ଗୁରୁତର ରୋଗୀଙ୍କୁ ମିଳୁନି ଜରୁରୀ ଆମ୍ବୁଲାନ୍ସ ସେବା: ଖର୍ଚ୍ଚାନ୍ତ ହୋଇ ବାରିପଦା ଯାଉଛନ୍ତି ଗୁରୁତର ରୋଗୀ

ବେତନଟୀ ( ଉଦିତ କୁମାର ପରିଡା) : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜରୁରୀ ଆମ୍ବୁଲାନ୍ସ ନଥିବା ଯୋଗୁଁ ରୋଗୀଙ୍କ ମହଲରେ ଅସନ୍ତୋଷ ବଢୁଛି। ଯେହେତୁ ଏହି ଡାକ୍ତରଖାନା ୧୮ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ତେଣୁ ଏହି ଡାକ୍ତରଖାନାକୁ ପ୍ରତିଦିନ ସଡ଼କ ଦୁର୍ଘଟଣା, ବଜ୍ରପାତ, ସର୍ପ ଆଘାତ, ହାତୀ ଆକ୍ରମଣ ଭଳି ଗୁରୁତର ରୋଗୀଙ୍କ ଆସିବା ସଂଖ୍ୟା ମଧ୍ୟ କମ ନୁହେଁ। ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ବହୁ ଗୁରୁତର ରୋଗୀଙ୍କର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନଥିବାରୁ ସେମାନେ ବେତନଟୀ ରୁ ବାରିପଦା ନେବା ପାଇଁ ଆମ୍ବୁଲାନ୍ସ ସେବାକୁ ଭରସା କରି ରହୁଛନ୍ତି। ୧୦୮ ଆମ୍ବୁଲାନ୍ସ ପାଇଁ ଅଧିକାଂଶ ସମୟରେ ଗୁରୁତର ରୋଗୀଙ୍କୁ ମଧ୍ୟ ଏକ ରୁ ଦୁଇ ଘଣ୍ଟା ବିଳମ୍ବ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିବା ବେଳେ ଗୁରୁତର ରୋଗୀ ଅଧିକ ବିଳମ୍ବ ହେଲେ ଜୀବନ ବଞ୍ଚେଇବା ପାଇଁ କଷ୍ଟକର ହୋଇପଡୁଛି। କେତେକ କ୍ଷେତ୍ରରେ ଆମ୍ବୁଲାନ୍ସକୁ ଅପେକ୍ଷା କରି ଶେଷ ମୁହୂର୍ତ୍ତରେ ଅତିଗରିବ ଲୋକ ମଧ୍ୟ ଗୁରୁତର ରୋଗୀଙ୍କୁ ଭଡା ଗାଡ଼ିରେ ବେତନଟୀ ରୁ ବାରିପଦା ମେଡିକାଲ ନେଉଥିବାର ଦେଖିବାକୁ ମିଳିଛି। ଗରିବ ଲୋକଙ୍କୁ ଭଗବାନ ଭରସା ଭଳି ଘଟଣା ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ବୁଧବାର ଦିନ,  ବେତନଟୀ ନିକଟସ୍ଥ ଡିଙ୍ଗିରା – ବର୍ତ୍ତନା ଗ୍ରାମର ଦର୍ଗା ମୁର୍ମୁଙ୍କ ନାବାଳିକା ଝିଅ ଗୁରୁବାରୀ ମୁର୍ମୁ (୧୬) ଙ୍କୁ ମଙ୍ଗଳବାର ପ୍ରାୟ ରାତି ୧ଟା ସମୟରେ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ିଥିଲା। ବିଳମ୍ବ ରାତିରେ ଆମ୍ବୁଲାନ୍ସ ସେବା ପାଇନପାରି ଗୁରୁତର ଗୁରୁବାରୀଙ୍କୁ ବୁଧବାର ସକାଳ ୫ ସମୟରେ ଭଡା କରି ଅଟୋ ସାହାଯ୍ୟରେ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତାଙ୍କର ଅବସ୍ଥା ଅଧିକ ସଂକଟାପର୍ଣ୍ଣ ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ଦେଇ ସଙ୍ଗେ ସଙ୍ଗେ ବେତନଟୀରୁ ବାରିପଦାକୁ ରେଫର କରାଯାଇଥିଲା। ବାରିପଦା ଯିବାପାଇଁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାରୁ ଦେଢ଼ ଘଣ୍ଟା ରୁ ଦୁଇ ଘଣ୍ଟା ବିଳମ୍ବ ହେବା ଜାଣି ଗୁରିବାରୀଙ୍କ ପରିବାର ବର୍ଗ ବାଧ୍ୟ ହୋଇ ଏକ ଭଡା ଗାଡି ସାହାଯ୍ୟରେ ବାରିପଦା ପି ଆର ଏମ କଲେଜକୁ ନେଇଥିଲେ। ସୂଚନାଯୋଗ୍ୟ ୧୦୮ଆମ୍ବୁଲାନ୍ସ ଅଧିକାଂଶ ସମୟରେ ଗୁରୁତର ରୋଗୀମାନଙ୍କୁ ବେତନଟୀ ରୁ ବାରିପଦା କୁ ନେବାପାଇଁ ବିଳମ୍ବ ହେଉଛି। ସେଥିପାଇଁ ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜରୁରୀ ଥିବା ଗୁରୁତର ରୋଗୀଙ୍କୁ ବାରିପଦା ସ୍ଥାନାନ୍ତର ପାଇଁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଦିଆଯିବା ନେଇ ବେତନଟୀ ବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଛି। ମାତ୍ର ଜିଲ୍ଲା ପ୍ରଶାସନ ବା ରାଜ୍ୟସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି। ଏସମ୍ପର୍କିତ ଘଟଣା ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାରମ୍ବାର ଘଟୁଥିବାରୁ ପ୍ରାୟ ଏକ ମାସ ପୂର୍ବରୁ ବେତନଟୀର ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ଖବରମାନ ପ୍ରକାଶ ପାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ବେତନଟୀ ବାସୀ ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ