ବିଶିଷ୍ଟ ଶିକ୍ଷାବିତ ଚୂଡ଼ାମଣି ଘଡେଇଙ୍କ ପରଲୋକ

ହାଟଡିହି (ଓ୍ବାଇଏନଏସ): ବିଶିଷ୍ଟ ଶିକ୍ଷାବିତ ଚୂଡ଼ାମଣି ଘଡେଇଙ୍କର ଆଜି ୭୮ ବର୍ଷ ବୟସରେ ବାଙ୍ଗାଲୋର ଠାରେ ଦେହାନ୍ତ ହୋଇ ଯାଇଛି। ସେ କିଛିଦିନ ଧରି ବ୍ରେନ ଟ୍ୟୁମର ଯୋଗୁଁ ଅସୁସ୍ଥ ଥିବା ଯୋଗୁଁ ତାଙ୍କୁ ଅପରେସନ ପାଇଁ ବାଙ୍ଗାଲୋର ନିଆ ଯାଇଥିଲା। ସେଠାରେ ଆଜି ମଧ୍ୟାହ୍ନ ରେ ତାଙ୍କର ପରଲୋକ ଘଟିଥିଲା। ମୃତ୍ୟୁଶଯ୍ୟା ନିକଟରେ ପୁଅ ପ୍ରକାଶ ଓ ବିକାଶ ଉପସ୍ଥିତ ଥିଲେ। ସେ ହାଟଡିହି ଅଞ୍ଚଳର ଜଣେ ଲବ୍ଧପ୍ରତିଷ୍ଠିତ ଶିକ୍ଷାବିତ୍ ଥିଲେ। ହାଟଡିହି ନିମ୍ନ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟକରି ଅବସର ନେଇଥିବା ବେଳେ ହାଟଡିହି ବ୍ଲକ ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ତାଙ୍କର ଅତୁଳନୀୟ ଅବଦାନ ଥିଲା। ସେ ଜଣେ ସୁବକ୍ତା, ଅଗାଧ ପାଣ୍ଡିତ୍ୟସମ୍ପନ୍ନ ଏବଂ ସ୍ୱାଭିମାନୀ ମଣିଷ ଭାବରେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ଶିକ୍ଷକତା ଭିତରେ ସେ ଏପରି ଅନେକ ଛାତ୍ରଛାତ୍ରୀ ସୃଷ୍ଟି କରିଛନ୍ତି ଯେଉଁମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି। ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ପରଲୋକରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ବିଧାୟକ ମାୟାଧର ଜେନା, ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ପରିଷଦ ବିମ୍ବାଧର ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହାଟଡିହି ସରପଞ୍ଚ ଚିନ୍ମୟ ନାୟକ, ପନ୍ଦାଡୋ ସରପଞ୍ଚ ସସ୍ମିତା ଓଝାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଆସନ୍ତା କାଲି ତାଙ୍କ ମରଶରୀର ତାଙ୍କ ପନ୍ଦାଡୋ ସ୍ଥିତ ପୈତୃକ ବାସଭବନରେ ପହଞ୍ଚିବ ବୋଲି ପରିବାର ଲୋକେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ