ଅବକାରୀ ବିଭାଗର ଚଢ଼ାଉ, ୧୩୩ ଗ୍ରାମ ବ୍ରାଉନ୍‌ ସୁଗାର ଜବତ; ଜଣେ ଗିରଫ

କଟକ,(ଓ୍ବାଇଏନଏସ): କଟକ ସହରରେ ନିଶା କାରବାର ବିରୋଧରେ ଅବକାରୀ ବିଭାଗର ଚଢ଼ାଉ ଜାରି ରହିଛି। ଏହି କ୍ରମରେ ଅବକାରୀ ଗୁଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ ୟୁନିଟ୍‌-୧ (ଫ୍ଲାଇଙ୍ଗ୍‌ ସ୍କ୍ୱାଡ୍‌) ପକ୍ଷରୁ ମର୍କତନଗର ଥାନା ଅନ୍ତର୍ଗତ ସିଡିଏ ସେକ୍ଟର-୬ରେ ଚଢ଼ାଉ କରାଯାଇ ୧୩୩ ଗ୍ରାମ ବ୍ରାଉନ୍‌ ସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ୧୩ ଲକ୍ଷ ୩୦ ହଜାର ଟଙ୍କା ହେବ। ଏହି ଘଟଣାରେ ଜଣେ ୪୪ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ଏକ ଇ-ସ୍କୁଟି ଜବତ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ରମାକାନ୍ତ ଦାଶ (୪୪)। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଦକ୍ଷିଣଡିଆ ଗ୍ରାମରେ। ସେ ବର୍ତ୍ତମାନ କଟକ ସିଡିଏ ସେକ୍ଟର-୭ରେ ରହୁଥିଲେ। ଅବକାରୀ ବିଭାଗର ସୂଚନା ଅନୁଯାୟୀ, ପାତ୍ର ଇଲେକ୍ଟ୍ରୋନିକ୍ସ ନିକଟ ରାସ୍ତାରେ ଅଭିଯୁକ୍ତଙ୍କ ସନ୍ଦେହଜନକ ଗତିବିଧି ସମ୍ପର୍କରେ ସୂଚନା ପାଇ ଫ୍ଲାଇଙ୍ଗ୍‌ ସ୍କ୍ୱାଡ୍‌ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଯାଞ୍ଚ ସମୟରେ ତାଙ୍କ ନିକଟରୁ ୧୩୩ ଗ୍ରାମ ବ୍ରାଉନ୍‌ ସୁଗାର ଓ ଏକ କଳା ରଙ୍ଗର ସ୍ପୋର୍ଟସ୍‌ ୧୯ ଇ-ସ୍କୁଟି ଜବତ ହୋଇଥିଲା। ଜବତ ଇ-ସ୍କୁଟିର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ବୋଲି ଜଣାପଡ଼ିଛି।ଅବକାରୀ ଅଧୀକ୍ଷକ ସମରଜିତ୍‌ ଦାଶଙ୍କ ନିର୍ଦ୍ଦେଶକ୍ରମେ ଏବଂ ଉପ-ଅବକାରୀ ଅଧୀକ୍ଷକ ରୋଶନ ଇସୁ ହାଁସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା। ଅଭିଯୁକ୍ତଙ୍କୁ ଏନ୍‌ଡିପିଏସ୍‌ ଆଇନ, ୧୯୮୫ ଅନୁଯାୟୀ ଗିରଫ କରାଯାଇ କଟକ ଜିଲ୍ଲା ଓ ଦୌରା ଜଜ୍‌ ତଥା ସ୍ୱତନ୍ତ୍ର ଜଜ୍‌ଙ୍କ ଅଦାଲତରେ ହାଜର କରାଯାଇଥିଲା। ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଏହି ଚଢ଼ାଉରେ ଇନ୍ସପେକ୍ଟର ସୁଶାନ୍ତ କୁମାର ମହାପାତ୍ର ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିବାବେଳେ ସବ୍‌-ଇନ୍ସପେକ୍ଟର ଅମିତ କୁମାର ବିଶ୍ୱାଳ, ଏଏସ୍‌ଆଇ କିଶୋର ଚନ୍ଦ୍ର ରାଉତ, ସଞ୍ଜୀବ କୁମାର ମୁଣ୍ଡା, ମହିଳା କନଷ୍ଟେବଳ ରୋସାଲିନ୍‌ ପଟ୍ଟନାୟକ ଏବଂ କନଷ୍ଟେବଳ ସୁମିତ କୁମାର ନାୟକ, ଜଗନ୍ନାଥ ସାହୁ ଓ ରଞ୍ଜିତ ସାହୁ ସାମିଲ ଥିଲେ। ସହରରେ ନିଶାଦ୍ରବ୍ୟ କାରବାର ରୋକିବା ଓ ଯୁବପିଢ଼ିଙ୍କୁ ନିଶା କବଳରୁ ଦୂରେଇ ରଖିବା ପାଇଁ ଏଭଳି ଚଢ଼ାଉ ଆଗକୁ ମଧ୍ୟ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ