‘ଶ୍ରୀପଦ୍ଧତି’ ପ୍ରଣାଳୀରେ ଧାନ ବିହନ ବଣ୍ଟନ
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଭିକାରିପଲ୍ଲୀ ଗ୍ରାମପଞ୍ଚାୟତର କମାପଲ୍ଲୀ ଗ୍ରାମଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଯଶୋଦା ଫାଉଣ୍ଡେସନ୍’ ପକ୍ଷରୁ ଆଠ ଏକର ଜମିରେ ‘ଶ୍ରୀପଦ୍ଧତି’ ପ୍ରଣାଳୀରେ ଧାନ ଚାଷ କରିବା ନିମନ୍ତେ ୨୦ ଜଣ ମହିଳା କ୍ଷୁଦ୍ର ଚାଷୀ ପରିବାରକୁ ପ୍ରତ୍ୟେକେ ୨ କେଜି ହିସାବରେ ଧାନ ବିହନ ଆବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ବିଶେଷତ୍ୱ ହେଉଛି ଏହି ଧାନ ଚାଷ କେବଳ ଜୈବିକ ସାର ଓ ଜୈବିକ କୀଟନାଶକ ଔଷଧ ଦ୍ୱାରା ପରିଚାଳିତ ହେବ । ୨୦୧୦ ମସିହାରୁ ଦୀର୍ଘ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଯଶୋଦା ଫାଉଣ୍ଡେସନ୍ ମହିଳା ସଶକ୍ତୀକରଣ, କୃଷି ଓ ପରିବେଶର ବିକାଶ ପାଇଁ ଏହିପରି ଅନେକ କାର୍ଯ୍ୟକ୍ରମ କରିଆସୁଥିବା ବେଳେ, ଏହି ସହାୟତା ପାଇ ଗ୍ରାମର ମହିଳାମାନେ ବେଶ୍ ଖୁସି ବ୍ୟକ୍ତ କରିବା ସହ ଟ୍ରଷ୍ଟର ମୁଖ୍ୟ ସାଗରୀକା ପଣ୍ଡାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଶ୍ରୀମତୀ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀ, ସାହିତ୍ୟିକ ଓ ଆଇନଜୀବୀ ଡଃ. ପ୍ରଶାନ୍ତ କୁମାର ଶତପଥୀ, ସନ୍ତୋଷ ଶତପଥୀ ଏବଂ ପୁଷ୍ପା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ମହିଳାମାନଙ୍କୁ ବିହନ ଆବଣ୍ଟନ କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ।


