ଆଲୋକର ପର୍ବ ଦୀପାବଳୀ ଉତ୍ସବ ପାଳିତ
ଆସିକା (ୱାଇଏନ୍ଏସ୍): ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ରବିବାର ଆଲୋକର ପର୍ବ ଦୀପାବଳୀ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଥିବା ଦେଖିବାକୁ ମିଳିଛି। ଆଲୋକର ପର୍ବ ଦୀପାବଳୀ ଅବସରରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ପିଠାପଣାର ଆସର ଜମିଥିବା ବେଳେ ପିତୃପୁରୁଷଙ୍କ ଡାଙ୍ଗ ଦେଖାଇ ପୂଜାର୍ଚ୍ଚନା କରି ଆତସବାଜି ଫୁଟାଇ ଖୁସି ମନାଇଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଘରକୁ ଆଲୋକ ମାଳାରେ ସଜ୍ଜିତ କରାଯାଇଥିଲା ବେଳେ ପ୍ରତ୍ୟେକେ ନିଜ ଘର ସମ୍ମୁଖରେ ଦୀପ ଜଳାଇଥିବା ଦେଖିବାକୁ ମିଳିଥିଲା। ସଂପଦ, ସମୃଦ୍ଧି ଓ ଆଲୋକର ପର୍ବ ଦୀପାବଳୀ ରବିବାର ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ଶେଷ ହୋଇଯାଇଛି । ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ସବୁଠାରୁ ଶୁଭ ମୁହୁର୍ତ୍ତ ଦୀପାବଳୀ ରାତ୍ର ହୋଇଥିବାରୁ ଏହି ରାତ୍ରରେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ପାଇଁ ଘରର ବିଭିନ୍ନ ସ୍ଥାନରେ ଉତ୍ସୁକତାର ସହ ଦୀପ ଲଗାଯାଇଥିବା ଦେଖିବାକୁ ମିଳିଥିଲା । ଦୀପାବଳୀ ଅବସରରେ ଆସିକା ଅଞ୍ଚଳବାସୀ ଆତସବାଜି ଫୁଟାଇ ଆନନ୍ଦର ମଜା ନେଇଥିବା ବେଳେ ଅନ୍ଧକାର ଉପରେ ଆଲୋକର ବିଜୟ ଓ ଅଧର୍ମ ଉପରେ ଧର୍ମର ବିଜୟ ପାଇଁ ଦିପାବଳୀ ଉତ୍ସବ ପାଳନ କରାଯାଉଥିବା ଯୋଗୁଁ ପରମ୍ପରା ଓ ପ୍ରଥା ଅନୁସାରେ ପୂର୍ବପୁରୁଷଙ୍କ ଆତ୍ମାର ସଦଗତି ପାଇଁ ବିଭିନ୍ନ ସ୍ଥାନରେ ହିନ୍ଦୁ ସଂପ୍ରଦାୟର ବ୍ୟକ୍ତିମାନେ “ବଡବଡୁଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ” କହି ପିଣ୍ଡଦାନ କରି କାଉଁରିଆ କାଠି ଜାଳି ପୂର୍ବପୁରୁଷଙ୍କୁ ସୁମରଣ କରିଥିଲେ । ଆଲୋକର ପର୍ବ ଦିପାବଳୀକୁ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ଲାଗି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ପୁଲିସ ପ୍ରଶାସନ ପକ୍ଷରୁ ଥାନା ପରିସରଭୁକ୍ତ ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଥିବା ଦେଖିବାକୁ ମିଳିଥିଲା ।


