ଦିଗପହଣ୍ଡି ଠାକୁରାଣୀ ଯାତ୍ରା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବ ଗୁରୁବାର ୬ଷ୍ଠ ଦିବସ ବିତିଛି। ସନ୍ଧ୍ୟାରେ ବଜାରସାହି ଗାନ୍ଧୀଛକ ସ୍ଥିତ ଅସ୍ଥାୟୀ ଯାତ୍ରାପୀଠ ରେ ଆଶ୍ୱିନ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ମା’ ଙ୍କୁ ସେବା ପୂଜା ମଣୋହି କରାଯାଇଥିଲା। ମା ‘ ଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁ ଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା।ମୁଖ୍ୟ ସେବାୟତ ଆଦିତ୍ୟ ପାତ୍ର ମା ‘ ଙ୍କୁ ସାନ୍ଧ୍ୟ ଆଳତି କରିବା ପରେ ପୁରୋହିତ ପଣ୍ଡିତ ସନାତନ ରଥ ଶର୍ମା ଘଟ ଶୋଭାଯାତ୍ରା ପାଇଁ ମା ‘ ଙ୍କୁ ଆବାହନ କରିଥିଲେ।ମା ‘ ଙ୍କ ଆଜ୍ଞାମାଳ ପରେ ପାର୍ଶ୍ଵ ଘଟ ଧାରୀ ମହିଳା ମାନେ ମା ‘ ଙ୍କ ହୁକୁମ ନେଇ ମସ୍ତକକୁ ଘଟ ଉଠାଇଥିଲେ।ମୁଖ୍ୟ ଘଟ କୁ ସମ୍ମୁଖ ଭାଗରେ ରଖାଯିବା ପରେ ମା ‘ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀ ବାଦ୍ୟ ବାଜଣା ର ତାଳେ ତାଳେ ଝୁଲି ଝୁଲି ଯାତ୍ରାପୀଠ ରୁ ଶୋଭାଯାତ୍ରା ରେ ବାହାରି ଜନତାଲେନ ଦେଇ ଧୋବା ସାହି, ଆଠଗଡିଆ ସାହି ପରିକ୍ରମା କରି ସହରର ସର୍ବପୁରାତନ ବସ୍ତି ଗଡ ଚୈତନ୍ୟପୁର ଶାସନ ସାହି ରେ ପହଞ୍ଚିଥିଲେ। ସାହି ସମ୍ମୁଖରେ ଦୂର୍ଗାପୂଜା କମିଟି ପକ୍ଷରୁ ମା ‘ ବୁଢ଼ୀ ଠାକୁରାଣୀଙ୍କୁ ଧୂପ,ଦୀପ, ନୈବେଦ୍ୟ ପ୍ରଦାନ ପୂର୍ବକ ନିମନ୍ତ୍ରଣ କରାଯାଇଥିଲା। ଦୂର୍ଗା ମଣ୍ଡପରେ ମା ‘ ବୁଢ଼ୀ ଠାକୁରାଣୀ ଏବଂ ମା ‘ ଦୂର୍ଗା ଙ୍କ ଭେଟ ପୂଜା ନୀତି କାନ୍ତି ଅନୁଯାୟୀ କରାଯାଇଥିଲା।ପରେ ମା ‘ ବୁଢ଼ୀ ଠାକୁରାଣୀଙ୍କ ସେବାୟତ ମାନେ ପରିବାର ସହ ରହୁଥିବା ଚିକିଟିଆ ସାହି ରେ ପହଞ୍ଚିଥିଲେ।ଶାଶୁ ଘରୁ ମାଆ ଘରକୁ ବୁଲି ଆସିଥିବା ବୁଢ଼ୀ ଠାକୁରାଣୀଙ୍କୁ ସେବାୟତ ମାନେ ଘର ମଧ୍ୟକୁ ନେଇ ପୂଜାର୍ଚ୍ଚନା କରିଥିଲେ।ସେଠାରେ ଖିରି,କାକରା,ପିଠା ପଣା ଖାଇ ସାହି ର ସ୍ବର୍ଗତ ନଟବର ମିଶ୍ର ଙ୍କ ଘର ସମ୍ମୁଖରେ ପୂଜା ପାଉଥିବା ଭଉଣୀ ମା ‘ ଫୁଲସୁନ୍ଦରୀ ଙ୍କ ମଣ୍ଡପରେ ବିଜେ ହୋଇଥିଲେ।ବିଧି ମୁତାବକ ମା ‘ ଙ୍କୁ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ମା ‘ ଭୋଇ ବାଉରୀ ସାହି,କୁମ୍ଭାର ସାହି ଓ ବଜାର ସାହି ପରିକ୍ରମା କରି ଯାତ୍ରା ପୀଠ କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଯାତ୍ରାପୀଠ ରେ ସକାଳେ ନାଟ୍ୟ ନିର୍ଦ୍ଦେଶକ ଯୁଧିଷ୍ଠିର ନାହାକ ଙ୍କ ନିର୍ଦ୍ଦେଶନା ରେ ପୁଟବଗଡ଼ ଗ୍ରାମର ପୌରାଣିକ ରାଧାପ୍ରେମ ଲୀଳା( ରାଧା ଙ୍କ ମାନ ଭଞ୍ଜନ) ନାଟକ ପରିବେଷଣ କରାଯାଇଥିଲା। ରାତି ପ୍ରାୟ ୭ ଟାରେ ଦିଗପହଣ୍ଡି ସ୍ଥିତ ବିଚିତ୍ର ବର୍ଣ୍ଣାଳି ନାଟ୍ୟ ଅନୁଷ୍ଠାନ ର ସମ୍ପାଦକ ଆଲୋକ ବିଷୋୟୀ ଙ୍କ ସଂଯୋଜନାରେ କଳାକାର ବୃନ୍ଦ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ରାତି ପ୍ରାୟ ସାଢେ ୧୧ ଟାରେ ବ୍ରହ୍ମପୁର ଗୋସାଇଁନୂଆଗାଁ ମା ‘ କାଳୁଆ ନାଟ୍ୟ କଳାକାର ସଂଘ(ସାନଆଖଡ଼ା) ପକ୍ଷରୁ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଏନ. ରାମବାବୁ ଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ‘ ତୁ ବଦଳି ଗଲୁ ମୁଁ ସେମିତି ଅଛି ‘ ଅପେରା ମଞ୍ଚସ୍ଥ ହୋଇଥିଲା। ଯାତ୍ରା ପରିଚାଳନା କମିଟିର ସମସ୍ତ କାର୍ଯ୍ୟକର୍ତ୍ତା,ଅନ୍ୟାନ୍ୟ ଯାତ୍ରା କମିଟି ସଦସ୍ୟ ଏବଂ ପୋଲିସ ବାହିନୀ ଉପସ୍ଥିତ ରହି ଯାତ୍ରା ରେ ଭିଡ ନିୟନ୍ତ୍ରଣ କରିଥିଲେ।ବୁଧବାର ସକାଳେ ଯାତ୍ରାପୀଠ ରେ ଛଣମେରି ଏବଂ ଦାଉଣୀ ଗ୍ରାମର ପୌରାଣିକ ପ୍ରହଲ୍ଲାଦ(ରଜା) ନାଟକ ପରିବେଷଣ କରାଯାଇଥିଲା।ରାତିରେ ନାଟ୍ୟ ନିର୍ଦ୍ଦେଶକ ଟୁଟୁ ପାଢ଼ୀ ଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ଚିକିଟି ନିକଟ ମହିସାନପୁର ଗ୍ରାମ ମା ‘ ଦଣ୍ଡକାଳୀ ନାଟ୍ୟ ସଂସଦର କଳାକାର ମାନଙ୍କ ଦ୍ଵାରା ‘ ଗୋଟେ ଶୁଆ ଓ ଗୋଟେ ଶାରୀ’ ସାମାଜିକ ନାଟକ ଦର୍ଶକଙ୍କ ମନ ମୋହିଥିଲା।


