ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ,ତିଳେଶ୍ୱର, ବଳଧିଆ ଖଇର ପଦର, ସିଙ୍ଗପୁର, ହରିଣା, ସୁମନ୍ତପୁର, ଗଙ୍ଗାପୁର, ଗୁଣ୍ଡୁରିଗୁଡ଼ା, ଆଦିକନ୍ଦପୁର, ସୁନାଖଣ୍ଡି, ଢେପା ଗୁଡ଼ା ପ୍ରଭୃତି ଗ୍ରାମ ମାନଙ୍କରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁଁ ସନ୍ଧ୍ୟା ହେଲେ ରାସ୍ତାରେ ଚଳପ୍ରଚଳ କରିବାକୁ ଲୋକେ ଭୟଭୀତ ହେବା ସହ ରାତିରେ ତାଟି କବାଟ ପଡିଯାଉଛି। ଦିଗପହଣ୍ଡି ବନାଞ୍ଚଳ ପାଟପୁର ସେକ୍ସନ ରତନେଇ ଜଙ୍ଗଲ ଅଧିନ ଶୁଳିଆ ପାହାଡ଼ରେ ଦୀର୍ଘଦିନ ଧରି ରହୁଥିବା ଗୋଟିଏ ଦନ୍ତା(ତସ୍କର) ଏବଂ ୩ ମାଈ ହାତୀ ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ୱେଷଣ ରେ ଜନବସତି ଆଡ଼କୁ ମାଡ଼ି ଆସୁଛନ୍ତି।ହାତୀ ପଲ ଗ୍ରାମାଞ୍ଚଳରେ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ କରୁଛନ୍ତି। ଏନେଇ ଦିଗପହଣ୍ଡି ରେଞ୍ଜ ପାଟପୁର ସେକ୍ସନ ଫରେଷ୍ଟର ସନ୍ତୋଷ କୁମାର ସାହୁ ଙ୍କୁ ପଚାରିବାରୁ ହାତୀ ଚଳପ୍ରଚଳ ନେଇ ସୂଚନା ମିଳିବା ପରେ ବନବିଭାଗ ପକ୍ଷରୁ ବିଭିନ୍ନ ଗାଁ ମାନଙ୍କରେ ହାତୀ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସକାଳେ କିମ୍ବା ସନ୍ଧ୍ୟାରେ ଜଙ୍ଗଲ ନିକଟକୁ ଯାଆନ୍ତୁ ନାହିଁ। ହାତୀ ଙ୍କ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରନ୍ତୁ ନାହିଁ।ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଫାସ ପକାଇବା ଧର୍ତ୍ତବ୍ୟ ଅପରାଧ ବୋଲି ଲୋକଙ୍କୁ ବନ କର୍ମଚାରୀ ଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଉଛି। ବନ ବିଭାଗ ର ହାତୀ ସ୍କୁଆର୍ଡ, ତାଲିମ ପ୍ରାପ୍ତ ହାତୀ ଟ୍ରାକର ଙ୍କ ସମେତ ପାଟପୁର ଓ ଦିଗପହଣ୍ଡି ବନ କର୍ମଚାରୀ ମାନଙ୍କ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ କରାଯାଉଛି।ବାଜା ବଜାଇ ହାତୀ ମାନଙ୍କୁ ଜଙ୍ଗଲ ମଧ୍ୟକୁ ଘଉଡାଯାଉଛି। ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳ ରେ ଡ୍ରୋନ କ୍ୟାମେରା ଦ୍ୱାରା ହାତୀ ଙ୍କ ଗତିବିଧି ସମ୍ପର୍କରେ ଫଟୋ ଉତ୍ତୋଳନ କରାଯାଇ ସ୍ଵତନ୍ତ୍ର ନଜର ରଖାଯିବା ସହ ସେ ନିଜେ ଏନେଇ ମନିଟରିଂ କରୁଥିବା କହିଛନ୍ତି। ଗତ ୨ ଦିନ ହେଲା ହାତୀପଲ ଦ୍ୱିତୀୟ ଢେପାଗୁଡ଼ା ଗ୍ରାମ ଏକଦନ୍ତୀ ଠାକୁରାଣୀ ମନ୍ଦିର ନିକଟ ଜଙ୍ଗଲରେ ହାତୀପଲ ଥିଲେ। ଘଉଡ଼ାଇବା ପରେ ହାତୀପଲ ରତନେଇ ଜଙ୍ଗଲ ଭିତରୁକୁ ଚାଲିଯାଇଥିବା ଫରେଷ୍ଟର କହିଛନ୍ତି।