ସରିଲା ଅବଧି, ୧୫୧୬୯ ଚାଷୀ କଲେ ପଞ୍ଜିକରଣ ଫଟୋ
ହାଟଡିହି, (ଓ୍ବାଇଏନଏସ): ଖରିଫ ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟାର ଅବଧି ଶେଷ ହୋଇଛି। ପ୍ରଥମ ଦଫାରେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ବିଭିନ୍ନ ସମୟରେ ସର୍ଭର ସମସ୍ୟା ଦେଖାଦେବା ଯୋଗୁଁ ହାଟଡିହି ବ୍ଲକର ବହୁ ଚାଷୀ ନିଜ ନାମ ପଞ୍ଜିକରଣ କରିବାରୁ ବଞ୍ଚିତ ହୋଇଥିଲେ। ଏନେଇ ଚାଷୀମାନଙ୍କ ପକ୍ଷରୁ ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ଦାବି ହୋଇଥିଲା। ଚାଷୀଙ୍କ ଦାବିକୁ ବିଚାରକୁ ନେଇ ସରକାର ପଞ୍ଜିକରଣ ପାଇଁ ଆଉ ଗୋଟିଏ ସପ୍ତାହ ସମୟ ବୃଦ୍ଧି କରିଥିଲେ। ଫଳରେ ପଞ୍ଜିକରଣରୁ ବଞ୍ଚିତ ଚାଷୀମାନେ ନିଜ ନାମ ପଞ୍ଜିକରଣ କରିବାର ସୁଯୋଗ ପାଇଥିଲେ। ତେବେ ବର୍ଦ୍ଧିତ ଅବଧି ମଧ୍ୟ ଶେଷ ହୋଇଯାଇଥିବା ଜଣାଯାଇଛି। ଚଳିତବର୍ଷ ହାଟଡିହି ବ୍ଲକରେ ଗତବର୍ଷ ତୁଳନାରେ ୧୭୭୮ ଜଣ ଅଧିକ ଚାଷୀ ଧାନ ବିକ୍ରି ପାଇଁ ନିଜ ନାମ ପଞ୍ଜିକୃତ କରିଛନ୍ତି। ଗତବର୍ଷ ମୋଟ ୧୩୪୦୧ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିଥିବାବେଳେ ଚଳିତବର୍ଷ ବ୍ଲକର ୧୪ଟି ସେବା ସମବାୟ ସମିତି ମାଧ୍ୟମରେ ମୋଟ ୧୫୧୬୯ ଜଣ ଚାଷୀ ନିଜ ନାମ ପଞ୍ଜିକରଣ କରିଛନ୍ତି। ସମିତି ଅନୁସାରେ ଦେଖିଲେ, ମରେଇଗାଁ ସେବା ସମବାୟ ସମିତି ଅଧୀନରେ ସର୍ବାଧିକ ୧୯୭୧ ଜଣ ଚାଷୀ ନାମ ପଞ୍ଜିକୃତ କରିଛନ୍ତି। ସେହିପରି ସଢା ସେବା ସମବାୟ ସମିତିରେ ୧୪୭୮ ଜଣ, ଡଅଁର ସେବା ସମବାୟ ସମିତିରେ ୧୨୮୫ ଜଣ, କଳିଗାଁ ସେବା ସମବାୟ ସମିତିରେ ୧୦୧୮ ଜଣ, ଗେଡ଼ମା ସେବା ସମବାୟ ସମିତିରେ ୬୯୨ ଜଣ, ସମଣା ସେବା ସମବାୟ ସମିତିରେ ୧୬୦୦ ଜଣ, ବଡ଼ରମ୍ପାସ ସେବା ସମବାୟ ସମିତିରେ ୧୨୫୫ ଜଣ, ସୋସୋ ସେବା ସମବାୟ ସମିତିରେ ୧୧୦୭ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ଅନ୍ୟପକ୍ଷରେ ଓରାଳି ସେବା ସମବାୟ ସମିତିରେ ୬୩୪ ଜଣ, ଆମ୍ବୋ ସେବା ସମବାୟ ସମିତିରେ ୪୫୦ ଜଣ, ବାଙ୍ଗୋର ସେବା ସମବାୟ ସମିତିରେ ୧୧୯୯ ଜଣ, ସୁଲଣ ସେବା ସମବାୟ ସମିତିରେ ୩୭୪ ଜଣ, ଢେଙ୍କା ସେବା ସମବାୟ ସମିତିରେ ୮୫୫ ଜଣ ଏବଂ ମୁଗୁପୁର ସେବା ସମବାୟ ସମିତିରେ ୧୨୪୩ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ଜଣାଯାଇଛି। ତେବେ ପଞ୍ଜିକରଣ ଅବଧି ସରିଯାଇଥିଲେ ମଧ୍ୟ ମରେଇଗାଁ ସେବା ସମବାୟ ସମିତି ଅଧୀନରେ ୪୦ରୁ ଊର୍ଦ୍ଧ୍ୱ ଚାଷୀ ନାମ ପଞ୍ଜିକରଣ କରିପାରିନଥିବା ଜଣାଯାଇଛି। ସର୍ଭର ସମସ୍ୟା ଓ ବିଭିନ୍ନ ବୈଷୟିକ ତ୍ରୁଟି ଯୋଗୁଁ ଏହି ଚାଷୀମାନେ ପଞ୍ଜିକରଣରୁ ବଞ୍ଚିତ ହୋଇଥିବା କୁହାଯାଉଛି। ଏପରିସ୍ଥଳେ ବଞ୍ଚିତ ଚାଷୀମାନଙ୍କୁ ଧାନ ବିକ୍ରିର ସୁଯୋଗ ଦେବା ପାଇଁ ପୁନର୍ବାର ପଞ୍ଜିକରଣ ଅବଧି ବୃଦ୍ଧି କରାଯିବ କି ନାହିଁ, ତାହାକୁ ନେଇ ଚାଷୀମହଲରେ ଆଶା ଓ ଆଶଙ୍କା ଦେଖାଦେଇଛି।


