାରେ ସହଯୋଗ କରିଥିବା ବେଳେ ବାକି ୭ ପରିବାର ସହଯୋଗ କରି ନଥିବା ଜଣାପଡ଼ିଛି। ପାରଳାଖେମୁଣ୍ଡି ଉପ-ଜିଲ୍ଲାପାଳ ଅନୁପ ପଣ୍ଡା କହିଛନ୍ତି ଯେ ଯେଉଁମାନେ ଏହି ଜାତୀୟ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରୁଛନ୍ତି ସେମାନଙ୍କୁ ତାଗିଦ୍ କରାଯାଇଛି। ଆଗାମୀ ଦିନରେ ବିଶୃଙ୍ଖଳା ସୃଷ୍ଟି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ