ଦାନ୍ତ ଚିକିତ୍ସା ଓ ସଚେତନତା ଶିବିର ଅନୁଷ୍ଠିତ
ଝାରପୋଖରିଆ,(ଭଗୀରଥ ମହାନ୍ତ): ସାରସକଣା ବ୍ଲକ୍ ଅନ୍ତର୍ଗତ ଝାରପୋଖରିଆ ବମ୍ୱେଛକସ୍ଥିତ ଓଡ଼ିଶା ବ୍ରିଗେଡ୍ ସ୍କୁଲ୍ ପରିସରରେ ଦାନ୍ତ ଚିକିତ୍ସା ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶ୍ରୀ ସତ୍ୟସାଇ ସେବା ସଂଗଠନ , ଓଡ଼ିଶା ଓ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସ, ଭୁବନେଶ୍ବରର ମିଳିତ ପ୍ରଚେଷ୍ଟାରେ ଏହି ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସେସ୍ (କେ.ଆଇ.ଡ଼ି.ଏସ୍.)ର ପେଡୋଡୋଣ୍ଟିକ୍ସ ଏବଂ ପ୍ରିଭେଣ୍ଟିଭ୍ ଡେଣ୍ଟିଷ୍ଟ୍ରି ବିଭାଗର ପ୍ରଫେସର ଡାକ୍ତର ଆନନ୍ଦମୟ ବାଗଚି ଏବଂ ଡାକ୍ତର ପି.ଭି. ସମୀରଙ୍କ ତତ୍ତ୍ୱାବଧାନରେ ଚାରି ଜଣ ସ୍ନାତକୋତ୍ତର ଛାତ୍ର ଏବଂ ନଅ ଜଣ ହାଉସ୍ ସର୍ଜନ , ସର୍ବମୋଟ ପନ୍ଦର ଜଣିଆ ଦାନ୍ତ ଚିକିତ୍ସକ ଓ ବିଶେଷଜ୍ଞ ଦଳ ବିଦ୍ୟାଳୟକୁ ଆସି ଛାତ୍ର ଛାତ୍ରୀ ମାନଙ୍କର ଦାନ୍ତ ପରୀକ୍ଷା କରିଥିଲେ । ଏହି ଶିବିରରେ ସମୁଦାୟ ଦୁଇ ଶହ ପାଞ୍ଚ ଜଣ ଛାତ୍ର ଛାତ୍ରୀ ମାନଙ୍କର ଦାନ୍ତ ପରୀକ୍ଷା ଏବଂ ଆବଶ୍ୟକୀୟ ଚିକିତ୍ସା କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କୁ ଦାନ୍ତ ଓ ମୁଖର ସ୍ୱାସ୍ଥ୍ୟର ଯତ୍ନ, ସଠିକ୍ ଭାବେ ଦାନ୍ତ ଘଷିବା, ଦିନକୁ ଦୁଇଥର ଦାନ୍ତ ସଫା କରିବା, ନିୟମିତ ଦାନ୍ତ ପରୀକ୍ଷା କରାଇବା ଏବଂ ମୁଖ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ସମ୍ପର୍କରେ ବିଶେଷଜ୍ଞ ମାନେ ସଚେତନ କରିଥିଲେ । ଆବଶ୍ୟକତା ଅନୁଯାୟୀ ଛାତ୍ର ଛାତ୍ରୀ ମାନଙ୍କୁ ଚିକିତ୍ସା ସମ୍ପର୍କିତ ପରାମର୍ଶ ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ନିଃଶୁଳ୍କ ସେବା କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦାନ୍ତର ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ସହିତ ସୁସ୍ଥ ଜୀବନ ଯାପନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପରିଗଣିତ ହୋଇଥିଲା। ବିଦ୍ୟାଳୟ ପକ୍ଷରୁ ସମ୍ପାଦକ ସାଇକୃପା ଜେନା , କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ୍ ସାଇନ୍ସ , ଭୁବନେଶ୍ୱରର ସମସ୍ତ ଚିକିତ୍ସକ ଓ ସହଯୋଗୀ ମାନଙ୍କୁ ଏହି ମୂଲ୍ୟବାନ ସେବା ପାଇଁ କୃତଜ୍ଞତା ଜଣାଇଥିଲେ ।


