ପୀତବାସ ପଣ୍ଡା ହତ୍ୟା ମାମଲା: ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ
କଟକ,(ସରୋଜ ପଣ୍ଡା): ବ୍ରହ୍ମପୁରର ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଓଡ଼ିଶା ହାଇକୋର୍ଟ ଜାମିନ ଆବେଦନଗୁଡ଼ିକ ଉପରେ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଏଥିସହ ଆସନ୍ତା ସୋମବାର ସୁଦ୍ଧା ମାମଲା ସମ୍ପର୍କିତ ଲିଖିତ ଯୁକ୍ତି ଦାଖଲ କରିବାକୁ ଉଭୟ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଗୁରୁବାର ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନର ଏକତ୍ର ଶୁଣାଣି ପାଇଁ ହାଇକୋର୍ଟରେ ଧାର୍ଯ୍ୟ ହୋଇଥିଲା। ଅଭିଯୁକ୍ତ ଶିବ ଶଙ୍କର ଦାସ, ମଦନ ମୋହନ ଦଳାଇ, ସୁନୀଲ କୁମାର ହୋତା, ଯୋଗେନ୍ଦ୍ର ରାଉତ, ବିପିନ ସ୍ୱାଇଁ ଓ କାଳୁ ଚରଣ ଭୂୟାଁଙ୍କ ପକ୍ଷରୁ ଦାଖଲ ଜାମିନ ଆବେଦନ ଉପରେ ଉଭୟ ପକ୍ଷର ଆଇନଜୀବୀମାନେ ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଦୀର୍ଘ ଶୁଣାଣି ପରେ ଅଦାଲତ ରାୟ ସଂରକ୍ଷିତ ରଖିବା ସହ ଲିଖିତ ଯୁକ୍ତି ଦାଖଲ ପାଇଁ ସମୟ ଦେଇଛନ୍ତି। ଏବେ ଏହି ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟଙ୍କ ପରବର୍ତ୍ତୀ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।


