ଶିକ୍ଷାବିଭାଗ ପକ୍ଷରୁ ଆସିକାରେ ପ୍ରବେଶ ଉତ୍ସବ ସମାରୋହ

ଆସିକା (ୱାଇଏନ୍‍ଏସ୍‍) :ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ବିଦ୍ୟାଳୟ ଶିକ୍ଷ କାର୍ଯ୍ୟକ୍ରମ ପ୍ରାଧିକରଣର ପରାମର୍ଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେନ୍ଦୁପଦର, ନିମିନା, ବାଲିସିରା, ଗଙ୍ଗାପୁର, କେ.ନୁଆଁପଲ୍ଲୀ, ଆସିକା ଏନ୍‍ଏସି, କାଳଷଣ୍ଢପୁର, ହରିଡାପଦର, ଖାରିଆ, ନଳବଣ୍ଟା, ବଡଖୋଲି, ବାବନପୁର, ଭେଟନଇ କ୍ଳଷ୍ଟର ଅଧୀନସ୍ଥ ୧୩୫ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ବିଦ୍ୟାଳୟ ପ୍ରବେଶ ଉତ୍ସବ, ଖଡିଛୁଆଁ ଦିବସ, ବାଲ୍‍ବାଟିକା ଓ ପ୍ରଥମ ଶ୍ରେଣୀରେ ନାମଲେଖା ଉତ୍ସବ ଆରମ୍ଭ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରିଣୀ ମୁନ୍‍ରାଣୀ ମହାନ୍ତିଙ୍କ ପରାମର୍ଶକ୍ରମେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ଭଂଜ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ସରକାରୀ ବିଦ୍ୟାଳୟ ଗୁଡିକରେ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟ ପ୍ରବେଶ ଉତ୍ସବ, ଖଡିଛୁଆଁ ଦିବସ, ପ୍ରଥମ ଶ୍ରେଣୀ ଓ ବାଲ୍‍ବାଟିକାରେ ନାମଲେଖା କାର୍ଯ୍ୟକ୍ରମ ପାଳନ ଅବସରରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସିଥିବା କିଟ୍‍ ପ୍ରଦାନ କରି ସ୍ୱାଗତ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୬ ଶିଶୁବାଟିକାର ଶୁଭାରମ୍ଭ ଅବସରରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ ଟି କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟରେ ପ୍ରଥମ ଦିବସରେ ବାଲ୍‍ବାଟିକାରେ ୪୨୯ ଜଣ ଶିଶୁ ଏବଂ ପ୍ରଥମ ଶ୍ରେଣୀରେ ୩୩ ଜଣ ଶିିକ୍ଷାର୍ଥୀ ନାମ ଲେଖାଇଥିବା ଜଣାପଡିଛି । ଆସିକା ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ପ୍ରବେଶ ଉତ୍ସବ ସମାରୋହ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀମାନେ ଶିଶୁବାଟିକାରେ ନାମ ଲେଖାଇବା ପାଇଁ ଆସିଥିବା କୁନି କୁନି ଶିଶୁଙ୍କୁ ଆଗ୍ରହ ଓ ଆଦରର ସହକାରେ କୋଳରେ ବସାଇ ଦୁବ ବରକୋଳିପତ୍ର ଏବଂ ଫୁଲରେ ବନ୍ଦାପନା କରି ମଥାରେ ଚନ୍ଦନ ଟିକା ଲଗାଇ ଖଡିଛୁଆଁର ଶୁଭାରମ୍ଭ କରିଥିବା ଦେଖିବାକୁ ମିଳିଥିଲା । ଓଡିଆ ପକ୍ଷ ପାଳନ ଅବସରରେ ଆସିକା ଅଞ୍ଚଳରେ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ଖଡିଛୁଆଁ ଓ ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଥିଲା ବେଳେ ଶିକ୍ଷାବିଭାଗ ପକ୍ଷରୁ କୋମଳମତି ଶିଶୁମାନଙ୍କୁ ଶିକ୍ଷାଦୀକ୍ଷାରେ ସାମିଲ୍‍ କରିବା ସହ ନୂତନ ଶିକ୍ଷାବର୍ଷରେ ସେମାନଙ୍କ ଶିକ୍ଷାଯାତ୍ରାକୁ ଅଧିକ ରୁଚିପୂର୍ଣ୍ଣ କରିବାକୁ ପରାମର୍ଶ ଦିଆଯାଇଥିଲା ବେଳେ ଶିଶୁଙ୍କ ପାଇଁ ଶିକ୍ଷା ହିଁ ପ୍ରକୃତ ସମ୍ପଦ ହୋଇଥିବାରୁ ଶିଶୁମାନେ ବିଦ୍ୟା ପ୍ରତି ଯେପରି ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରିପାରିବେ ତାହାକୁ ଦୃଷ୍ଟିରେ ରଖି ନବାଗତ ଶିଶୁମାନଙ୍କୁ ନିୟମିତ ବିଦ୍ୟାଳୟକୁ ପଠାଇବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦିଆଯାଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ