ସରସ୍ୱତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ):ଜ୍ଞାନ ଆହରଣ ସହ ପିଲାଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଶନିବାର ଦିନ ପୁରୀ ଜିଲ୍ଲା କାକଟପୁର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାର ଶୁଭାରମ୍ଭ କରି ମୁଖ୍ୟ ଅତିଥି ମଣ୍ଡଳ ଶିକ୍ଷାଅଧିକାରୀ ଶ୍ରୀକାନ୍ତ କୁମାର ସ୍ୱାଇଁ ପ୍ରଦୀପ ପ୍ରଜ୍ୱଳନ କରିବା ସହ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ସେ କହିଥିଲେ , ବହି ପାଠ ବାହାରେ ପିଲାମାନେ ବିଜ୍ଞାନକୁ କେମିତି ବ୍ୟବହାର କରିପାରିବେ ଦେଖାଇବା ପାଇଁ ହିଁ ଏହି ଜ୍ଞାନ ବିଜ୍ଞାନ ମେଳାର ଆୟୋଜନ। ଏଠାରେ ପିଲାମାନେ ନିଜେ ପ୍ରକଳ୍ପ କରି ଶିଖୁଛନ୍ତି, ପ୍ରଶ୍ନ ପଚାରୁଛନ୍ତି। ଏହା ସେମାନଙ୍କ ମଧ୍ୟରେ ଯୁକ୍ତିବାଦୀ ଚିନ୍ତା ଓ ସମସ୍ୟା ସମାଧାନ ଦକ୍ଷତା ବୃଦ୍ଧି କରିବ। ଆଗାମୀ ଦିନରେ ଏହି ମାନେ ହିଁ ଓଡ଼ିଶାର ବୈଜ୍ଞାନିକ ହୋଇ ରାଜ୍ୟର ନାମ ଉଜ୍ଜ୍ୱଳ କରିବେ। ବିଦ୍ୟାଳୟ ସଭାପତି ପୀତବାସ ଦୀକ୍ଷିତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂକୁଳ ପ୍ରମୁଖ ସୁରେନ୍ଦ୍ର କୁମାର ମାଣିକ, ଉପସଭାପତି ମନୋଜ କୁମାର ସାହୁ, ଶୈକ୍ଷିକ ପରାମର୍ଶଦାତା ପ୍ରମୋଦ କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇ ପିଲାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସୁବାସ ଚନ୍ଦ୍ର ସାମନ୍ତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏହି ମେଳାରେ କାକଟପୁର ସଂକୁଳର ୬ଟି ବିଦ୍ୟାଳୟ – କାକଟପୁର, ଅସ୍ତରଙ୍ଗ, ବାଲିଦୋକାନ, ଯୋଗେଶ୍ୱରପୁର, ଓଥକା ଓ ଆମପଡାର ପ୍ରାୟ ୭୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପିଲାମାନେ ବିଜ୍ଞାନ ପ୍ରକଳ୍ପ, ବିଜ୍ଞାନ ପ୍ରୟୋଗ, ଗଣିତ ପ୍ରକଳ୍ପ, ଗଣିତ ପ୍ରୟୋଗ ସହ ବିଭିନ୍ନ ପ୍ରଶ୍ନମଞ୍ଚରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଜଳ ସଂରକ୍ଷଣ, ସୌର ଶକ୍ତି, ପ୍ଲାଷ୍ଟିକ ବର୍ଜ୍ୟର ପ୍ରତିକାର, କୃଷିରେ ବିଜ୍ଞାନର ବ୍ୟବହାର ଭଳି ବିଷୟକୁ ନେଇ ପ୍ରକଳ୍ପ ଗୁଡିକ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ସଂକୁଳ ବିଜ୍ଞାନ ପ୍ରମୁଖ ନିବେଦିତା ପଣ୍ଡା ଓ ପ୍ରଦୀପ୍ତ କୁମାର ମିଶ୍ର ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହ ପ୍ରଧାନଆଚାର୍ଯ୍ୟା ଜୟନ୍ତୀ ବାଳା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ବିଦ୍ୟାଳୟର ଗୁରୁଜୀ ଓ ଗୁରୁମାମାନେ ମଧ୍ୟ ସହଯୋଗ କରିଥିଲେ।ଏଭଳି ମେଳା ପିଲାଙ୍କ ପାଠ୍ୟକ୍ରମ ବାହାରର ଜ୍ଞାନକୁ ବୃଦ୍ଧି କରିବା ସହ ସେମାନଙ୍କ ମଧ୍ୟରେ ନୂଆ ଆବିଷ୍କାର ପାଇଁ ଆଗ୍ରହ ସୃଷ୍ଟି କରୁଛି ବୋଲି ଅଭିଭାବକମାନେ ମତବ୍ୟକ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ