କେନ୍ଦୁଘାଟ ଗାଁରେ ଝାଡ଼ାବାନ୍ତି, ୮ ବର୍ଷର ଝିଅର ମୃତ୍ୟୁ ଅଭିଯୋଗ
ନବରଙ୍ଗପୁର, (ୱାଇଏନଏସ): କେନ୍ଦୁଘାଟ ଗାଁରେ ଝାଡ଼ାବାନ୍ତି ଓ ଜ୍ୱର ରେ ଆକ୍ରାନ୍ତ ହୋଇ ୭ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଖବର ପାଇ ଗାଁରେ ପହଞ୍ଚିଛି ରାପିଡ୍ ରେସ୍ପନ୍ସ ଟିମ୍ ଓ ମୋବାଇଲ୍ ହେଲ୍ଥ୍ ୟୁନିଟ୍ । ପାନୀୟ ଜଳ ନମୁନା ପରୀକ୍ଷା ସହ ନଳକୂପର କ୍ଲୋରିନେସନ୍ ପାଇଁ ପଦକ୍ଷେପ ନିଆଯାଇଛି। ନବରଙ୍ଗପୁର ଜିଲ୍ଲା ତୋରା ପଞ୍ଚାୟତ ଅଧୀନ କେନ୍ଦୁଘାଟ ଗାଁରେ ଝାଡ଼ାବାନ୍ତି ଓ ଜ୍ୱର ବ୍ୟାପିବା ନେଇ ଚିନ୍ତା ପ୍ରକାଶ ପାଇଛି । ଗାଁରେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ସହ କେତେକଙ୍କୁ ଜ୍ୱର ହେଉଥିବା ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ପଦକ୍ଷେପ ନେଇଛି ।ସୂଚନା ମିଳିବା ପରେ ରାତିରେ ହିଁ ଗାଁକୁ ଚିକିତ୍ସା ଟିମ୍ ପଠାଯାଇଥିଲା । ପ୍ରାଥମିକ ଭାବେ ପ୍ରାୟ ୧୦ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା । ସେଥିମଧ୍ୟରୁ ୩ ଜଣଙ୍କୁ ଔଷଧ ଦେଇ ଚିକିତ୍ସା କରାଯାଇଥିବା ବେଳେ ଅନ୍ୟ ୭ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ପୂଜାରୀଗୁଡ଼ା ସିଏଚସିକୁ ରେଫର୍ କରା ଯାଇଥିଲା । ରାତିରେ ହିଁ ସେମାନେ ସିଏଚସିରେ ଭର୍ତ୍ତି ହୋଇଥିବା ବେଳେ ବର୍ତ୍ତମାନ ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।ତେବେ ଏହି ଘଟଣା ମଧ୍ୟରେ ଜଣେ ୮ ବର୍ଷର ଶିଶୁଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ଉଦୟନାଥ ଗୌଡ଼ଙ୍କ ପକ୍ଷରୁ ଦାବି କରାଯାଇଛି । ଶିଶୁଙ୍କୁ ଚିକିତ୍ସାଳୟ ନେବା ପାଇଁ ଆମ୍ବୁଲାନ୍ସ ଆସିପାରିନଥିଲା ଏବଂ ରାସ୍ତା ଖରାପ ଥିବାରୁ ଏଭଳି ସମସ୍ୟା ହୋଇଥିବା ଅଭିଯୋଗ ହୋଇଛି ।ପୂଜାରୀଗୁଡ଼ା ସିଏଚସିର ମେଡିକାଲ ଅଫିସର ଡା. ପତିତପାବନ ଦ୍ୱିବେଦୀଙ୍କ ତତ୍ତ୍ୱାବଧାନରେ ୭ ଜଣଙ୍କ ଚିକିତ୍ସା ଚାଲିଛି । ଏପଟେ ଗାଁର ସ୍ଥିତି ଅନୁଧ୍ୟାନ ପାଇଁ ରାପିଡ୍ ରେସ୍ପନ୍ସ ଟିମ୍ ସହ ମୋବାଇଲ୍ ହେଲ୍ଥ୍ ୟୁନିଟ୍ ପହଞ୍ଚିଛି । ଟିମ୍ ପକ୍ଷରୁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିକିତ୍ସା ଦିଆଯାଉଛି । ଏପର୍ଯ୍ୟନ୍ତ ପ୍ରାୟ ୩୦ ଜଣଙ୍କୁ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି ।ସମ୍ଭାବ୍ୟ କାରଣ ଜାଣିବା ପାଇଁ ଗାଁର ପାନୀୟ ଜଳ ଉତ୍ସରୁ ନମୁନା ସଂଗ୍ରହ କରି ପରୀକ୍ଷା କରାଯିବ ବୋଲି ଟିମ କହିଛି । ନଳକୂପଗୁଡ଼ିକର କ୍ଲୋରିନେସନ୍ ପାଇଁ ଜଳ ଓ ପରିମଳ ବିଭାଗକୁ ଅବଗତ କରାଯାଇଛି ।ଘଟଣା ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନକୁ ଅବଗତ କରାଯିବା ପରେ ଏଡିଏମଓ ନବରଙ୍ଗପୁର ଡା. ମଳୟ ତ୍ରିପାଠୀଙ୍କ ନିର୍ଦ୍ଦେଶରେ ଜିଲ୍ଲାସ୍ତରୀୟ ରେସ୍ପନ୍ସ ଟିମ୍ ମଧ୍ୟ ପଠାଯାଉଛି । ଗାଁର ସମ୍ପୂର୍ଣ୍ଣ ସ୍ଥିତି ଅନୁଧ୍ୟାନ ସହ ଆବଶ୍ୟକ ଚିକିତ୍ସା ଓ ପ୍ରତିଷେଧକ ପଦକ୍ଷେପ ନିଆଯିବ ।ଗାଁରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ନଜର ରଖିଥିବା ବେଳେ ପାନୀୟ ଜଳର ନମୁନା ପରୀକ୍ଷା ପରେ ଝାଡ଼ାବାନ୍ତିର ସମ୍ଭାବ୍ୟ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ବୋଲି ମେଡିକାଲ ଅଫିସର ପ୍ରକାଶ କରିଛନ୍ତି ।


