ଘୁ.ଉଦୟଗିରି ବନାଞ୍ଚଳରେ ହାତୀ ଉପଦ୍ରବ
କନ୍ଧମାଳ(ଓ୍ବାଇଏନଏସ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବନାଞ୍ଚଳରେ ଦୀର୍ଘଦିନ ଧରି ହାତୀ ଉପଦ୍ରବ ଜାରି ରହିଛି। ଗତ କିଛିଦିନ ହେଲା ଏକ ଗୋଠଛଡ଼ା ହାତୀ ବିଭିନ୍ନ ଗ୍ରାମରେ ପଶି ଆତଙ୍କ ସୃଷ୍ଟି କରୁଥିବା ବେଳେ ଗୁରୁବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଟିକାବାଲି ବ୍ଲକ ଅନ୍ତର୍ଗତ ପିକରଡ଼ି ପଞ୍ଚାୟତର କାମାନାକୁ ଗ୍ରାମରେ ଏହି ଅଘଟଣ ଘଟିଛି। ମୃତକ ହେଲେ ପ୍ରାଣେଶ୍ୱର ମଲ୍ଲିକ (୫୮)। ଗୁରୁବାର ସନ୍ଧ୍ୟାରେ ପ୍ରାଣେଶ୍ୱର ନିଜ ଘର ନିକଟରେ ଥିବା ସମୟରେ ଏକ ହାତୀ ହଠାତ୍ ପଛପଟୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ସେତେବେଳେ ପ୍ରବଳ ବର୍ଷା ହେଉଥିବାରୁ ହାତୀଟି ନିକଟକୁ ଆସିଥିବା ସେ ଜାଣିପାରି ନଥିବା କୁହାଯାଉଛି। ହାତୀ ଆକ୍ରମଣରେ ଘଟଣାସ୍ଥଳରେ ହିଁ ପ୍ରାଣେଶ୍ୱରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ କିଛିଦିନ ଧରି ଗୋଠଛଡ଼ା ହାତୀଟି ବିଭିନ୍ନ ଗ୍ରାମରେ ଘୁରି ବୁଲୁଥିଲେ ମଧ୍ୟ ତା’ର ଗତିବିଧି ଉପରେ ନଜର ରଖିବା ଏବଂ ଗ୍ରାମବାସୀଙ୍କୁ ସମୟୋଚିତ ସୂଚନା ଦେବାରେ ସ୍ଥାନୀୟ ଜଙ୍ଗଲ ବିଭାଗ ବିଫଳ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ହାତୀ ଉପଦ୍ରବ ନେଇ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ସ୍ଥାୟୀ ପ୍ରତିକାର ନ ହେବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ମୃତକ ପ୍ରାଣେଶ୍ୱର ମଲ୍ଲିକଙ୍କ ପରିବାର ଆର୍ଥିକ ଭାବେ ଦୁର୍ବଳ ହୋଇଥିବାରୁ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ଆର୍ଥିକ ସହାୟତା ଯୋଗାଇଦେବା ସହ ହାତୀ ଉପଦ୍ରବ ରୋକିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


