ଅନାଥ ୪ଶିଶୁଙ୍କୁ ସହାୟତା ପାଇଁ ଦାବି

ହାଟଡିହି -(ବିକାଶ ବିଶ୍ବାଳ): ବାପା ମା ଙ୍କୁ ହରାଇ ଅନାଥ ହୋଇଛନ୍ତି ୪ଜଣ ଶିଶୁ। କେହି ସମ୍ପର୍କୀୟ ନଥିବାରୁ ଅସହାୟ ହୋଇ ପଡିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ହାଟଡିହି ବ୍ଲକ କେ ବାଲିପାଳ ପଞ୍ଚାୟତ ମଲିପଶି ଗ୍ରାମରେ। ଗ୍ରାମର ବଳରାମ ଶଙ୍ଖୁଆଳ ଜଣେ ଆଦିବାସୀ ପରିବାର ବ୍ୟକ୍ତି ହୋଇଥିବା ବେଳେ ଘରେ ନିଜ ପତ୍ନୀ ଓ ଚାରି ଛୁଆ ଙ୍କୁ ନେଇ ସଂସାର। ତାଙ୍କର ଆର୍ଥିକ ସ୍ଥିତି ସେତେ ଭଲ ନୁହଁ। ମୂଲ ମଜୁରୀ ଲାଗି ପରିବାର ଚଳାଇଥିଲେ। ଗତ ୬ ମାସ ତଳେ ବଳରାମ ଅକସ୍ମାତ ଆର ପାରିକୁ ଚାଲିଗଲେ। ତାଙ୍କ ମୃତ୍ୟୁ ପରେ ବିଧବା ପତ୍ନୀ ଖଇର ଶଙ୍ଖୁଆଳ ଯେଣେ ତେଣେ ପ୍ରକାର ପରିବାରକୁ ସମ୍ଭାଳି ନେଇଥିଲେ। କିନ୍ତୁ ବିଧିର ବିଧାନ ଥିଲା ଭିନ୍ନ। ଗତ ୬ଦିନ ତଳେ ଖଇରଙ୍କ ପରଲୋକ ହୋଇଗଲା। ଏବେ ୪ଜଣ ଯାକ ଶିଶୁ ଅନାଥ ହୋଇଯାଇଛନ୍ତି। ବଡ ଝିଅ ଜ୍ୟୋତ୍ସ୍ନା (୧୬) ୫ମ ଶ୍ରେଣୀ ଯାଏଁ ପାଠ ପଢିଥିବା ବେଳେ ଏବେ ଛୁଆ ଙ୍କ ଦାୟିତ୍ଵ ନେଉଛନ୍ତି। ସେହିପରି ୧୧ବର୍ଷର ପୁଅ ରଞ୍ଜନ, ୯ବର୍ଷର ଝିଅ ବର୍ଷାରାଣୀ, ଓ ୬ବର୍ଷର ପୁଅ ଗୁରୁଦେବ ଏବେ ପିତୃ ମାତୃହୀନ ହୋଇପଡ଼ି ଛନ୍ତି। ତାଙ୍କର କେହି ସମ୍ପର୍କୀୟ ନଥିବାରୁ ପଡ଼ୋଶୀଙ୍କ ସହଯୋଗରେ ଜ୍ୟୋତ୍ସ୍ନା ହିଁ ସମସ୍ତ ଦାୟିତ୍ବ ତୁଲାଉଛନ୍ତି। ଅସହାୟ ପରିବାର ସମ୍ପର୍କରେ ଖବର ପାଇ ବିଜେପି ନେତା ଵିବେକାନନ୍ଦ ରାଉତ, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଟିକି କିସ୍କୁ ତାଙ୍କ ଘରକୁ ଯାଇ ଖାଇରଙ୍କ ଶୁଦ୍ଧିକ୍ରିୟା ପାଇଁ ସହାୟତାର ହାତ ବଢ଼ାଇବା ସହ ଅସହାୟ ଶିଶୁ ମାନଙ୍କ ପଢ଼ାପଢ଼ି ଓ ଭରଣ ପୋଷଣ ପାଇଁ ବିଡ଼ିଓ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ