ଅସ୍ତରଙ୍ଗ ଝାଉଁ ଗଛ ଦୁର୍ନୀତି ଅଭିଯୋଗ ପରେ ଡିଏଫଓଙ୍କ ତଦନ୍ତ ଆଦେଶ

କାକଟପୁର /ଅସ୍ତରଙ୍ଗ, (ଶୁଭାଶିଷ ଖଣ୍ଡୁଆଳ): ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳରେ ଝାଉଁ ଚାରା ରୋପଣ ନାଁରେ କୋଟିଏ ଟଙ୍କାର ଘୋଟାଲା ଅଭିଯୋଗ ଏବେ ଗମ୍ଭୀର ରୂପ ନେଇଛି। ସ୍ଥାନୀୟ ଫିଲୁ ବେହେରାଙ୍କ ସମେତ ଗ୍ରାମବାସୀମାନେ ପ୍ରଥମେ ଏନେଇ ସ୍ୱର ଉଠାଇଥିଲେ। ଅଭିଯୋଗକାରୀଙ୍କ କହିବା ଅନୁସାରେ ୨୦୨୪-୨୫ ମସିହାରେ କାମ୍ପା ଓ ମନରେଗା ଯୋଜନାରେ ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧୀନ ସହନଠାରୁ ଗଙ୍ଗାଦେବୀ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଝାଉଁ ଚାରା ରୋପଣ କରାଯାଇଥିବା କାଗଜରେ ଦେଖାଯାଉଛି। କିନ୍ତୁ ଜମି ସ୍ତରରେ ଯାଞ୍ଚ କଲେ କେବଳ ଶୁଖିଲା ବାଲି ଓ ଡାଙ୍ଗ ମିଳୁଛି। “ଆମେ କୌଣସି ଚାରା ରୋପଣ ଦେଖିନାହୁଁ, ହେଲେ ଟଙ୍କା ଉଠିଯାଇଛି” ବୋଲି ଫିଲୁ ବେହେରା କହିଛନ୍ତି। ଗତ ୪ ତାରିଖରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ହଲଚଲ ହୋଇଥିଲା। ଏହା ପରେ ଅଗଷ୍ଟ ୯ ତାରିଖରେ ରୁଦ୍ରପ୍ରସାଦ ଲେଙ୍କା ଓ ଅମିୟ ରଞ୍ଜନ ବାରିକ ଜନଶୁଣାଣୀ ପୋର୍ଟାଲରେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅଭିଯୋଗ ପାଇବା ପରେ ଏହା ଜଙ୍ଗଲ ସଚିବ ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ ମାଧ୍ୟମରେ ଘୂରି ଅଗଷ୍ଟ ୧୦ ତାରିଖରେ ପୁରୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀଙ୍କ ଙ୍କ ପାଖରେ ପହଞ୍ଚିଥିଲା। ପ୍ରସଙ୍ଗର ଗୁରୁତ୍ୱ ଦେଖି ଡିଏଫଓ ଅଗଷ୍ଟ ୧୩ ତାରିଖରେ ଦୁଇଟି ମେମୋ ଜାରି କରିଛନ୍ତି। ମେମୋ ନମ୍ବର ୫୩୯୯/୧ଏଫ /୨୦୨୬ ରେ ସହକାରୀ ବନ ସଂରକ୍ଷକ ନୀଳମାଧବ ସାହୁଙ୍କୁ ଅତ୍ୟନ୍ତ ଜରୁରୀ ଓ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଚିହ୍ନିତ କରି ୧୦ ଦିନରେ ତଦନ୍ତ ରିପୋର୍ଟ ମାଗିଛନ୍ତି। ଅନ୍ୟ ମେମୋ ୫୪୦୦ ରେ ଅସ୍ତରଙ୍ଗ ରେଞ୍ଜ ଅଧିକାରିଣୀଙ୍କୁ ସମସ୍ତ ନଥି ପତ୍ର ସହ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଲୋକଙ୍କ ଅଭିଯୋଗ ଅନୁସାରେ ଖବର ପ୍ରକାଶ ପରେ ତଡାହୁଡା କରି ରାତିରେ ଚାରା ଆଣୀ ଭୋରୁ ରୋପଣ କରାଯାଇଥିଲା। ଆହୁରି ଗୁରୁତର ଅଭିଯୋଗ ହେଉଛି ଯେ ମଷ୍ଟର ରୋଲରେ ନାମ ଥିବା ଅନେକ ଲୋକ କାମ କରିନଥିଲେ ମଧ୍ୟ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ଅସ୍ତରଙ୍ଗ ଉପକୂଳରେ ଝାଉଁ ଜଙ୍ଗଲ ବାତ୍ୟା ଓ ସମୁଦ୍ର କ୍ଷୟରୁ ରକ୍ଷା କରେ। ପୁରୀ ସ୍ୱର୍ଗଦ୍ୱାରର ଶେଷକୃତ୍ୟ ପାଇଁ ଝାଉଁ କାଠ ମଧ୍ୟ ଏଠାରୁ ଯାଏ। ଏପରି ଗୁରୁତ୍ୱପୂର୍ଣ୍ଣ ଜଙ୍ଗଲକୁ ନେଇ ଦୁର୍ନୀତି ହେବା ଅତ୍ୟନ୍ତ ନିନ୍ଦନୀୟ। ଲୋକଙ୍କ ଦାବି ହେଉଛି କେବଳ ତଳସ୍ତରର କର୍ମଚାରୀ ନୁହେଁ, ବିଲ୍ ପାସ୍ କରିଥିବା ବନପାଳ ଓ ଉଚ୍ଚ ଅଧିକାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ। ସଠିକ ତଦନ୍ତ ନହେଲେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ