GRP କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟା ମାମଲା: ୧୧ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ
କଟକ (ଓ୍ବାଇଏନଏସ): ରାଜଧାନୀ ଉପକଣ୍ଠ ବାଲିଅନ୍ତାର ବହୁ ଚର୍ଚ୍ଚିତ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି (ବୁଧବାର) ଚାର୍ଜସିଟ୍ ଦାଖଲ କରିଛି । ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ଭୁବନେଶ୍ୱର ଏସଡିଜେଏମଙ୍କ ଅଦାଲତରେ ୭୬୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି । ତେବେ ସବୁଠାରୁ ବଡ଼ କଥା ହେଉଛି, ଏହି ମାମଲାରେ ମୋଟ ୨୦ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ବାଲିଅନ୍ତା ପୋଲିସ ଗିରଫ କରିଥିବା ଆଉ ବାକି ୯ ଜଣ ଅଭିଯୁକ୍ତଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିନଥିବାରୁ ଚାର୍ଜସିଟ୍ ଦାଖଲ କରାଯାଇନାହିଁ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଚାର୍ଜସିଟରେ ନାମ ଥିବା ଅଭିଯୁକ୍ତମାନେ ହେଲେ ଯୁଧିଷ୍ଠିର ଜେନା, ରଞ୍ଜିତ ପାତ୍ର, ରଞ୍ଜିତ ରାଣା, ପଞ୍ଚାନନ ବଡ଼ଜେନା, ବିନୋଦ କୁମାର ବେହେରା, ପ୍ରଦୀପ ଚନ୍ଦ୍ର ମଙ୍ଗରାଜ, ଅଶୋକ କୁମାର ଜେନା, ବିଭୂତି ଭୂଷଣ ପରିଡ଼ା, ସୁବାସ ଭୋଇ, ସ୍କାଏଲାବ୍ ପତି ଏବଂ ବିସ୍ମୟ ମହାନ୍ତି । ଭାରତୀୟ ନ୍ୟାୟ ସଂହିତା (BNS), ୨୦୨୩ର ଦଫା ୧୦୩(୧), ୧୯୧(୨), ୧୯୧(୩), ୧୮୯(୪), ୧୯୦, ଏବଂ ୧୨୭(୨) ଅଧିନରେ ଚାର୍ଜସିଟ୍ କରାଯାଇଛି । ଗତ ମେ ୭ ତାରିଖରେ ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁର-କାଜ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ । ତଦନ୍ତକାରୀ ଅଧିକାରୀ ଡିଏସପି ରତ୍ନପ୍ରଭା ଶତପଥୀ ସମସ୍ତ ପ୍ରତ୍ୟେକ୍ଷଦର୍ଶୀ ସାକ୍ଷ୍ୟ, ପ୍ରମାଣ, ବୈଜ୍ଞାନିକ ଓ ପାରିପାର୍ଶ୍ୱିକ ପ୍ରମାଣ ସଂଗ୍ରହ କରିବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ କୋର୍ଟରେ ଚାର୍ଜସିଟ୍ (ଫାଇନାଲ ଫର୍ମ ନଂ-୩୫) ଦାଖଲ କରିଛନ୍ତି । ପୂର୍ବରୁ ବାଲିଅନ୍ତା ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିବା ଅନ୍ୟ ୯ ଅଭିଯୁକ୍ତ ସନ୍ତୋଷ ପତି ଓରଫ ମଣ୍ଟୁ, ସୁରଜ ଓଝା, ସଂଗ୍ରାମ ଭୋଇ, ପ୍ରମୋଦ ଜେନା, ବଣ୍ଟି ଜେନା, ସୁରଜିତ ରଣା, ଅଭିଷେକ କର, ସଦାନନ୍ଦ ଖୁଣ୍ଟିଆ, ବିକ୍ରମ କେଶରୀ ଦାସଙ୍କ ବିରୋଧରେ ଅଭିଯୋଗ ଆସିଥିଲା । ଏହି ୯ ଜଣ ଅଭିଯୁକ୍ତ ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଯାଞ୍ଚ କରାଯାଇଥିଲା । ହେଲେ ପ୍ରାଥମିକ ତଦନ୍ତରୁ ଏହି ୯ ଜଣଙ୍କର ମାମଲାରେ ସକ୍ରିୟ ଭୂମିକା ନେଇ ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ । ତେଣୁ ଏବେ ସେମାନଙ୍କ ବିରୋଧରେ ପ୍ରାଥମିକ ମାମଲା ଗ୍ରହଣଯୋଗ୍ୟ ହୋଇନାହିଁ । ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ୨୦୨୩ର ଧାରା ୧୯୩(୯) ଅନୁଯାୟୀ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି । ଫରେନ୍ସିକ ରିପୋର୍ଟ ଏବଂ ଅନ୍ୟାନ୍ୟ ସୂତ୍ରରୁ ଅଧିକ ସାକ୍ଷ୍ୟ ପ୍ରମାଣ ମିଳିବା ପରେ ଆବଶ୍ୟକ ଅନୁସାରେ ଅଦାଲତରେ ସପ୍ଲିମେଣ୍ଟାରୀ (ଅତିରିକ୍ତ) ଚାର୍ଜସିଟ୍ ଦାଖଲ କରାଯିବ । ଘଟଣାରେ ସମ୍ପୃକ୍ତ ଅନ୍ୟ ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସର ଚଢ଼ାଉ ଜାରି ରଖିଛି ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ବାଲିଅନ୍ତା ପୋଲିସ ୯ ଅଭିଯୁକ୍ତଙ୍କୁ ବିନା କୌଣସି ପର୍ଯ୍ୟାପ୍ତ ପ୍ରମାଣରେ ଗିରଫ କରିଥିବା ସ୍ପଷ୍ଟ ହୋଇଛି । ଯାହାକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।


