ଯୋଗ୍ୟ ଆବେଦନକାରୀ ପଦବୀରୁ ବଞ୍ଚିତ: ରାଜ୍ୟ ସରକାରଙ୍କୁ ଜବାବ ମାଗିଲେ ହାଇକୋର୍ଟ
କଟକ (ଓ୍ବାଇଏନଏସ): ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ପଦରେ ଅବସରପ୍ରାପ୍ତଙ୍କୁ ନିଯୁକ୍ତି ନେଇ ଅଡୁଆରେ ପଡିଯାଇଛନ୍ତି ସରକାର । ଅବସରପ୍ରାପ୍ତଙ୍କୁ ନିଯୁକ୍ତି ନେଇ ଗତ ୧୨ ସେପ୍ଟେମ୍ବର ୨୦୨୪ରେ ଜାରି କରାଯାଇଥିବା ଗାଇଡ଼ଲାଇନର ଉଲ୍ଲଂଘନ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିବା ବେଳେ, ଜବାବ ଦାଖଲ କରିବା ପାଇଁ ସରକାର ସମୟ ମାଗିଛନ୍ତି । ତେବେ ଆସନ୍ତା ଜୁଲାଇ ୨୧ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ନିୟମିତ ପଦବୀରେ ଅବସରପ୍ରାପ୍ତ ଅଧିକାରୀଙ୍କୁ ଜଳସଂପଦ ବିଭାଗରେ ନିଯୁକ୍ତି ଦିଆଯିବା ମାମଲାକୁ ହାଇକୋର୍ଟ ଅତି ଗୁରୁତର ସହିତ ଗ୍ରହଣ କରିଛନ୍ତି । ଇଞ୍ଜିନିୟର-ଇନ୍-ଚିଫ୍ ପଦକୁ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କୁ ଏଥିରୁ ବଞ୍ଚିତ କରାଯିବା ଓ ଅବସର ଗ୍ରହଣ କରିଥିବା ଅଧିକାରୀଙ୍କୁ ଜଳସଂପଦ ବିଭାଗରେ ଏପରି ପଦରେ ପୁନଃନିଯୁକ୍ତି ପ୍ରଦାନ କରାଯିବା ବେଆଇନ ଦର୍ଶାଇ ଆବେଦନକାରୀ ହାଇକୋର୍ଟରେ ମାମଲା ଦାୟର କରିଛନ୍ତି । ତେବେ ଏହି ପ୍ରସଙ୍ଗରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅବସରପ୍ରାପ୍ତଙ୍କୁ ପୁନଃନିଯୁକ୍ତି ଦେଇ ଖାଲି ଥିବା ନିୟମିତ ପଦବୀ ପୂରଣ କରାଯାଇ ପାରିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ୨୦୨୪, ସେପ୍ଟେମ୍ବର ୧୨ର ବିଜ୍ଞପ୍ତିରୁ ସ୍ପଷ୍ଟ ବୋଲି ହାଇକୋର୍ଟ କହିଛନ୍ତି । ଏଥି ସହିତ ପରବର୍ତ୍ତୀ ଶୁଣାଣି ସମୟରେ ମାମଲାରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୨୧କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କୃଷ୍ଣଚନ୍ଦ୍ର ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ମାମଲାରୁ ଜଣାପଡିଛି ଯେ ୨୦୨୫, ମେ ୨ ତାରିଖରେ ବସିଥିବା ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ବୈଠକରେ ତିନୋଟି ପଦ ପୂରଣ ପାଇଁ ମୁଖ୍ୟଯନ୍ତ୍ରୀ ସ୍ତରର ୧୦ଜଣ ଅଧିକାରୀଙ୍କ ନାଁ ବିଚାରକୁ ନିଆଯାଇଥିଲା । ତାଲିକାର ତୃତୀୟ ସ୍ଥାନରେ ଥିବା ବି.ବି.ଦାଶଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଥିଲେ ମଧ୍ୟ ଚତୁର୍ଥ ସ୍ଥାନରେ ଥିବା ଆବେଦନକାରୀଙ୍କୁ ଇଞ୍ଜିନିୟର-ଇନ-ଚିଫ ପଦକୁ ପଦୋନ୍ନତି ପ୍ରଦାନ କରାଯାଇ ନଥିଲା । ଅପରପକ୍ଷରେ ଗତ ଜୁନ ୩୦ ତାରିଖରେ ଜଳସମ୍ପଦ ବିଭାଗର ଇଂଜିନିୟର-ଇନ୍-ଚିଫ ଭାବେ ଅବସର ଗ୍ରହଣ କରିଥିବା ସି.ଏସ.ପାଢୀଙ୍କୁ ପୁନଃନିଯୁକ୍ତି ମିଳିଥିଲା । ଇଂଜିନିୟର-ଇନ୍-ଚିଫ୍ ପଦକୁ ପଦୋନ୍ନତି ପାଇଁ ଆବେଦନକାରୀ ଯୋଗ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ଏଥିରୁ ବଞ୍ଚିତ କରାଯାଇଛି । ଏଥି ସହିତ ସେପ୍ଟେମ୍ବର ୧୨, ୨୦୨୪ର ବିଜ୍ଞପ୍ତିର ଉଲ୍ଲଂଘନ କରି ନିୟମିତ ପଦକୁ ଅବସରପ୍ରାପ୍ତ ଅଧିକାରୀଙ୍କ ପୁନଃନିଯୁକ୍ତି ମାଧ୍ୟମରେ ପୂରଣ କରାଯାଇଛି ବୋଲି ଆବେଦନରେ ଦର୍ଶାଇଛନ୍ତି ଆବେଦନକାରୀ ।