ଦିଗପହଣ୍ଡିରେ ବାଘ ଆତଙ୍କ ନେଇ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ : ବନବିଭାଗ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ବ୍ରହ୍ମପୁର ବନଖଣ୍ଡ ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧିନ କେରାଣ୍ଡିମାଳ ସଂରକ୍ଷିତ ଜଙ୍ଗଲ ବି. ତୁରୁବୁଡିି ଫରେଷ୍ଟ ବିଟ୍ ର ଖଜୁରୀପଲ୍ଲୀ ଗ୍ରାମରେ ବାଘ ଆତଙ୍କ ଖବର ଏକ ଗୁଜବ।ଏଥିରେ କୌଣସି ସତ୍ୟତା ନାହିଁ ବୋଲି ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ କହିଛନ୍ତି। ରବିବାର ସକାଳେ ଗ୍ରାମ ସଂଲଗ୍ନ ଚାଷ ଜମି ହିଡ ରେ କିଛି ବନ୍ୟଜନ୍ତୁ ର ପାଦ ଚିହ୍ନ ଦେଖିଥିଲେ। ଏହି ପାଦ ଚିହ୍ନ ବାଘର ବୋଲି ପ୍ରଚାରିତ ହେବା ପରେ ଗ୍ରାମ ସମେତ ଆଖପାଖ ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ସମ୍ପୃକ୍ତ ଚାଷଜମି ହିଡ ରେ ପହଞ୍ଚି କିଛି ବନ୍ୟଜନ୍ତୁ ଙ୍କ ପାଦ ଚିହ୍ନ ଦେଖିଥିଲେ। ଏହା ବାଘର ପାଦ ଚିହ୍ନ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଦିଗପହଣ୍ଡି ବନ ବିଭାଗ କାର୍ଯ୍ୟାଳୟକୁ ସୂଚନା ଦିଆଯିବା ପରେ ରେଞ୍ଜର ଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ଫରେଷ୍ଟର ସନ୍ତୋଷ କୁମାର ବିଷୋୟୀରତ୍ନ,ବି. ତୁରୁବୁଡ଼ି ଫରେଷ୍ଟ ବିଟ୍ ର ଫରେଷ୍ଟ ଗାର୍ଡ ଉର୍ମିଳା ବେହେରା ଏବଂ ୪ ପାରା ବନ କର୍ମଚାରୀ ଗ୍ରାମରେ ପହଞ୍ଚି ବାଘ ପାଦ ଚିହ୍ନ ପଡ଼ିଥିବା କୁହାଯାଉଥିବା ଚାଷଜମି ହିଡ କୁ ଯାଇଥିଲେ। ପାଦ ଚିହ୍ନ ଅନ୍ୟ କୌଣସି ଜନ୍ତୁର। ବାଘର ନୁହେଁ ବୋଲି ଜଣାପଡିବା ପରେ ବନ କର୍ମଚାରୀ ବୃନ୍ଦ ଗ୍ରାମବାସୀ ଙ୍କ ସହ ଏନେଇ ବିସ୍ତୃତ ଆଲୋଚନା କରିଥିଲେ। ଏହା ବାଘର ପାଦ ଚିହ୍ନ ନୁହେଁ ବୋଲି ସେମାନଙ୍କୁ ସଚେତନ କରାଯାଇଥିଲା । ତଥାପି ଗୃହପାଳିତ ପ୍ରାଣୀ ମାନଙ୍କୁ ରାତିରେ ବାହାରେ ଛାଡି ନଦେଇ ଗୁହାଳ ରେ ବାନ୍ଧି ରଖିବା ସହ ଗ୍ରାମବାସୀ ସତର୍କ ଓ ସୁରକ୍ଷିତ ରହିବା ପାଇଁ ପରାମର୍ଶ ଦେଇ ବନ କର୍ମଚାରୀ ବୃନ୍ଦ ଫେରିଥିବା ଜଣାପଡ଼ିଛି। ଏନେଇ ଦିଗପହଣ୍ଡି ରେଞ୍ଜର ଙ୍କୁ ପଚାରିବାରୁ ବାଘ ଆତଙ୍କ ଏକ ଗୁଜବ। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରାଯିବା ସହ ଅଯଥାରେ ଲୋକଙ୍କୁ ଭୟଭୀତ କରାଯାଉଛି ବୋଲି ସେ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି।