ମରେଇଗାଁ–ବଳିପୁର ରାସ୍ତା ନିର୍ମାଣରେ ବିଳମ୍ବକୁ ନେଇ ବଢୁଛି ଅସନ୍ତୋଷ

ହାଟଡିହି, ୨୪/୮ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ଅନେକ ପଞ୍ଚାୟତକୁ ସଂଯୋଗ କରୁଥିବା ମରେଇଗାଁ–ବଳିପୁର ନଦୀବନ୍ଧ ରାସ୍ତାର ଦୁରବସ୍ଥା ଏବେ ଅଞ୍ଚଳବାସୀଙ୍କ ପାଇଁ ଗୁରୁତର ସମସ୍ୟା ପାଲଟିଛି। ରାସ୍ତା ନିର୍ମାଣ ପାଇଁ ବଡ଼ ଅନୁଦାନ ଘୋଷଣା ହୋଇଥିଲେ ମଧ୍ୟ ଏଯାଏଁ ଟେଣ୍ଡର ପ୍ରକ୍ରିୟା ଆଗେଇ ନଥିବାରୁ ଲୋକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଦୀର୍ଘ ପ୍ରାୟ ୮ ବର୍ଷ ଧରି ଏହି ରାସ୍ତାର ଦୁରବସ୍ଥା ଭୋଗୁଥିବା ଲୋକେ ଏବେ ତୁରନ୍ତ ରାସ୍ତା ନିର୍ମାଣ ଦାବି କରିଛନ୍ତି।   ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାଇ ମରେଇଗାଁଠାରୁ ବଳିପୁର ପର୍ଯ୍ୟନ୍ତ ଯାଇଥିବା ଏହି ରାସ୍ତାର ଦୈର୍ଘ୍ୟ ପ୍ରାୟ ୧୯ କିଲୋମିଟର। ହାଟଡିହି ବ୍ଲକର ଓରାଳି, ଇଞ୍ଚୋଳ, ଶାଳଣିଆ, ଡଅଁର, ଗେଡମା, ଆଇତିପୁର, ସଡ଼ଙ୍ଗ ଆଦି ପଞ୍ଚାୟତର ୫୦ରୁ ଊର୍ଦ୍ଧ୍ୱ ଗ୍ରାମର ଲୋକେ ଏହି ରାସ୍ତା ଉପରେ ପ୍ରତ୍ୟକ୍ଷ ଭାବେ ନିର୍ଭରଶୀଳ। ଏହାସହ ପଡ଼ୋଶୀ ଭଦ୍ରକ ଜିଲ୍ଲାର ଅନେକ ପଞ୍ଚାୟତର ଲୋକଙ୍କ ପାଇଁ ମଧ୍ୟ ଏହି ରାସ୍ତା ଯାତାୟାତର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ତେଣୁ ଏହି ରାସ୍ତାର ଗୁରୁତ୍ୱ କେବଳ ହାଟଡିହି ବ୍ଲକ ମଧ୍ୟରେ ସୀମିତ ନୁହେଁ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଲୋକଙ୍କ ଯାତାୟାତ ସହ ଏହା ଜଡ଼ିତ। ସୂଚନା ଅନୁଯାୟୀ, ପ୍ରାୟ ୭ ବର୍ଷ ପୂର୍ବେ ଜଳସମ୍ପଦ ବିଭାଗ ପକ୍ଷରୁ ଏହି ୧୯ କିଲୋମିଟର ରାସ୍ତା ନିର୍ମାଣରେ ପ୍ରାୟ ୧୭ କୋଟି ଟଙ୍କା ବ୍ୟୟ କରାଯାଇଥିଲା। କିନ୍ତୁ ନିର୍ମାଣ ପରେ ଅଳ୍ପ କିଛି ଦିନ ମଧ୍ୟରେ ନିମ୍ନ ମାନର କାମ ଯୋଗୁଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ରାସ୍ତାର ବିଭିନ୍ନ ସ୍ଥାନରେ ମାଟି ଧସିବା, ପିଚୁ ଉଠିଯିବା ଏବଂ ବଡ଼ ବଡ଼ ଖାଲ ସୃଷ୍ଟି ହେବା ଯୋଗୁଁ ଯାତାୟାତ ଦୁର୍ବିଷହ ହୋଇପଡ଼ିଥିଲା। ଏନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ଅଞ୍ଚଳବାସୀଙ୍କ ପକ୍ଷରୁ ରାସ୍ତା ନିର୍ମାଣ ପାଇଁ ଦାବି ଜୋରଦାର ହୋଇଥିଲା। ଲୋକଙ୍କ ଦାବି ଓ ଗଣମାଧ୍ୟମରେ ଲଗାତାର ଖବର ପ୍ରକାଶ ପରେ ଜିଲ୍ଲା ପ୍ରଶାସନ ଏହି ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରି ନୂତନ ଭାବେ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲା। ରାସ୍ତା ନିର୍ମାଣ ପାଇଁ ଦୀର୍ଘଦିନ ଧରି ବିଭିନ୍ନ ସ୍ତରରେ ଦାବି ଓ ଆଲୋଚନା ହୋଇଆସୁଥିଲେ ମଧ୍ୟ ବାସ୍ତବ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଜମାଟ ବାନ୍ଧିଛି। ଏହି ରାସ୍ତା ନିର୍ମାଣ ପାଇଁ ତତ୍କାଳୀନ ବିଧାୟକ ଭାଗିରଥି ସେଠୀ ଏବଂ ବର୍ତ୍ତମାନର ବିଧାୟକ ଅଭିମନ୍ୟୁ ସେଠୀ ବିଧାନସଭାରେ ବାରମ୍ବାର ପ୍ରଶ୍ନ ଉଠାଇବା ସହ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାଛଡ଼ା ବିଜେପି ନେତା ଆଲୋକ ସେଠୀ ମଧ୍ୟ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ରାସ୍ତା ନିର୍ମାଣ ନେଇ ଦାବି ଜଣାଇଥିଲେ । ଦୀର୍ଘଦିନ ଧରି ବିଭିନ୍ନ ମହଲରୁ ଦାବି ଉଠିବା ପରେ ରାସ୍ତାଟିକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିବା ପାଇଁ ପ୍ରଶାସନିକ ସ୍ତରରେ ସୁପାରିଶ କରାଯାଇଥିଲା। ପରବର୍ତ୍ତୀ ସମୟରେ ଓମ୍ବାଡସି ଅନୁଦାନରେ ଏହି ରାସ୍ତାର ପୁନଃନିର୍ମାଣ ପାଇଁ ପ୍ରାୟ ୬୫ କୋଟି ୯୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଏହି ଅନୁଦାନ ଘୋଷଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ରାସ୍ତା ନିର୍ମାଣ ନେଇ ନୂଆ ଆଶା ସୃଷ୍ଟି ହୋଇଥିଲା। ମୁଖ୍ୟମନ୍ତ୍ରୀ ଆନନ୍ଦପୁର କଲେଜ ଗସ୍ତ ସମୟରେ ଏହି ରାସ୍ତା ନିର୍ମାଣ ପାଇଁ ୬୫ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଥିବା ଘୋଷଣା କରିଥିବା ନେଇ ଅଞ୍ଚଳରେ ଖୁସି ପ୍ରକାଶ ପାଇଥିଲା। ଲୋକେ ଆଶା କରିଥିଲେ ଯେ ଘୋଷଣାର କିଛି ସମୟ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇ ରାସ୍ତା ନିର୍ମାଣ କାମ ଆରମ୍ଭ ହେବ। ହେଲେ ଘୋଷଣାର ବର୍ଷେ ପରେ  ମଧ୍ୟ ରାସ୍ତା ନିର୍ମାଣ ନେଇ ଆଖିଦୃଶିଆ ପଦକ୍ଷେପ ଦେଖିବାକୁ ମିଳୁନାହିଁ।  ଫଳରେ ରାସ୍ତା ନିର୍ମାଣ ଆହୁରି ବିଳମ୍ବ ହେବାର ଆଶଙ୍କା ଦେଖାଦେଇଛି। ବର୍ଷା ଋତୁରେ ରାସ୍ତାର ଅବସ୍ଥା ଆହୁରି ଖରାପ ହୋଇଥିବାରୁ ଏବେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ରାସ୍ତା ସାରା ବଡ଼ ବଡ଼ ଖାଲଖମାରେ ପରିପୂର୍ଣ୍ଣ ହୋଇଛି।  ବର୍ଷା ହେଲେ ଏହି ଖାଲଗୁଡ଼ିକରେ ପାଣି ଜମି ଯାଉଥିବାରୁ ରାସ୍ତାର ପ୍ରକୃତ ଅବସ୍ଥା ଜଣାପଡ଼ୁନାହିଁ। ଦୁଇଚକିଆ ଯାନ ଚାଳକମାନେ ଖାଲରେ ପଡ଼ିଯିବାର ଭୟରେ ଧୀରେ ଧୀରେ ଯାତାୟାତ କରୁଛନ୍ତି।  ଏହି ରାସ୍ତାରେ ଚାରିଚକିଆ ଯାନ ଯିବା ଆସିବା ବନ୍ଦ ହୋଇ ଯାଇଛି।  ସାଇକେଲଟିଏ ମଧ୍ୟ ଯିବା ଆସିବା କରିପାରୁନି। ଏହି ରାସ୍ତା ଉପରେ ଶାଳଣିଆ ଡାକ୍ତରଖାନାକୁ ଯାତାୟାତ ପାଇଁ ଅନେକ ଗ୍ରାମର ଲୋକେ ନିର୍ଭର କରନ୍ତି। ରୋଗୀଙ୍କୁ ହସ୍ପିଟାଲକୁ ନେବା ସମୟରେ ରାସ୍ତାର ଦୁରବସ୍ଥା ବଡ଼ ସମସ୍ୟା ସୃଷ୍ଟି କରୁଛି। ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଅନେକ ସମୟରେ ରାସ୍ତାର ଅବସ୍ଥା ଯୋଗୁଁ ଧୀରେ ଚାଲିବାକୁ ବାଧ୍ୟ ହେଉଥିବା ଅଞ୍ଚଳବାସୀ କହିଛନ୍ତି। ଆପତ୍କାଳୀନ ସମୟରେ ଯଦି ଆମ୍ବୁଲାନ୍ସ ସମୟରେ ହସ୍ପିଟାଲରେ ପହଞ୍ଚିପାରିବ ନାହିଁ, ତେବେ ରୋଗୀ ଓ ପରିବାର ଲୋକଙ୍କ ପାଇଁ ଏହା ବଡ଼ ଚିନ୍ତାର କାରଣ ପାଲଟୁଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ରାସ୍ତା ଦୁରବସ୍ଥାର ପ୍ରଭାବ ପଡ଼ୁଛି। ବିଭିନ୍ନ ଗ୍ରାମର ଛାତ୍ରଛାତ୍ରୀମାନେ ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନକୁ ଯିବା ପାଇଁ ଏହି ରାସ୍ତା ବ୍ୟବହାର କରନ୍ତି। ବର୍ଷା ଦିନରେ ରାସ୍ତା ଅବସ୍ଥା ଖରାପ ହେଲେ ସେମାନଙ୍କ ଯାତାୟାତ ମଧ୍ୟ ପ୍ରଭାବିତ ହେଉଛି। ଚାଷୀମାନଙ୍କ ପାଇଁ ମଧ୍ୟ ଏହି ରାସ୍ତା ଅତ୍ୟନ୍ତ ଜରୁରୀ। ଚାଷଜମିରୁ ଉତ୍ପାଦିତ ଫସଲ ବଜାରକୁ ନେବା, ସାର ଓ ବିହନ ଆଣିବା ସହ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଆଣିବା ପାଇଁ ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଅନ୍ୟପକ୍ଷରେ ରାସ୍ତାରେ ବାଲି ବୋଝେଇ ଭାରିଯାନର ଚଳାଚଳ ସମସ୍ୟାକୁ ଆହୁରି ଜଟିଳ କରିଦେଇଛି। ଭାରିଯାନ ଚଳାଚଳ ଯୋଗୁଁ ପୂର୍ବରୁ ଦୁର୍ବଳ ହୋଇପଡ଼ିଥିବା ରାସ୍ତା ଆହୁରି କ୍ଷତିଗ୍ରସ୍ତ ହେଉଥିବା ଅଭିଯୋଗ ହେଉଛି।  ବିଶେଷକରି ଡଅଁର ପଞ୍ଚାୟତବାସୀଙ୍କ ଦୁର୍ଦ୍ଦଶା ସବୁଠାରୁ ଅଧିକ ବୋଲି ଅଭିଯୋଗ ହୋଇଛି। ଅନ୍ୟ କେତେକ ପଞ୍ଚାୟତର ଲୋକଙ୍କ ପାଖରେ ବିକଳ୍ପ ରାସ୍ତା ଥିବାରୁ ଜରୁରୀ ସମୟରେ ସେମାନେ ଅନ୍ୟ ରାସ୍ତାରେ ଯାତାୟାତ କରିପାରୁଛନ୍ତି। କିନ୍ତୁ ଡଅଁର ପଞ୍ଚାୟତର ଅନେକ ଗ୍ରାମର ଲୋକଙ୍କ ପାଇଁ ଏହି ରାସ୍ତା ହିଁ ବାହାରକୁ ଯିବାର ଏକମାତ୍ର ମାଧ୍ୟମ। ତେଣୁ ରାସ୍ତା ଖରାପ ଯୋଗୁଁ ସେମାନଙ୍କ ଦୈନନ୍ଦିନ ଜୀବନ ପ୍ରାୟ ଅଚଳ ହୋଇପଡ଼ୁଛି।ଏହାସହ ଡଅଁର ପଞ୍ଚାୟତକୁ ମୁଖ୍ୟମନ୍ତ୍ରୀ ବସ୍‌ ସେବା ବନ୍ଦ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ରାସ୍ତାର ଦୁରବସ୍ଥା ଯୋଗୁଁ ବସ୍‌ ଚଳାଚଳ କରିବାରେ ସମସ୍ୟା ହେଉଥିବାରୁ ଏହି ସେବା ପ୍ରଭାବିତ ହୋଇଥିବା କୁହାଯାଉଛି। ଫଳରେ ଦୂରଦୂରାନ୍ତକୁ ଯିବା ପାଇଁ ସାଧାରଣ ଲୋକଙ୍କୁ ଅଧିକ ଖର୍ଚ୍ଚ କରି ଅନ୍ୟ ଯାନ ଉପରେ ନିର୍ଭର କରିବାକୁ ପଡ଼ୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ