ଫକୀରମୋହନ ମେଡିକାଲ୍ କଲେଜରେ ଡାକ୍ତରୀ ଶିକ୍ଷାରମ୍ଭ ଦିବସ
ବାଲେଶ୍ୱର (ସରୋଜ ପଣ୍ଡା): ବାଲେଶ୍ୱର ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରତିବର୍ଷଭଳି ଚଳିତବର୍ଷ ଡାକ୍ତରୀ ଶିକ୍ଷାରମ୍ଭ ଦିବସ ଗୁରୁବାର ଦିନ ପୂର୍ବାହ୍ନରେ ପାଳିତ ହୋଇଯାଇଛି। ଫକୀରମୋହନ ମେଡିକାଲ୍ କଲେଜ୍କୁ ମୁଖ୍ୟ ପ୍ରବଶେପଥର ୨ୟ ଫାଟକ ନିକଟରେ ଥିବା ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅବୟବରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେମୁଣା ବ୍ଲକ୍ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ଭୁବନେଶ୍ୱର କମିଟିର ସଭାପତି ତଥା କୃଷି ବୈଜ୍ଞାନିକ ଡ. ଅଦୈତ ପାତ୍ର ଓ ପ୍ରାକ୍ତନ ସଭାପତି ମମତା ମହାପାତ୍ର ଓ କର୍ମକର୍ତ୍ତାମାନେ ମାଲ୍ୟାର୍ପଣ କରିଥିଲେ। ‘ଫକୀରମୋହନ ସେନାପତି ଅମର ରହେ, ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ଜିନ୍ଦାବାଦ୍’ ସ୍ଳୋଗାନ୍ ମଧ୍ୟରେ ମାଲ୍ୟାର୍ପଣ କରାଯାଇଥିଲା। କମିଟିର ସଭାପତି ନିରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଧାରଣ ସଂପାଦକ ପ୍ରଦୀପ ଦାସ, ତରୁଣ ଦାସ, ଦିଲ୍ଲୀପ ଗିରି, ଡ. କ୍ଷିତିଶ୍ୱର ଦାଶ, କଲ୍ୟାଣୀ ନନ୍ଦ, ବିଧାନ ଚନ୍ଦ୍ର ରାୟ, ଦୁଷ୍ମନ୍ତ ଦାସ, ପ୍ରଫୁଲ୍ଲ କୁମାର ଦାସ, ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ଗିରିଶ ଚନ୍ଦ୍ର ଦତ୍ତ ଓ ମାନସ ରାଉତ ପ୍ରମୁଖ କର୍ମକର୍ତ୍ତାମାନେ ଡାକ୍ତରୀ ଶିକ୍ଷାରମ୍ଭ ଦିବସକୁ ଓ ବାଲେଶ୍ୱରବାସୀଙ୍କ ଐକ୍ୟବଦ୍ଧ ସଂଗ୍ରାମକୁ ସ୍ମରଣୀୟ କରିବା ପାଇଁ ୨୦୧୮ ମସିହାରୁ ପ୍ରତିବର୍ଷ ସେପ୍ଟେମ୍ବର ୩ ତାରିଖ ଦିନ ଏହି ଦିବସକୁ ପାଳନ କରାଯାଇଆସୁଅଛି। ବାଲେଶ୍ୱରବାସୀଙ୍କୁ ଉନ୍ନତ ସରକାରୀ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଦୀର୍ଘ ୨୧ ବର୍ଷ ଧରି କ୍ରିୟାନୁଷ୍ଠାନ କମିଟି କାର୍ଯ୍ୟ କରିଆସୁଛି ବୋଲି ସେମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନର ମେଡିକାଲ୍ କଲେଜ୍ କର୍ତ୍ତୃପକ୍ଷଙ୍କ ଅସହଯୋଗକୁ ବକ୍ତାମାନେ ଦୃଢ଼ ସମାଲୋଚନା କରିଥିଲେ। ଗୌରାଙ୍ଗ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଦେଇଥିଲାବେଳେ ସରସ୍ୱତୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଆସନ୍ତା ୫ ତାରିଖ ଅପରାହ୍ନରେ ଓକିଲସଂଘ ସଭାଗୃହରେ ‘ପ୍ରେରଣା ଦିବସ’ ସଭାରେ ଯୋଗ ଦେବାକୁ ସଭାରେ ଅନୁରୋଧ କରାଯାଇଥିଲା। ସଭାଶେଷରେ ମେଡିକାଲ୍ କଲେଜ୍ ହସପିଟାଲ୍ରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ନିମ୍ନମାନର ନିର୍ମାଣ ଯୋଗୁଁ ଛାତରୁ ବର୍ଷାଦିନେ ପାଣି ପଡ଼ୁଥିବା ସଂପର୍କରେ ରୋଗୀମାନେ ଅଭିଯୋଗ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଜଗତାନନ୍ଦ ବିଶ୍ୱାଳ, ଶ୍ୟାମସୁନ୍ଦର ଜେନା, ମିନତୀ ପ୍ରଧାନ, ମମତା ଦାସ, ସୁଧାଂଶୁ ରାୟ, କାଞ୍ଚନ ପାତ୍ର, ମମତା ପାଲ୍, ସୁପ୍ରୀତି ନାୟକ, ଅକ୍ଷୟ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ରିୟାନୁଷ୍ଠାନ କମିଟିର ଶତାଧିକ ସଭ୍ୟ ସଭ୍ୟା ଓ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ।


