କଲେଜରେ ପରିବେଶ ପଞ୍ଚାୟତ ଅନୁଷ୍ଠିତ

ହାଟଡିହି, (ଓ୍ବାଇଏନଏସ): ଲୋକସେବା ନ୍ୟାସ କେନ୍ଦୁଝର ପକ୍ଷରୁ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଏକ ବିଶାଳ ପରିବେଶ ପଞ୍ଚାୟତ ଓ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ହରେକୃଷ୍ଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଅତିଥି, ଅଧ୍ୟାପକ ଓ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଯୋଗଦେଇ କହିଥିଲେ ଯେ, ଆଜିର ସମୟରେ ପରିବେଶ ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ଏକ ବଡ ଆହ୍ୱାନ ହୋଇଛି। ବିକାଶ ସହିତ ପରିବେଶର ସନ୍ତୁଳନ ରକ୍ଷା କରିବା ନିହାତି ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କ ‘ଏକ ପେଡ୍ ମାଁ କେ ନାମ’ ଭଳି ଅଭିଯାନକୁ ଉଲ୍ଲେଖ କରି ସେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଅତି କମରେ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ହାଟଡିହି ତହସିଲଦାର ସଞ୍ଜୟ ସାମନ୍ତରାୟ ପରିବେଶ ପଞ୍ଚାୟତର ପରିକଳ୍ପନାକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଆମ ମାଟି, ପାଣି ଓ ଜୀବଜଗତ ପାଇଁ ବିଷ ସଦୃଶ। ଏହାକୁ ବର୍ଜନ କରି ପରିବେଶ ଅନୁକୂଳ ଜୀବନଶୈଳୀ ଆପଣାଇବା ଆଜିର ସମୟର ଆବଶ୍ୟକତା। ହାଟଡିହି ବ୍ଲକର ବିଡ଼ିଓ ରଞ୍ଜନ କୁମାର ପରିଡା ଜଙ୍ଗଲ ସୁରକ୍ଷା ଓ ଜଳ ସଂରକ୍ଷଣ ଉପରେ ଆଲୋକପାତ କରି କହିଥିଲେ ଯେ, ସରକାରୀ ସ୍ତରରେ ଅନେକ ଯୋଜନା ହେଉଛି, ହେଲେ ଜନଭାଗିଦାରୀ ବିନା ଏହା ସଫଳ ହୋଇପାରିବ ନାହିଁ। କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଭାବେ ବିଭାଗ ପ୍ରଚାରକ ତପନ ନାୟକ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଂଚାଳକ ତଥା କରଞ୍ଜିଆ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଭାଗିରଥି ପୃଷ୍ଟି ଏବଂ ପୂର୍ବତନ ଅଧ୍ୟକ୍ଷ ଚିତ୍ତ ରଞ୍ଜନ ରାଉତ ଯୋଗଦେଇ ପରିବେଶ ପଞ୍ଚାୟତ ଏବଂ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବକ୍ତାମାନେ କହିଥିଲେ, ପରିବେଶ ସୁରକ୍ଷା କେବଳ ସରକାର କିମ୍ବା କୌଣସି ନିର୍ଦ୍ଦିଷ୍ଟ ସଂସ୍ଥାର ଦାୟିତ୍ୱ ନୁହେଁ। ଏହା ସମାଜର ପ୍ରତ୍ୟେକ ବ୍ୟକ୍ତିର ନୈତିକ ଦାୟିତ୍ୱ। ଆମର ଶାସ୍ତ୍ରେ ପୃଥିବୀକୁ ମା’ ବୋଲି କୁହାଯାଇଛି। ମା’ର ସୁରକ୍ଷା କରିବା ଯେପରି ସନ୍ତାନର କର୍ତ୍ତବ୍ୟ, ଠିକ୍ ସେହିପରି ପୃଥିବୀକୁ ପୁନର୍ବାର ସବୁଜ ସୁନ୍ଦର କରିବା ଆମ ସମସ୍ତଙ୍କ ଦାୟିତ୍ୱ। ‘ପୁନଶ୍ଚ ପୃଥିବୀ’ର ଅର୍ଥ ହେଉଛି ପୃଥିବୀକୁ ପୁଣି ଥରେ ତା’ର ପ୍ରାକୃତିକ ସ୍ୱରୂପକୁ ଫେରାଇ ଆଣିବା। ଏହି ପଞ୍ଚାୟତରେ ବିଶେଷ ଭାବେ ଚାରୋଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଥିଲା – ବୃକ୍ଷରୋପଣ, ଜଙ୍ଗଲ ସୁରକ୍ଷା, ପ୍ଲାଷ୍ଟିକ ବର୍ଜନ ଓ ପରିବେଶ ପ୍ରତି ଦାୟିତ୍ୱବୋଧ। ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର ଯୋଗୁଁ କିପରି ଚାଷ ଜମି ଉର୍ବରତା ହରାଉଛି, ନଦୀ ନାଳ ପୋତି ହୋଇଯାଉଛି ଏବଂ ପଶୁ ପକ୍ଷୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି ସେ ସମ୍ପର୍କରେ ଅତିଥିମାନେ ସଚେତନ କରାଇଥିଲେ। ଗ୍ରାମାଞ୍ଚଳରେ ଥିବା ପାରମ୍ପରିକ ଜଳ ଉତ୍ସ ଯେପରି ପୋଖରୀ, କୂଅ ଆଦିର ପୁନରୁଦ୍ଧାର ଆବଶ୍ୟକ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା।ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ବକ୍ତାମାନେ କହିଥିଲେ, ଯୁବପିଢି ହେଉଛନ୍ତି ପରିବେଶ ସୁରକ୍ଷାର ଭବିଷ୍ୟତ। ସେମାନେ କେବଳ କଲେଜରେ ନୁହେଁ, ନିଜ ନିଜ ପରିବାର ଓ ଗାଁରେ ଏହି ବାର୍ତ୍ତା ପହଞ୍ଚାଇବା ଦରକାର। ନିଜ ଜନ୍ମଦିନରେ ଗଛଟିଏ ଲଗାଇବା, ପ୍ଲାଷ୍ଟିକ ବ୍ୟାଗ ବଦଳରେ କପଡା ବ୍ୟାଗ ବ୍ୟବହାର କରିବା ଭଳି ଛୋଟ ଛୋଟ ଅଭ୍ୟାସ ଦ୍ୱାରା ବଡ ପରିବର୍ତ୍ତନ ଆସିପାରିବ।  ବିଜେପି ନେତା ଆଲୋକ ସେଠୀ ଓ ବିଜେପି ଜିଲ୍ଲା ଉପସଭାପତି ଜ୍ଞାନରଞ୍ଜନ ସାମନ୍ତସିଂହାର,  ମିନତୀ ମହାପାତ୍ର, ସୁରେଶ ସାହୁ, ହର ମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ, ସୁଶାନ୍ତ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରୁଦ୍ର ପ୍ରସାଦ ଜେନା, ଅବିନାଶ ସେଠୀ, ଭବାନୀ ନାୟକ, ସୌରଭ ରାଉତ, ଅରୂପାନନ୍ଦ ସେଠୀ, ରାଜେନ୍ଦ୍ର ମଣ୍ଡଳ, ଅନିଲ ରାଉତ, ଅଜୟ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅଧ୍ୟାପକ ବୃନ୍ଦାବନ ଓଝା ମଞ୍ଚ ସଂଯୋଜନା କରିଥିଲେ। ପରିଶେଷରେ କଲେଜ ପରିସରରେ ସମସ୍ତ ଅତିଥି ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇ ପରିବେଶ ସୁରକ୍ଷା ପାଇଁ ଶପଥ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମ ହାଟଡିହି ଅଞ୍ଚଳରେ ଏକ ନୂଆ ସଚେତନତା ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ