ଶାଳଣିଆଁର ଗର୍ବ ଡ଼କ୍ଟର ଅଭୟାନନ୍ଦ ବେହେରା

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲାର ହାଟଦିହି ବ୍ଲକ୍‌ ଅଧୀନ ଶାଳଣିଆଁ ଗାଁ ପାଇଁ ଏକ ଗର୍ବ ଆଣିଦେଇଛନ୍ତି  ଡ଼କ୍ଟର ଅଭୟାନନ୍ଦ ବେହେରା।  ଏହି ଗାଁର ସୁପୁତ୍ର ଡ଼କ୍ଟର ଅଭୟାନନ୍ଦ ବେହେରା ‘ସ୍କୁଲ ଅଫ ଲାଇଫ ସାଇନ୍ସ’ ରେ ହାଇଦ୍ରାବାଦ ୟୁନିଭରସିଟରୁ ପଶୁ ଜୈବ ବିଜ୍ଞାନ ବିଷୟରେ ଡକ୍ଟର ଅଫ୍‌ ଫିଲୋସଫି ଡିଗ୍ରୀ ଲାଭ କରିଛନ୍ତି। ଡ.ବେହେରା ତାଙ୍କ ଗବେଷଣା କାର୍ଯ୍ୟ  ପ୍ତଫେସର ଏ. ବିନ୍ଦୁ ମାଧବ ରେଡିଙ୍କ ସୁପରିଦର୍ଶନାରେ ସଫଳତାର ସହିତ ସମ୍ପନ୍ନ କରିଛନ୍ତି। ତାଙ୍କ ଗବେଷଣାର ବିଷୟ ଥିଲା ରକ୍ତ କର୍କଟ ରୋଗ  ସହିତ ସମ୍ପୃକ୍ତ ସିଗ୍ନାଲିଂ ମେକାନିଜମ୍‌ ଓ ତାହାର ଚିକିତ୍ସାତ୍ମକ ପଥ, ଯାହା ଭବିଷ୍ୟତରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିପାରିବ। ଡା. ଅଭୟାନନ୍ଦ ବେହେରା ଜଣେ ଗରିବ ଓ ସାଧାରଣ କୃଷକ ପରିବାରର ସନ୍ତାନ ହୋଇଥିବା ବେଳେ ତାଙ୍କ ପିତା ଶ୍ରୀ ଅନିରୁଦ୍ଧ ବେହେରା ଜଣେ କୃଷକ,  ଏବଂ ମାତା ଶ୍ରୀମତୀ ଅହଲ୍ୟା ବେହେରା ଜଣେ ଗୃହିଣୀ। ଆର୍ଥିକ ଅଭାବ, ପରିସ୍ଥିତିର ସଂଘର୍ଷ ଓ ଅନେକ ବାଧା ସତ୍ତ୍ୱେ ସେ ଅଦମ୍ୟ ସାହସ, ଧୈର୍ଯ୍ୟ ଓ କଠୋର ପରିଶ୍ରମ ଦ୍ୱାରା ଏହି ସଫଳତା ଅର୍ଜନ କରିପାରିଛନ୍ତି। ଗାଁର ସାଧାରଣ ପରିବେଶରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ଆଜି ଅନେକ ଯୁବପ୍ରଜନ୍ମଙ୍କ ପାଇଁ ପ୍ରେରଣା। ସେ ତାଙ୍କର ଏମ. ଏସ. ସି . ଶିକ୍ଷା ରେଭେନ୍ସା ୟୁନିଭରସିଟ ରୁ ସମ୍ପୂର୍ଣ୍ଣ କରିବା ପରେ ୟୁନିଭରସିଟ University ଅଫ ହାଇଦ୍ରାବାଦ ରେ  ପିଏଚଡି ଗବେଷଣା ଛାତ୍ର ଭାବେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ଭାରତ ସରକାରଙ୍କ ଅଟୋମିକ ଏନର୍ଜି   ଅଧୀନରେ ଥିବା ଟାଟା ମେମୋରିଆଲ୍ କ୍ୟାନ୍ସର ହସ୍ପିଟାଲରେ ପୋଷ୍ଟଡକ୍ଟୋରାଲ୍ ଗବେଷକ ଭାବେ ଯୋଗ ଦେଇଛନ୍ତି। ଡା. ବେହେରା ତାଙ୍କ ଏହି ସଫଳତାର ଶ୍ରେୟ ତାଙ୍କ ପିତାମାତା, ପରିବାର ସଦସ୍ୟ, ଗୁରୁଜନ ଓ ସମସ୍ତ ଶୁଭେଚ୍ଛୁଙ୍କୁ ଦେଇଛନ୍ତି। ସେ ବିଶେଷଭାବେ ତାଙ୍କ ବଡ଼ ବାପା ଶ୍ରୀଯୁକ୍ତ ନାରାୟଣଚନ୍ଦ୍ର ବେହେରା, ତାଙ୍କ ଭଉଣୀ ଶ୍ରୀମତୀ ଜୟଶ୍ରୀ ଜେନା, ଭାଇ ଡା. ଗଣେଶ କୁମାର ବାରିକ୍, ଭାଇ  ଶ୍ରୀଯୁକ୍ତ ଅଜୟ କୁମାର ନାୟକ ଏବଂ ବନ୍ଧବୀ ଡା. ଦେବାସ୍ମିତା ନାୟକ (ସହାୟକ ପ୍ରଫେସର)ଙ୍କୁ ଜୀବନ ଯାତ୍ରାର ପ୍ରତ୍ୟେକ ମୁହୂର୍ତ୍ତରେ ମିଳିଥିବା ସହଯୋଗ, ପ୍ରେରଣା ଓ ଆଶୀର୍ବାଦ ପାଇଁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ଜଣେ କୃଷକଙ୍କ ପୁଅ ଗାଁରୁ ଆରମ୍ଭ କରି ପିଏଚଡି ପର୍ଯ୍ୟନ୍ତ ପହଞ୍ଚିବା ଏହି ଯାତ୍ରା ଆଜି କେବଳ ଶାଳଣିଆଁ ଗାଁ ପାଇଁ ନୁହେଁ, ସମଗ୍ର କେଉଁଝର ଜିଲ୍ଲା ପାଇଁ ଗର୍ବର ବିଷୟ ହୋଇଛି ଏବଂ ତାଙ୍କର ଏହି ସଫଳତା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଏକ ନୂଆ ଦିଶା ଦେଖାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ