ଅବହେଳାର ଶିକାର ଘୁ. ଉଦୟଗିରିର ସମନ୍ୱିତ ବିକାଶ ସଂସ୍ଥା

କନ୍ଧମାଳ(ବିଭି ଶଙ୍କର): କନ୍ଧମାଳ ଜିଲ୍ଲାର ଘୁ. ଉଦୟଗିରି ଠାରେ ଦିନେ ଗ୍ରାମୀଣ ଅର୍ଥନୀତିର ବିକାଶ, ବେକାରୀ ଦୂରୀକରଣ ଏବଂ ଆଦିବାସୀ ଓ ଆର୍ଥିକ ଅନଗ୍ରସର ଲୋକଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ପ୍ରତିଷ୍ଠିତ ହୋଇଥିବା ଏକ ସମନ୍ୱିତ ବିକାଶ ସଂସ୍ଥା ଆଜି ଅବହେଳାର ଶିକାର ହୋଇ ଅଚଳ ଅବସ୍ଥାକୁ ଚାଲିଯାଇଛି। ଯେଉଁ ସଂସ୍ଥା ଦିନେ ଶତାଧିକ ଯୁବକଯୁବତୀ, ମହିଳା ଓ ଗ୍ରାମୀଣ ପରିବାରଙ୍କ ପାଇଁ ଆଶାର ଆଲୋକ ପାଲଟିଥିଲା, ତାହା ଆଜି ନିଜର ଅସ୍ତିତ୍ୱ ହରାଇବାକୁ ବସିଛି।
ପ୍ରାପ୍ତ ତଥ୍ୟ ଅନୁସାରେ, ୧୯୭୯ ମସିହାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI), କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହି ସଂସ୍ଥାର ପ୍ରତିଷ୍ଠା କରାଯାଇଥିଲା। କନ୍ଧମାଳ ଭଳି ଆଦିବାସୀ ବହୁଳ ଓ ଆର୍ଥିକ ଦୃଷ୍ଟିରୁ ପଛୁଆ ଅଞ୍ଚଳରେ ଲୋକଙ୍କୁ ଜୀବିକାର ସୁଯୋଗ ଯୋଗାଇଦେବା, ନିଜସ୍ୱ ଉଦ୍ୟୋଗ ସୃଷ୍ଟି କରିବା ଏବଂ ଆର୍ଥିକ ସ୍ୱାବଲମ୍ବନ ର ବାଟ ଦେଖାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ସଂସ୍ଥା ପକ୍ଷରୁ ସେତେବେଳେ ବିଭିନ୍ନ ପ୍ରକାର ଜୀବିକା ଭିତ୍ତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଗୋପାଳନ, କୃଷି କାର୍ଯ୍ୟ, ପମ୍ପ ମରାମତି, କୁକୁଡ଼ା ଚାଷ ପାଇଁ ଚିଆଁ ଯୋଗାଣ ଆଦି କ୍ଷେତ୍ରରେ ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଥିଲା। ଏଥିସହିତ ଯୁବକଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ ବୃତ୍ତି ଭିତ୍ତିକ ତାଲିମ ଓ ଡ୍ରାଇଭିଂ ତାଲିମର ବ୍ୟବସ୍ଥା ମଧ୍ୟ ରହିଥିଲା।
ବିଶେଷକରି ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ସଂସ୍ଥାର ଭୂମିକା ଉଲ୍ଲେଖନୀୟ ଥିଲା। ମହିଳା ଗୋଷ୍ଠୀମାନଙ୍କୁ ଋଣ ସହାୟତା ଯୋଗାଇଦେବା ସହ ସେମାନଙ୍କୁ ଛୋଟଛୋଟ ଉଦ୍ୟୋଗ ଓ ଜୀବିକା ନିର୍ବାହ ପାଇଁ ଉତ୍ସାହିତ କରାଯାଉଥିଲା। ଏହାଦ୍ୱାରା ଅନେକ ପରିବାର ନିଜସ୍ୱ ଆୟର ପନ୍ଥା ଖୋଜିବା ସହ ଆର୍ଥିକ ସ୍ଥିତିରେ ସୁଧାର ଆଣିବାର ସୁଯୋଗ ପାଇଥିଲେ। ସଂସ୍ଥାର ସୁପରିଚାଳନା ଓ କାର୍ଯ୍ୟକ୍ରମର ତଦାରଖ ପାଇଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କୁ ପ୍ରକଳ୍ପ ନିର୍ଦ୍ଦେଶକ (Project Director) ଭାବେ ନିଯୁକ୍ତି ଦିଆଯାଉଥିଲା। ଏହି ସଂସ୍ଥାର କାର୍ଯ୍ୟକ୍ରମ କେବଳ ଜିଲ୍ଲା କିମ୍ବା ରାଜ୍ୟ ସ୍ତରରେ ସୀମିତ ନଥିଲା। ଏହାର କାର୍ଯ୍ୟର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଯୁଗ୍ମ ସଚିବ ସ୍ତରର ଅଧିକାରୀ ମଧ୍ୟ ଆସୁଥିବା କୁହାଯାଏ। ଏଥିରୁ ସଂସ୍ଥାର ଗୁରୁତ୍ୱ ଓ ଜାତୀୟ ସ୍ତରରେ ଏହାର କାର୍ଯ୍ୟକ୍ରମ ପ୍ରତି ରହିଥିବା ଆଗ୍ରହ ସ୍ପଷ୍ଟ ହୁଏ। କିନ୍ତୁ ସମୟ ବଦଳିବା ସହିତ ସଂସ୍ଥାର ପରିଚାଳନା ଓ କାର୍ଯ୍ୟକ୍ରମ ପ୍ରତି ସମ୍ପୃକ୍ତ ଅଧିକାରୀମାନଙ୍କ ଆଗ୍ରହ କ୍ରମେ ହ୍ରାସ ପାଇଥିଲା। ଆବଶ୍ୟକ ତଦାରଖ, ନିୟମିତ ଆର୍ଥିକ ସହାୟତା ଓ ଯୋଜନାର ସଠିକ୍ କାର୍ଯ୍ୟାନ୍ୱୟନ ଅଭାବରୁ ସଂସ୍ଥା ଟି ଧୀରେଧୀରେ ରୁଗ୍ଣ ହୋଇପଡ଼ିଥିଲା। ଏହି ପରିସ୍ଥିତିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସଂସ୍ଥାରେ ବିନିଯୋଗ କରିଥିବା ପ୍ରାୟ ୨୫ ଲକ୍ଷ ଟଙ୍କା ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି। ଅନ୍ୟପଟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ପୂର୍ବଭଳି ଗୁରୁତ୍ୱ ଓ ସହଯୋଗ ମିଳିନଥିଲା।ଫଳରେ ଦିନେ ଯେଉଁ ସଂସ୍ଥା ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି, ମହିଳା ସଶକ୍ତୀ କରଣ ଓ ଆର୍ଥିକ ବିକାଶର ମାଧ୍ୟମ ହୋଇଥିଲା, ତାହାର କାର୍ଯ୍ୟକଳାପ କ୍ରମଶଃ ସଙ୍କୁଚିତ ହୋଇଗଲା। ଏହାର ପ୍ରତ୍ୟକ୍ଷ ପ୍ରଭାବ ସ୍ଥାନୀୟ ଯୁବପିଢ଼ି ଓ ଗରିବ ପରିବାରଙ୍କ ଉପରେ ପଡ଼ିଥିଲା। ନିଜ ଅଞ୍ଚଳରେ ତାଲିମ ଓ ରୋଜଗାରର ସୁଯୋଗ ନପାଇ ଅନେକ ଯୁବକଯୁବତୀ ବାହାର ରାଜ୍ୟକୁ କାମଧନ୍ଦା ଅନ୍ୱେଷଣରେ ଯିବାକୁ ବାଧ୍ୟ ହେଉଛନ୍ତି। କନ୍ଧମାଳ ଜିଲ୍ଲାରେ ଦାଦନ ସମସ୍ୟା ଦିନକୁ ଦିନ ଚିନ୍ତାଜନକ ହେଉଥିବା ବେଳେ ସ୍ଥାନୀୟ ସ୍ତରରେ ଏଭଳି ଏକ ଜୀବିକା ବିକାଶ ସଂସ୍ଥାର ଅଚଳ ହୋଇ ପଡ଼ିବାକୁ ଏକ ବଡ଼ କ୍ଷତି ଭାବେ ଦେଖାଯାଉଛି। ଯଦିଓ ଦାଦନ ବୃଦ୍ଧିର ଏକମାତ୍ର କାରଣ ଏହି ସଂସ୍ଥାର ଅଚଳାବସ୍ଥା ବୋଲି କହିବା ପାଇଁ ତଥ୍ୟ ଆବଶ୍ୟକ, ତଥାପି ସ୍ଥାନୀୟ ରୋଜଗାର ଓ ତାଲିମ ସୁଯୋଗ ହ୍ରାସ ପାଇବା ଏହି ସମସ୍ୟାକୁ ଅଧିକ ଜଟିଳ କରିଥାଇ ପାରେ।
ପୁନରୁଦ୍ଧାର ପାଇଁ ଉଠିଲା ଦାବି ବର୍ତ୍ତମାନ ସମୟରେ ରାଜ୍ୟ ସରକାର ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ, ମହିଳା ସଶକ୍ତୀ କରଣ, ଗ୍ରାମୀଣ ଉଦ୍ୟୋଗ ଓ ସ୍ଥାନୀୟ ରୋଜଗାର ଉପରେ ଗୁରୁତ୍ୱ ଦେଉଥିବା ବେଳେ ଘୁ. ଉଦୟଗିରିର ଏହି ପୁରାତନ ସଂସ୍ଥାର ପୁନରୁଦ୍ଧାର ଅତ୍ୟନ୍ତ ପ୍ରାସଙ୍ଗିକ ହୋଇପଡ଼ିଛି। ଏଥିପାଇଁ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମିଳିତ ଭାବେ ପଦକ୍ଷେପ ନେବା ଆବଶ୍ୟକ। ସଂସ୍ଥାର ପୂର୍ବତନ କାର୍ଯ୍ୟକଳାପ, ସମ୍ପତ୍ତି, ଆର୍ଥିକ ସ୍ଥିତି ଓ ବର୍ତ୍ତମାନର ଆଇନଗତ ସ୍ଥିତିର ସମୀକ୍ଷା କରାଯାଇ ଏହାକୁ ପୁନର୍ବାର କାର୍ଯ୍ୟକ୍ଷମ କରାଗଲେ ଅଞ୍ଚଳର ବେକାର ଯୁବକଯୁବତୀ, ଆଦିବାସୀ ପରିବାର ଓ ମହିଳା ଗୋଷ୍ଠୀ ଉପକୃତ ହୋଇପାରିବେ। କନ୍ଧମାଳର ଆର୍ଥିକ ବିକାଶ ଓ ଦାଦନ ସମସ୍ୟାର ମୁକାବିଲା ପାଇଁ ନୂଆ ନୂଆ ଯୋଜନା ଘୋଷଣା କରିବା ସହିତ ପୂର୍ବରୁ ସଫଳତାର ସହ କାର୍ଯ୍ୟ କରିଥିବା ଏଭଳି ସଂସ୍ଥାଗୁଡ଼ିକୁ ପୁନର୍ଜୀବିତ କରିବା ମଧ୍ୟ ସମୟର ଆହ୍ୱାନ। ଏହି ସଂସ୍ଥାର ପୁନରୁଦ୍ଧାର ହେଲେ ଘୁ. ଉଦୟଗିରି ସମେତ ସମଗ୍ର କନ୍ଧମାଳ ଜିଲ୍ଲାର ଗ୍ରାମୀଣ ଅର୍ଥନୀତିକୁ ନୂଆ ଦିଗ ମିଳିପାରିବ। ଏବେ ଦେଖିବାକୁ ବାକି ରହିଲା, ସରକାର ଓ SBI ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ପୁନରୁଦ୍ଧାର ଦିଗରେ କେବେ ଓ କି ପଦକ୍ଷେପ ନେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ