ପିଏମ୍ ପୋଷଣ ପୋର୍ଟାଲରେ ମଧ୍ୟାହ୍ନଭୋଜନ ତଥ୍ୟ ପ୍ରଦାନରେ ବିଳମ୍ବ: ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ୱାରା ୧୨ ସ୍କୁଲର ଦରମା ବନ୍ଦ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ୭୭ଟି ବିଦ୍ୟାଳୟ ରହିଥିବା ବେଳେ ୪୫୮୦ଜଣ ଛାତ୍ରଛାତ୍ରୀ ନାମ ପଂଜୀକରଣ କରିଛନ୍ତି। ସେପ୍ଟେମ୍ବର ୧୯ ତାରିଖ ୧ଟା ୩୫ ସୁଦ୍ଧା କିଛି ବିଦ୍ୟାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ପୋଷଣ ପୋର୍ଟାଲରେ ମଧ୍ୟାହ୍ନ ଭୋଜନର ତଥ୍ୟ ପ୍ରଦାନ କରାଯାଇ ନ ଥିବା ବେଳେ ସେପ୍ଟେମ୍ବର ୨୦ ତଥା ଶନିବାର ୧୦ଟା ସୁଦ୍ଧା ମଧ୍ୟ କିଛି ବିଦ୍ୟାଳୟ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇ ନଥିବା ପୋର୍ଟାଲ ଜଣାଯାଇଥିଲା। ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର ତଦନ୍ତ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ନାଉଗାଁ ବ୍ଲକ ଶିକ୍ଷାଧିକାରୀଙ୍କ ଦ୍ୱାରା ତଦନ୍ତ କରାଯାଇଥିଲା। ଏହି ତଦନ୍ତରେ ୧୨ଟି ବିଦ୍ୟାଳୟ ଧାର୍ଯ୍ୟ ସମୟ ମଧ୍ୟରେ ପିଏମ୍ ପୋଷଣ ପୋର୍ଟାଲରେ ମଧ୍ୟାହ୍ନଭୋଜନ ତଥ୍ୟ ପ୍ରଦାନ କରି ନଥିବା ବ୍ଲକ ଶିକ୍ଷାଧିକାରୀ ଜଣିବାକୁ ପାଇଥିଲେ। ଫଳରେ ଏହି ୧୨ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅକ୍ଟୋବର ମାସର ଦରମା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ମାରଡା ପ୍ରୋଜେକ୍ଟ ଯୁପି ସ୍କୁଲ,ରୋହିଆ ପ୍ରାଥମିକ ବିଦ୍ୟାଳୟ, ନୂଆଗାଁ ୟୁପି ସ୍କୁଲ,ଖଇରାଗଡ ପ୍ରାତମିକ ବିଦ୍ୟାଳୟ, ଗଜରାଜପୁର ପ୍ରାଥମିକ ବିଦ୍ୟାଳୟ, ଭଟଣା ପ୍ରୋଜେକ୍ଟ ୟୁପି ସ୍କୁଲ, ଅଲଣା-୨ ପ୍ରାଥମିକ ବିଦ୍ୟାଳୟ, ତେଲଘଡି ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ, ନାରିସିମା ପ୍ରାଥମିକ ବିଦ୍ୟାଳୟ, କୋରୁଅ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ମଠସାହି ପ୍ରାଥମିକ ବିଦ୍ୟାଳୟ,ବିଏନ ୟୁପିଏସ ଦହିପାଳକୁ ନେଇ ୧୨ଟି ବିଦ୍ୟାଳୟର ଦରମା ବନ୍ଦ କରାଯାଇଥିବା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ପତ୍ର(ସଂଖ୍ୟା-୨୦୫୩/୦୯/୧୦/୨୦୨୫)ରୁ ଜଣାଯାଇଛି। ସେହିପରି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ୩ଟି ଉଚ୍ଚ ବିଦ୍ୟାଳୟ ସେପ୍ଟେମ୍ବର ୧୯ ଓ ସେପ୍ଟମ୍ବର ୨୦ ର ମଧ୍ୟାହ୍ନଭୋଜନ ରିପୋର୍ଟ ଦାଖଲ ନ କରିବା ହେତୁ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନୁରୋଧ କରାଯାଇଥିବା ଜଣାଯାଇଛି। କମଳଲୋଚନ ଉଚ୍ଚ ବିଦ୍ୟାଳୟ,ସୁଦ୍ଧକଣ୍ଠି, ରୋହିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ଆଦିକୁ ମିଶାଇ ୩ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉପରେ ଶୃଙ୍ଗଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ପତ୍ର (ସଂଖ୍ୟା-୨୦୫୨/ତା୦୯/୧୦/୨୦୨୫)ରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନୁରୋଧ କରାଯାଇଛି। ସୂଚନାନୁସାରେ ସେପ୍ଟେମ୍ବର ୧୯ ତାରିଖ ୧ଟା ୩୫ ସୁଦ୍ଧା ମଧ୍ୟାହ୍ନଭୋଜନ ପୋର୍ଟାଲ ତଥ୍ୟ ଅନୁସାରେ ୪୬ଟି ବିଦ୍ୟାଳୟରୁ ୧୯୮୨ଜଣଙ୍କ ନାମ ମଧ୍ୟାହ୍ନଭୋଜନ ଖାଇବା ପାଇଁ ରିପୋର୍ଟ କରାଯାଇଥିବା ବେଳେ ୩୧ଟି ବିଦ୍ୟାଳୟର ୨୫୯୫ଜଣ ଛାତ୍ରଛାତ୍ରୀଙ୍କର ରିପୋର୍ଟ କରାଯାଇନଥିଲା। ସେହିପରି ସେପ୍ଟେମ୍ବର ୨୦ ତଥା ଶନିବାର ୧୦ଟା ସୁଦ୍ଧା ମଧ୍ୟାହ୍ନଭୋଜନ ପୋର୍ଟାଲ ତଥ୍ୟ ଅନୁସାରେ ୨୪ଟି ବିଦ୍ୟାଳୟରୁ ୯୫୨ଜଣଙ୍କ ନାମ ମଧ୍ୟାହ୍ନଭୋଜନ ଖାଇବା ପାଇଁ ରିପୋର୍ଟ କରାଯାଇଥିବା ବେଳେ ୫୩ ଟି ବିଦ୍ୟାଳୟର ୩୬୨୫ ଜଣ ଛାତ୍ରଛାତ୍ରୀଙ୍କର ରିପୋର୍ଟ କରାଯାଇ ନଥିବା ପିଏମ୍ ପୋଷଣ ପୋର୍ଟାଲରୁ ଜଣାଯାଇଥିଲା।