ଟେଣ୍ଡର ତୃଟିରେ ଅଟକିଲା ବୈଦ୍ୟୁତିକ ଯାନ(ଇଭି) ଯୋଜନା: ୮ ଆବେଦନ ବାତିଲ, ପୁଣି ହେବ ଟେଣ୍ଡର
ବନ୍ତ(ଚାନ୍ଦିନୀ ମହାନ୍ତି) : ସମସ୍ତ ସରକାରୀ କାର୍ଯ୍ୟାଳୟରେ ବୈଦ୍ୟୁତିକ ଯାନ(ଇଭି) ଗାଡିର ବ୍ୟବହାର ନେଇ ସରକାରୀ ନିର୍ଦ୍ଦେଶ ଥିବା ବେଳେ ଭଦ୍ରକ ଜିଲା ବନ୍ତ ବ୍ଲକ ପ୍ରଶାସନରେ ଏହାର ବ୍ୟବହାର ନେଇ ଅବ୍ୟବସ୍ଥା ପରିଲକ୍ଷିତ ହୋଇଛି । ୭ ସିଟ୍ ଥିବା ଇଭି ଗାଡି ଭଡାରେ ନେବା ପାଇଁ ହୋଇଥିବା ଟେଣ୍ଡରରେ ଆବେଦନ କରିଥିବା ସମସ୍ତ ୮ ଜଣଙ୍କ ଆବେଦନକୁ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ବାତିଲ କରାଯାଇଛି । ଏନେଇ ପଞ୍ଚାୟତ ସମିତି ଚିଠି ନଂ-୪୦୭୧/ତା୭-୯-୨୬ ଅନୁଯାୟୀ ଆଦେଶନାମା ପ୍ରକାଶ ପାଇଛି । ପ୍ରକାଶିତ ଆଦେଶନାମା ଅନୁଯାୟୀ, ନିର୍ଦ୍ଧାରିତ ସର୍ତ୍ତାବଳୀ ଅନୁଯାୟୀ ମାସିକ ୫୫ ହଜାର ଟଙ୍କା ଭଡାରେ ସରକାରୀ ବ୍ୟବହାର ପାଇଁ ଚାଳକ ସମେତ ଗୋଟିଏ ଇଭି ଗାଡି ଭଡାରେ ଯୋଗାଇ ଦେବା ପାଇଁ ପଞ୍ଚାୟତ ସମିତି ପକ୍ଷରୁ ବିଜ୍ଞପ୍ତି ସଂଖ୍ୟା-୩୮୩୩/ତା-୧୪-୮-୨୬ ଅନୁଯାୟୀ ଟେଣ୍ଡର ଆହ୍ୱାନ ଏବଂ ୩୭୧୯/ତା-୨୧-୮-୨୬ ଜରିଆରେ ଆମନ୍ତ୍ରଣ କରାଯାଇଥିଲା । ଟେଣ୍ଡରଦାତା ମାନଙ୍କୁ ନିର୍ଦ୍ଧାିରିତ ଫର୍ମାଟରେ ପରିଶିଷ୍ଠ-ଖ ରେ ସମ୍ପୂର୍ଣ୍ଣ ସାଧାରଣ ବିଡ୍ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଥିଲା । ଯେଉଁଥିରେ ଗାଡିର ତିଆରି ଏବଂ ମଡେଲ, ନିର୍ମାଣ ଏବଂ ପଞ୍ଜୀକରଣର ବର୍ଷ, ତାରିଖ, ପଞ୍ଜୀକରଣ ନମ୍ବର, ଡ୍ରାଇଭରଙ୍କ ନାମ, ଡ୍ରାଇଭିଂ ଲାଇସେନ୍ସ ନମ୍ବର, ଯାନ ପରମିଟ, ଫିଟନେସ ପ୍ରମାଣପତ୍ର, ବୀମା ବିବରଣୀ ସହିତ ଏହାର ବୈଧତା ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ରହିଥିଲା । ଏହି ଟେଣ୍ଡର ନୋଟିସ ଜବାବରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ୮ଟି ଟେଣ୍ଡର ଆବେଦନ ଗ୍ରହଣ କରାଯାଇଥିଲା । ସେହିଦିନ ଅପରାହ୍ନରେ ଟେଣ୍ଡର ଆବେଦନ ଗୁଡିକ ଖୋଲା ଯାଇଥିଲା । ଯାଞ୍ଚ ପରେ ସାଧାରଣ ବିଡ୍ ସୂଚନା ସିଟ୍(ସଂଲଗ୍ନ-ଖ)ରେ ଟେଣ୍ଡରଦାତାଙ୍କ ଦ୍ୱାରା ଆବଶ୍ୟକୀୟ ସୂଚନା ସଠିକ୍ ଏବଂ ସମ୍ପୂର୍ଣ୍ଣ ଭାବରେ ଦିଆଯାଇନଥିଲା । ଉପରୋକ୍ତ ତୃଟି ଏବଂ ଟେଣ୍ଡର ଆହ୍ୱାନ ନୋଟିସରେ ଉଲ୍ଲେଖିତ ଆବଶ୍ୟକତା ପୂରଣ ନହେବା ଦୃଷ୍ଟିରୁ ଟେଣ୍ଡର କମିଟି ସମସ୍ତ ଟେଣ୍ଡର ଆବେଦନକୁ ବାତିଲ କରିଥିଲା । ଅପରପକ୍ଷେ ବ୍ଲକ ପ୍ରଶାସନ ପକ୍ଷରୁ ନୂତନ ଟେଣ୍ଡର ଆହ୍ୱାନ ନୋଟିସ ଖୁବ ଶିଘ୍ର ଜାରି କରାଯିବ ବୋଲି ବିଡିଓ ଆଦେଶନାମାରେ ସୂଚନା ଦେଇଛନ୍ତି । ଯେଉଁ ଟେଣ୍ଡରଦାତା ମାନେ ବାତିଲ ହୋଇଥିବା ଟେଣ୍ଡର ପାଇଁ ପୂର୍ବରୁ ୫ ହଜାର ଆବେଦନ ଫି ଜମା କରିଛନ୍ତି, ସେମାନେ ପୁନଃ ଟେଣ୍ଡର ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ପାରିବେ ଏବଂ ସେମାନଙ୍କୁ ପୁଣି ଥରେ ଆବେଦନ ଫି ଦେବାକୁ ପଡିବ ନାହିଁ ବୋଲି ଆଦେଶନାମାରେ ଉଲ୍ଲେଖ ରହିଛି । ଅପରପକ୍ଷେ ଟେଣ୍ଡର ଆହ୍ୱାନ ପୂର୍ବରୁ ଆବଶ୍ୟକ ସର୍ତ୍ତ ଓ ନିମୟାବଳୀ ସମ୍ପର୍କରେ ଆବେଦନକାରୀଙ୍କୁ ଅବଗତ କରାଯାଇଥିଲା କି ? ଯଦି ନିୟମ ଅନୁଯାୟୀ ଆବଶ୍ୟକ ସୂଚନା ଦାଖଲ କରିବାର ଥିଲା, ତେବେ ୮ ଆବେଦନ ମଧ୍ୟରୁ ଗୋଟିଏ ମଧ୍ୟ ଯୋଗ୍ୟ ବିବେଚିତ ନହେବା ପଛରେ ପ୍ରଶାସନିକ ପ୍ରକ୍ରିୟାରେ ତୃଟି ରହିଛି କି ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟ ପକ୍ଷରେ ରାଜ୍ୟ ଅର୍ଥ ବିଭାଗର ମେମୋରେଣ୍ଡମ ନଂ-୧୪୫୮୩/ତା୪-୬-୨୬ ଅନୁଯାୟୀ ସରକାରୀ କାର୍ଯ୍ୟ ପାଇଁ ଇଭି ବ୍ୟବହାର ନେଇ ନିର୍ଦ୍ଦେଶ ରହିଛି । ଏହା ସତ୍ତେବନ୍ତ ବ୍ଲକରେ ଏପର୍ଯ୍ୟନ୍ତ ଇଭି ଗାଡି ଚୁଡାନ୍ତ ନହେବା ନେଇ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି । ଏଭଳ ି ପୁନଃ ଟେଣ୍ଡର ପ୍ରକ୍ରିୟାରେ ସରକାରୀ ସମୟ ଓ ପ୍ରଶାସନିକ ସମ୍ପଦର ଅପଚୟ ହେଉନାହିଁ କି? ଟେଣ୍ଡର ପ୍ରକ୍ରିୟାରେ ପୂର୍ବରୁ ଆବଶ୍ୟକ ଯାଞ୍ଚ ଓ ମାର୍ଗ ଦର୍ଶନ କାହିଁକି ଦିଆଗଲା ନାହିଁ । ଏଭଳି ଅନେକ ପ୍ରଶ୍ନ ଏବେ ବ୍ଲକ ପ୍ରଶାସନ ସମ୍ମୁଖରେ ଉଭା ହୋଇଛି । ଏସମ୍ପର୍କରେ ବିଡିଓ ସୀତାକାନ୍ତ ରାଉତଙ୍କୁ ପଚାରିବାରୁ ଟେଣ୍ଡର ବିଜ୍ଞପ୍ତିରେ ସମସ୍ତ ଆବଶ୍ୟକ ତଥ୍ୟ, ସୂଚନା ପ୍ରଦାନ କରିବାକୁ ସମସ୍ତ ଅବେଦନକାରୀଙ୍କୁ ଅବଗତ କରାଯାଇଥିଲା । ସେମାନେ ଆବଶ୍ୟକ ତଥ୍ୟ ଓ ସୂଚନା ପ୍ରଦାନ ନକରିବାରୁ ସମସ୍ତ ଆବେଦନକୁ ବାତିଲ କରାଯାଇ ଖୁବ ଶିଘ୍ର ପୁନଃ ଟେଣ୍ଡର ନୋଟିସ ପ୍ରକାଶ ପାଇବ ବୋଲି କହିଥିଲେ ।


