ଓଡ଼ିଶୀ ନୃତ୍ୟରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଓଡ଼ିଆ ପୁଅ ନୂର୍ ରାଜ୍ଜା

ବ୍ରହ୍ମପୁର,(ସୁଦିପ କୁମାର ସାହୁ):ଓଡ଼ିଶା ମାଟି କୋଣ ଅନୁକୋଣରେ ଭରି ରହିଛି ବହୁବିଧ କଳାର ସମ୍ଭାର ଯାହା ବିଶ୍ଵବାସୀଙ୍କୁ ଆକୃଷ୍ଟ କରିବା ସହିତ ନିଜସ୍ଵ ପରମ୍ପରା ଓ ପ୍ରଥାକୁ ପ୍ରଚାର ପ୍ରସାର କରି ଆସିବା ସହିତ ଅନେକ ଓଡ଼ିଶୀ କଳାକାର ଓଡ଼ିଆ ମାଟିକୁ ସ୍ଵର୍ଣୀମ ମୁହୂର୍ତ୍ତ ଭେଟି ଦେଇଛନ୍ତି। ଏହି ଆଧାରରେ ଓଡ଼ିଶା ପାଇଁ ଆଉ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହେଇଛି। ବ୍ରହ୍ମପୁର ମାଟିରେ ଜନ୍ମିତ ମୁସଲମାନ ଓଡ଼ିଆ ପୁଅ ଡ଼ଃ ନୂର୍ ରାଜ୍ଜା ଓଡ଼ିଶୀରେ ନିଜର ଶ୍ରେଷ୍ଠତ୍ଵ ପ୍ରଦର୍ଶନ ନିମନ୍ତେ ଗଞ୍ଜାମ ଜିଲ୍ଲାର ପ୍ରଥମ ଥରକ ପାଇଁ ଓଡ଼ିଶା ସ୍ତରରେ ସ୍ଵର୍ଣ୍ଣ ପଦକ ଏବଂ ଜାତିର ସ୍ତରରେ ନିଜର କୃତିତ୍ୱ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ଚଣ୍ଡୀଗଡ଼ ସ୍ଥିତ ପ୍ରଖ୍ୟାତ ଅନୁଷ୍ଠାନ ପ୍ରାଚୀନ କଳାକେନ୍ଦ୍ରର ସମାବର୍ତ୍ତନ ଉତ୍ସବର ଏକ ବର୍ଣ୍ଣାଢ଼୍ୟ ପରିସର ମଧ୍ୟରେ ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି ଡ଼ାଃ ନୂର୍। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଡ଼ାଃ ପ୍ରଦୀପ୍ତ ସରକାରଙ୍କ କରକମଳରୁ ସେ ପ୍ରଶସ୍ତି ପତ୍ର ଗ୍ରହଣ କରିଛନ୍ତି। ଏହି ଅବସରରେ ବ୍ରହ୍ମପୁର କଳାକାର ମହଲ ତଥା ବୁଦ୍ଧିଜୀବୀ ମହଲରେ ଖୁସିର ଲହରୀ ଖେଳି ଯାଇଛି ଏବଂ ଡଃ ନୂର୍ ଙ୍କ ଏହି ବିରଳ ସଫଳତା ପାଇଁ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ଓ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। କାହିବା ବାହୁଲ୍ୟ ଡଃ ନୁର ଏକ ନୈଷ୍ଠିକ ମୁସଲମାନ ପରିବାରରେ ଜନ୍ମ ଗ୍ରହଣ କରି ସୁଦ୍ଧା ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ଦୁର୍ବଳତା ଓ କଠିନ ଅଧ୍ୟବସାୟ ହିଁ ତାଙ୍କୁ ଓଡ଼ିଶୀ କ୍ଷେତ୍ରରେ ଏକ ଅନନ୍ୟ ପରିଚୟ ପ୍ରଦାନ କରିଛି। ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଡ଼ଃ ନୂର୍ ବିଗତ ବର୍ଷ ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ପ୍ରଥମ କରି ଗଞ୍ଜାମ ଜିଲ୍ଲାରୁ ଡକ୍ଟରେଟ୍ ହାସଲ କରି ଆଲୋଡନ ସୃଷ୍ଟି କରିଥିଲେ। ଖୁବ୍ କମ୍ ବୟସରୁ ସେ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ। ଆନୁଷ୍ଠାନିକ ଭାବେ ମାତ୍ର ଦଶ ବର୍ଷ ବୟସରୁ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଜୟନ୍ତ ଆଚାର୍ଯ୍ୟ ପରେ ପରେ ଗୁରୁ ଆରତୀ କର, ଶୁଭ ଲକ୍ଷ୍ମୀ ପାଢ଼ୀ, ପ୍ରଭାତ କୁମାର ସ୍ୱାଇଁ ଏବଂ ଶିବରାମ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡ଼ିଶୀ ପରାକାଷ୍ଠାକୁ ସୁଦୃଢ କରି ପାରିଛନ୍ତି । ବର୍ତ୍ତମାନ ସେ ଗୁରୁ ରମେଶ ଚନ୍ଦ୍ର ଜେନା ଏବଂ ଗୁରୁ ମଧୁସ୍ମିତା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡ଼ିଶୀ ନୃତ ଅଭ୍ୟାସ ଜାରି ରଖିଛନ୍ତି । କହିବା ବାହୁଲ୍ୟ ସେ ବ୍ରହ୍ମପୁର ଠାରେ “ପ୍ରସନ୍ନାକ୍ଷୀ” ନାମକ ନୃତ୍ୟ ଅନୁଷ୍ଠାନ ସ୍ଥାପନ କରି ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଗବେଷଣା ତଥା ଶିକ୍ଷାଦାନ ଜାରି ରଖିଛନ୍ତି । ପ୍ରତ୍ୟେକ ବର୍ଷ ପଞ୍ଚମ ବେଦ ନାମକ ଏକ ଜାତୀୟ ସ୍ତରୀୟ ନୃତ୍ୟ ଓ ସଙ୍ଗୀତ ଭିତ୍ତିକ ଶାସ୍ତ୍ରୀୟ ମହୋତ୍ସବ ଆୟୋଜନ କରି ଦେଶର ବିଭିନ୍ନ ପ୍ରାନ୍ତରୁ ନୃତ୍ୟଶିଳ୍ପୀ ମାନଙ୍କୁ ନିମନ୍ତ୍ରିତ କରି ଚର୍ଚ୍ଚାରେ ରହି ଆସିଛନ୍ତି। ତେବେ ଡଃ ନୁର ଦେଶର ବିଭିନ୍ନ ପ୍ରାନ୍ତ ତଥା ଆନ୍ତର୍ଜାତୀୟ ଓଡିଶୀ ନୃତ୍ୟ ମହୋତ୍ସବ, ଘୁମୁରା ମହୋତ୍ସବ, କଳାଞ୍ଜଳି ଲୋକ ମହୋତ୍ସବ, ଗୋପାଳପୁର ବେଳାଭୂମି ମହୋତ୍ସବ, ମାର୍ଗୀ ମହୋତ୍ସବ, ଘୁଙ୍ଗୁର ମହୋତ୍ସବ ଭଳି ଅନେକ ମଞ୍ଚରେ ନିଜର ବିଚକ୍ଷଣ ନୃତ୍ୟ ପରିବେଷଣ ପାଇଁ ସମ୍ବର୍ଦ୍ଧିତ ହେବା ସହିତ ଦୂରଦର୍ଶନ ଓ ପ୍ରସାର ଭାରତୀର ଜଣେ ଗ୍ରେଡ ମାନ୍ୟତା ପ୍ରାପ୍ତ ନୃତ୍ୟଶିଳ୍ପୀ ତଥା ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଦ୍ଵାରା ପ୍ରଦତ୍ତ ବରିଷ୍ଠ ଛାତ୍ରବୃତ୍ତି ମଧ୍ୟ ସେ ହାସଲ କରିଛନ୍ତି। ଏହିଭଳି ଜଣେ ବହୁବିଧ ଓ ଧୂରିଣ ନୃତ୍ୟଶିଳ୍ପୀ ଓଡ଼ିଆ ତଥା ଗଞ୍ଜାମ ମାଟି ପାଇଁ ଏକ ଆଶୀର୍ବାଦ ବୋଲି ଅନେକ କଳାପ୍ରେମୀ ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ