ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଠ୍ୟକ୍ରମ ପୁନଃସଜ୍ଜୀକରଣ କର୍ମଶାଳା

ନୀଳଗିରି,ତା,୦୮/୦୯(ଲେଲିନ୍  କୁମାର ଦେ): ଭାରତର ଶିକ୍ଷା ପରିଦୃଶ୍ୟକୁ ନୂତନ ଦିଗରେ ଆଗେଇ ନେବା ପାଇଁ ଜାତୀୟ ଶିକ୍ଷାନୀତି ୨୦୨୦ କେବଳ ଏକ ନୀତିନାମା ନୁହେଁ, ବରଂ ଆଗାମୀ ପିଢ଼ିକୁ ଦୃଢ଼ ଓ ସାମଗ୍ରିକ ଶିକ୍ଷା ଦେବାରେ ଏକ ପଥପ୍ରଦର୍ଶକ। ଏହି ପ୍ରସଙ୍ଗରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର  ଶିକ୍ଷା ବିଭାଗ ଦ୍ଵାରା ଆୟୋଜିତ ଦିନିକିଆ କର୍ମଶାଳାରେ, ଶିକ୍ଷକ-ଶିକ୍ଷା ପାଠ୍ୟକ୍ରମର ପୁନଃସଜ୍ଜୀକରଣ ଦିଗରେ ଏକ ପ୍ରାୟୋଗିକ ପଦକ୍ଷେପ ଭାବେ ଗ୍ରହଣ କରାଯାଇଛି। ବିଶ୍ବବିଦ୍ୟାଳୟର ସମ୍ମାନୀୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମହୋଦୟଙ୍କ ମାର୍ଗଦର୍ଶନ ଓ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ସଫଳ ଭାବରେ ଅନୁଷ୍ଠିତ ହୋଇପାରିଛି। ଏହି କାର୍ଯ୍ୟକ୍ରମରେ  ସମ୍ମାନୀତ ଅତିଥି ଭାବରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା  ଯୋଗଦେଇଥିଲେ । ଏଥିସହିତ ସ୍ନାତକୋତ୍ତର ଶିକ୍ଷା ବିଭାଗର ବିଭାଗ ମୁଖ୍ୟ ପ୍ରଫେସର ଅମୂଲ୍ୟ କୁମାର ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇଥିଲେ । ମୁଖ୍ୟ ବକ୍ତା ଭାବରେ ଆଞ୍ଚଳିକ ଶିକ୍ଷା ସାଧନ କେନ୍ଦ୍ର, ଭୁବନେଶ୍ୱରର‌ ଅଧ୍ୟକ୍ଷ  ଏସ . ସି. ପଣ୍ଡା ଯୋଗଦେଇ ପାଠ୍ୟଖସଡ଼ା ପ୍ରସ୍ତୁତି ବିଷୟରେ ସୂଚନା ପ୍ରଦାନ କରିଥିଲେ। ତତପରେ ବକ୍ତା ଭାବରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଝାଡ଼ଖଣ୍ଡର ପ୍ରାଧ୍ୟାପକ ଓ ଡିନ , ପ୍ରଫେସର ତପନ କୁମାର ବସନ୍ତିଆ ଯୋଗଦେଇ ପାଠ୍ୟଖସଡ଼ା ପ୍ରସ୍ତୁତିର ଗୁରୁତ୍ଵ ବିଷୟରେ ଆଲୋଚନା କରିଥିଲେ। ଉଦଘାଟନୀ ପର୍ବର ସମାପ୍ତିରେ ଶିକ୍ଷା ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ରଞ୍ଜନ କୁମାର ରାଉତ ମହୋଦୟ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଥମ ଅଧିବେଶନରେ ପ୍ରଫେସର ଏସ . ସି. ପଣ୍ଡା ନୂତନ ଶିକ୍ଷା ନୀତି ୨୦୨୦ ପାଇଁ ଶିକ୍ଷଣ ଶିକ୍ଷା ପାଠ୍ୟକ୍ରମର ପୁନଃସଜ୍ଜୀକରଣ ବିଷୟରେ ସବିଶେଷ  ଆଲୋଚନା କରିଥିଲେ। ଦ୍ବିତୀୟ ଅଧିବେଶନରେ ପ୍ରଫେସର ବସନ୍ତିଆ ମଧ୍ୟ ପାଠ୍ୟଖସଡ଼ା ପ୍ରସ୍ତୁତି ଓ ତାହାର ଦିଗ  ବିଷୟରେ ଆଲୋକପାତ କରିଥିଲେ। ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନଙ୍କ ବୟସ ଓ ସ୍ତର ଅନୁସାରେ ପାଠ୍ୟଖସଡ଼ା ପ୍ରସ୍ତୁତିର ଆବଶ୍ୟକତା ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ପାଠ୍ୟଖସଡ଼ାର ପୁନଃସଜ୍ଜୀକରଣ କିପରି ଶିକ୍ଷାର ମାନ ବୃଦ୍ଧି କରିପାରିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସମନ୍ୱିତ ବି.ଏଡ୍ -ଏମ୍.ଏଡ୍ ତୃତୀୟ ବର୍ଷର‌ ଛାତ୍ରୀ ସାଧନା କୁଣ୍ଡୁ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ