ଉଦ୍ୟମୀ ଓଡ଼ିଶା ଏମ୍ଏସଏମ୍ଇ କାର୍ଯ୍ୟକ୍ରମ
ବାଲେଶ୍ବର(ସରୋଜ ପଣ୍ଡା): ଜିଲ୍ଲା ଶିଳ୍ପ କେନ୍ଦ୍ର, ବାଲେଶ୍ୱର ଆନୁକୂଲ୍ୟରେ ୫ ଦିନ ବ୍ୟାପି ଚାଲିଥିବା ଉଦ୍ୟମୀ ଓଡ଼ିଶା ଏମ୍ ଏସ ଏମ୍ ଇ କାର୍ଯ୍ୟକ୍ରମ ଆଜି ତୃତୀୟ ଦିବସରେ ସ୍ଥାନୀୟ ନୋସି ବିଜନେସ ପାର୍କ ଠାରେ “ବିପଣନ, ଡିଜିଟାଲାଇଜେଶନ ଏବିଂ ରପ୍ତାନି ପ୍ରୋତ୍ସାହନ” ଶୀର୍ଷକ ଉପରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ବିନିମୟ ଅଧିକାରୀ ଶ୍ରୀ ଦୁର୍ଗା ଚରଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ପ୍ରତିଯୋଗିତାମୂଳକ ବଜାରରେ ଉଦ୍ୟୋଗୀମାନଙ୍କ ପାଇଁ ଡିଜିଟାଲ ବିପଣନ, ଇ-କମର୍ସ ଏବଂ ରପ୍ତାନି ସୁଯୋଗର ସଦ୍ବ୍ୟବହାରର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅକ୍ଷୟ କୁମାର ଦାସ, ସହକାରୀ ପରିଚାଳକ, ଜିଲ୍ଲା ଶିଳ୍ପ କେନ୍ଦ୍ର, ମାଣିକଚାନ୍ଦ ଦେ, ସହକାରୀ ପ୍ରାଧ୍ୟାପକ, ଏ ବି ଏ କଲେଜ, ବାଲେଶ୍ୱର ଏବଂ ଧନ ଟୁଡୁ, ସହକାରୀ ନିର୍ଦ୍ଦେଶକ, ଜିଲ୍ଲା ହସ୍ତଶିଳ୍ପ କାର୍ଯ୍ୟାଳୟ ଯୋଗଦେଇ ଏମ୍ ଏସ ଏମ୍ ଇ କ୍ଷେତ୍ରର ବିକାଶ, ଅନଲାଇନ ବ୍ୟବସାୟ, ବ୍ରାଣ୍ଡିଂ ଏବଂ ରପ୍ତାନି ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଉପସ୍ଥିତ ଅଂଶଗ୍ରହଣକାରୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ଜିଲ୍ଲାର ଅନ୍ୟୁନ ୧୦୦ ଜଣ ଉଦ୍ୟୋଗୀ ଓ ଆତ୍ମନିର୍ଭର ପ୍ରତି ଆଗ୍ରହୀ ଯୁବକ-ଯୁବତୀମାନେ ଏହି କର୍ମଶାଳାରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣେନ୍ଦୁ କର ମଞ୍ଚ ସଂଚାଳନ କରିଥିବା ବେଳେ କ୍ଷୀତିଶ ପଣ୍ଡା, ଅମରଜ୍ୟୋତି କବି, ଅଂଶୁମାନ ବେହେରା, ଅଭିଷେକ ଜେନା, ଭବାନୀ ଶଙ୍କର ପାତ୍ର, ସତ୍ୟବ୍ରତ ନାୟକ, ସମୀକ୍ଷା ସେନାପତି, ରାହାଲ ହାଁସଦା ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ଶ୍ରୀମତୀ ମମତା ପରିଡ଼ା ଧନ୍ୟବାଦ ଅର୍ପଣ କରି ସମସ୍ତ ଅତିଥି, ଅଂଶଗ୍ରହଣକାରୀ ଏବଂ ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇଥିଲେ।


