ପ୍ରାଚୀନଦୀରୁ ଜଳ ନେବାପାଇଁ କାଉଡିଆଙ୍କ ଭିଡ଼
କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଥିବାରୁ ଶନିବାର ଦିନ ତମାମ୍ମ ପୁରୀ ଜିଲ୍ଲା କାକଟପୁର ବିଶ୍ୱାମିତ୍ର ଆଶ୍ରମ ତଥା ଦେଉଳି ମଠ ନିକଟରେ ପ୍ରଭାହିତ ହେଉଥିବା ପ୍ରାଚୀ ନଦୀ କୂଳରେ ଲାଗିଥିଲା କାଉଡିଆଙ୍କ ଲମ୍ବା ଲାଇନ୍। ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ହଜାର ହଜାର ଶୈବ ଭକ୍ତ ପ୍ରାଚୀର ପବିତ୍ର ଜଳ ଉଠାଇ ନେଇଛନ୍ତି ବିଭିନ୍ନ ଶୈବ ପୀଠକୁ। ଗେରୁଆ ବସ୍ତ୍ର, କାନ୍ଧରେ ସୁସଜ୍ଜିତ କାଉଡ, ହାତରେ ତ୍ରିଶୂଳ ଓ ଡମ୍ବରୁ। ମୁହଁରେ କେବଳ ବୋଲ ବମ୍ – ହର ହର ମହାଦେବ ଧ୍ୱନି। ପ୍ରାଚୀର ଶୀତଳ ଜଳରେ ଡୁବ ପକାଇ କଳସ ଜଳ ପୂରାଇ କାଉଡିଆମାନେ ବାହାରିଲେ ଦୂର ଦୂରାନ୍ତର ଯାତ୍ରାରେ। ଏଠାରୁ ପାଣି ନେଇ କିଏ ଯାଉଛି ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କ ପାଖକୁ, କିଏ ପୁରୀ ଲୋକନାଥ ତ କୋଣାର୍କ ବାଲିକପିଳେଶ୍ୱର, ତ ଆଉ କିଏ ଜଗତସିଂହପୁର ଗୋରେଖନାଥ, ତରାସାହି ବୁଧେସ୍ୱର ଙ୍କ ନିକଟକୁ।ଅନେକ କାଉଡିଆ ନିଜ ନିଜ ଗ୍ରାମର ଶୈବ ପୀଠକୁ ମଧ୍ୟ ପ୍ରାଚୀ ଜଳ ନେଇ ଯାଇଛନ୍ତି। ସେମାନଙ୍କ ବିଶ୍ୱାସ, ପ୍ରାଚୀର ଜଳ ମହାଦେବଙ୍କୁ ଅତି ପ୍ରିୟ ଓ ଏହା ଅର୍ପଣ କଲେ ମନସ୍କାମନା ପୂର୍ଣ୍ଣ ହୁଏ। ସ୍ଥାନୀୟ ଲୋକ ଓ ପୂଜକମାନେ କହିଛନ୍ତି , ଶ୍ରାବଣ ମାସରେ ମୁଖ୍ୟତଃ ଦ୍ୱିତୀୟ ଓ ତୃତୀୟ ସୋମବାର ଦିନ ବିଶ୍ୱାମିତ୍ର ଘାଟରେ ସବୁଠୁ ଅଧିକ ଭିଡ଼ ହୋଇଥାଏ। ଆଗକୁ ସେହି ଦ୍ୱିତୀୟ ସୋମବାର ଥିବାରୁ ଭୋର ୩ଟାରୁ ରାତି ପର୍ଯ୍ୟନ୍ତ ଘାଟରେ ଭକ୍ତଙ୍କ ସୁଅ ଲାଗିଥିଲା।କିନ୍ତୁ ଦୁଃଖ ପରୀତାପ ବିଷୟ ପ୍ରଶାସନ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇନାହିଁ । ମେଡିକାଲ ଟିମ୍ ନାହିଁ କି, ପାନୀୟ ଜଳ ଓ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା ମଧ୍ୟ ନାହିଁ। କଟକରୁ ଆସିଥିବା କାଉଡିଆ ସନ୍ତୋଷ ବେହେରା କହିଥିଲେ ଗତ ୧୦ ବର୍ଷ ହେଲା ଶ୍ରାବଣ ସୋମବାରରେ ପ୍ରାଚୀରୁ ଜଳ ନେଇ ଲିଙ୍ଗରାଜଙ୍କୁ ଜଳାଭିଷେକ କରୁଛି। ଏହା ମୋର ବ୍ରତ। ଖୋର୍ଦ୍ଧାରୁ ଆସିଥିବା ମହିଳା କାଉଡିଆ ମିନତି ସାହୁ କହିଛନ୍ତି ପାଦ ଫୁଲିଯାଉଛି, କିନ୍ତୁ ବାବାଙ୍କ ପାଇଁ ଏ କଷ୍ଟ କିଛି ନୁହେଁ। ଘାଟର ଦୁଇ ପାର୍ଶ୍ୱରେ ଥିବା ଦୋକାନରେ କାଉଡ, କଳସ, ବେଲପତ୍ର ଓ ପ୍ରସାଦ ବିକ୍ରି ହେଉଥିଲା। ସୂର୍ଯ୍ୟ ଅସ୍ତ ପରେ ମଧ୍ୟ କାଉଡିଆଙ୍କ ଯାତ୍ରା ଥମିନଥିଲା। ପ୍ରତ୍ୟେକଙ୍କ ଲକ୍ଷ୍ୟ ଗୋଟିଏ – କାନ୍ଧରେ ବହିଥିବା ପ୍ରାଚୀର ପବିତ୍ର ଜଳକୁ ଶିବଲିଙ୍ଗରେ ଅର୍ପଣ କରି ଜୀବନକୁ ସଫଳ କରିବା।


