ଆସିକାରେ କୃମି ନାଶକ ଔଷଧ ସେବନ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍) : ଜାତୀୟ କୃମିନାଶକ ଦିବସ ପାଳନ ଅବସରରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ୍ରମେ ବାଲିସିରା ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମଙ୍ଗଳବାର ଆସିକା ବ୍ଳକ ଓ ଏନଏସି ଅଧିନସ୍ଥ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ଶିକ୍ଷାନୁଷ୍ଟାନ ଓ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ୧ରୁ ୧୯ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କ ସକାଶେ କୃମି ନାଶକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। କୃମି ନାଶକ ଔଷଧ ଖାଇନଥିବା ପିଲା ମାନେ ଆସନ୍ତା ୧୭ତାରିଖରେ ପୁଣିଥରେ ଦ୍ୱିତୀୟ ରାଉଣ୍ଡରେ ଏହି ଔଷଧ ଖାଇବେ ବୋଲି କାର୍ଯ୍ୟକ୍ରମ ରହିଛି। ପିଲାମାନଙ୍କ କ୍ଷେତ୍ରରେ କୃମି ସଂକ୍ରମଣର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୃମି ନାଶକ ଦ୍ରବଣ / ବଟିକା ୧ବର୍ଷରୁ ୧୯ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ଦିଆଯାଇଥବା ଜଣାପଡିଛି। ପିଲାଙ୍କ ଦେହରେ କୃମି ଥିଲେ ପୁଷ୍ଟିହୀନତା ଓ ରକ୍ତହୀନତା ଯୋଗୁଁ ଦୁର୍ବଳ ଅନୁଭବ କରିବା ସାଙ୍ଗକୁ ସେମାନଙ୍କ ମାନସିକ ଓ ଶାରୀରିକ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ। କୃମି ନାଶକ ଔଷଧ ଖାଇଲେ ପିଲା ମାନେ ଉତ୍ତମ ସ୍ୱାସ୍ଥ୍ୟ ପାଇବା ସହ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରରେ ସେମାନଙ୍କ ଉପସ୍ଥାନ ବଢିଥାଏ ଓ ସୁସ୍ଥ ସମାଜ ଗଠନ ହେବା ସାଙ୍ଗକୁ ରକ୍ତହୀନତା ଓ ଅପପୃଷ୍ଟିରୁ ସୁରକ୍ଷା ଦିଆଯାଇଥାଏ। ଆଜି ଅନୁଷ୍ଟିତ ହୋଇଥିବା କୃମି ନାଶକ ଔଷଧ ସେବନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ କ୍ଳଷ୍ଟରର ସିଆର୍ସିସି, ଶିକ୍ଷାନୁଷ୍ଠାନ ଗୁଡିକର ଶିକ୍ଷକ, ଏଏନଏମ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ସୁପରଭାଇଜର ମାନେ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା। ବାଲିସିରା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମଧୂସୁଦନ ବାରିକ, ଆୟୁଷ୍ ଡାକ୍ତର ଅକ୍ଷୟ କୁମାର ପାଣିଗ୍ରାହୀ, ବିପିଏମ୍ ସାଗରିକା ମିଶ୍ର, ପିଏଚ୍ଇଓ କୁବେର ପାତ୍ର, ଆସିକାର ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା ଓ ଭଂଜ ବେହେରାଙ୍କ ସମେତ ସମସ୍ତ ସିଆରସିସି, ଶିକ୍ଷକ ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ସମ୍ପାଦନ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ଲକ୍ଷ୍ୟ କରାଯାଇଥିଲା। ଜାତୀୟ କୃମିନାଶକ ଦିବସ ପାଳନ ଅବସରରେ ଆସିକା ବ୍ଳକ ଅନ୍ତର୍ଗତ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପରିସରରେ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ବେଳେ ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗର ବହୁ କର୍ମଚାରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


