ବିଦ୍ୟୁତ ତାର ସଂସ୍ପର୍ଶରେ ଚାଷୀ ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମି ରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ। ଉକ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଚାଷ କାମରେ ଜମିକୁ ଯାଇଥିବା ଜଣେ ଯୁବଚାଷୀ ସୋମବାର ବିଳମ୍ବିତ ରାତି ରେ ମୃତ୍ୟୁବରଣ କରିଛନ୍ତି।ମୃତକ ଜଣକ ହେଲେ ପ୍ରତାପଗିରି ଗ୍ରାମର ମେହେଙ୍କାଳ ନାୟକ(୪୨)। ଖବର ପାଇ ପାଟପୁର ବନ ବିଭାଗ ସେକ୍ସନ ଫରେଷ୍ଟର ସନ୍ତୋଷ କୁମାର ସାହୁ, ପାଟପୁର ପୋଲିସ ଟିମ୍ ଏବଂ ବିଦ୍ୟୁତ ବିଭାଗ କର୍ମଚାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ କରି ଫେରିଥିଲେ। ମେହେଙ୍କାଳ ଘରେ ରାତ୍ରି ଭୋଜନ ସାରିବା ପରେ ଅନ୍ୟ କିଛି ଚାଷୀଙ୍କ ସହ ଧାନ ଜମିରେ ପାଣି ମଡ଼ାଇବାକୁ ଚାଷଜମି କୁ ଯାଇଥିଲେ।ଚାଷ ଜମି ହିଡ ରେ ବିଛାଯାଇଥିବା ବିଦ୍ୟୁତ ତାର କୁ ଚକୁଡି ଦେବାରୁ ସେ ବିଦ୍ୟୁତ ସଂସ୍ପର୍ଶରେ ତଳେ ପଡ଼ି ଯାଇଥିଲେ। ମେହେଙ୍କାଳ ଙ୍କ ଗୋଡ଼,ଜଙ୍ଘ ଓ ଅଣ୍ଟା ତଳ କୁ ଭୀଷଣ ବିଦ୍ୟୁତ ଆଘାତ ହୋଇ ଜଳି ଯାଇଥିଲା। ଖବର ପାଇ ପରିବାର ଲୋକେ ସ୍ଥାନୀୟ କିଛି ବ୍ୟକ୍ତି ଙ୍କ ସହାୟତା ରେ ତାଙ୍କୁ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଉପସ୍ଥିତ ପରିବାର ଲୋକଙ୍କ କାନ୍ଦ ବୋବାଳି ରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଫାଟି ପଡିଥିଲା।ପୋଲିସ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ।ମଙ୍ଗଳବାର ସକାଳେ ସେଠାରେ ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ମୃତଦେହ ଗାଁ ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।ମେହେଙ୍କାଳ ଙ୍କ ବାପା ନକୁଳ ନାୟକ ଏନେଇ ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୩୩୧/୨୬ ଅନୁଯାୟୀ ମକଦ୍ଦମା ରୁଜୁକରି ତଦନ୍ତ ଚଳାଇଛନ୍ତି।ଦିଗପହଣ୍ଡି ବନାଞ୍ଚଳ ଇଲାକାରେ ଦିନକୁ ଦିନ ଅବାଧ ବନ୍ୟଜନ୍ତୁ ଶିକାର ବଢ଼ି ବଢ଼ି ଚାଲିଛି। ଗତ ୨୦୨୪ ଅଗଷ୍ଟ ୮ ତାରିଖ ରେ ବନ ବିଭାଗ କର୍ମଚାରୀ ମାନେ ସାନଖେମୁଣ୍ଡି ବ୍ଲକ ମଥୁରା ଗ୍ରାମ ନିକଟ ନୁଆଗୁମ୍ମା ଗ୍ରାମରେ ଚଢ଼ାଉ କରି ଜଣେ ବନ୍ୟଜନ୍ତୁ ଶିକାରୀ ଅମିର ଦାସ ଙ୍କୁ ଗିରଫ କରି ତାଙ୍କ ନିକଟରୁ ପ୍ରାୟ ୫ କିଲୋ ବାରହା ମାଂସ ଏବଂ ଶିକାର ରେ ବ୍ୟବହୃତ ଫାସ ଜବତ କରିଥିଲେ।ବନ ବିଭାଗ ମାମଲା ନଂ.୮୦/୨୪-୨୫ ଅନୁଯାୟୀ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି କୋର୍ଟ କୁ ଚାଲାଣ କରାଯାଇଥିଲା।ସେହିପରି ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇବା ଦ୍ଵାରା ଗତ ଜାନୁୟାରୀ ୨ ଓ ୩୦ ତାରିଖରେ ଢେପାଗୁଡ଼ା ଗ୍ରାମ ଓ ଭୀମନଗର ଗ୍ରାମ ନିକଟ ଜଙ୍ଗଲରେ ୨ ହାତୀ ଙ୍କ ମୃତ୍ୟୁ ହୋଇଥିଲା । ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ବନବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏନେଇ ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଙ୍କୁ ପଚାରିବାରୁ ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ବନ କର୍ମଚାରୀ ମାନଙ୍କ ପକ୍ଷରୁ ନିୟମିତ ଭାବେ ପାଟ୍ରୋଲିଂ କରାଯାଉଛି।ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ବନ୍ୟପ୍ରାଣୀ ଙ୍କ ସୁରକ୍ଷା ସାଙ୍ଗକୁ ବନ୍ୟପ୍ରାଣୀ ଶିକାର ଏକ ଧର୍ତ୍ତବ୍ୟ ଅପରାଧ ବୋଲି ସଚେତନତା ସଭା ମଧ୍ୟ କରାଯାଉଛି। ତେଣୁ ଏନେଇ ସ୍ଥାନୀୟ ଜନସାଧାରଣ ଅଧିକ ସଚେତନ ହେବା ସହ ବନ୍ୟପ୍ରାଣୀ ଶିକାର କରୁଥିବା ଦୁର୍ବୃତ୍ତ ମାନଙ୍କ ସମ୍ପର୍କରେ ବନବିଭାଗ କର୍ମଚାରୀ ମାନଙ୍କୁ ଗୁପ୍ତ ସୂଚନା ଦେବାକୁ ସେ ନିବେଦନ କରିଛନ୍ତି।


