ମର୍ମନ୍ତୁଦ ସଡକ ଦୁର୍ଘଟଣା : ଦୁଇ ମୃତ୍ୟୁ, ଜଣେ ଗୁରୁତର
ବୁଗୁଡା,(ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଷୋଳମାଇଲି ଛକ ନିକଟରେ ଗୋଟିଏ ଟ୍ରଲର କୁ ଓଭର ଟେକ ବେଳେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ପରେ ଗୋଟିଏ ବାଇକ ଲୁହା ବୋଝେଇ ଟ୍ରଲର ଚକା ତଳେ ପସି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକ ସମ୍ପର୍କ ରେ ବଡବାପା ପୁତୁରା ହୋଇଥିବା ଜଣାପଡିଛି। ଉଭୟ ବେତାରସିଙ୍ଗି ଗ୍ରାମର ବଡବାପା ଖାଦାଳ ମହାରଣା ଓ ପୁତୁରା ଶଶାଙ୍କ ମହାରଣା ହୋଇଥିବା ବେଳେ ଅନ୍ୟ ବାଇକ ଚାଳକ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମର ଗୁରୁତର ହୋଇଛନ୍ତି। ବୁଗୁଡା ଅଗ୍ନିଶମ ବାହିନୀ ଓ ବୁଗୁଡା ପୋଲିସ ବାହିନୀ ଦୁଇ ମୃତକ ଓ ଗୁରୁତର ଆହତ ବ୍ୟକ୍ତିଙ୍କୁ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ବୁଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଅନ୍ୟପଟେ ଦୁର୍ଘଟଣା ଗ୍ରସ୍ତ ଦୁଇ ବାଇକ ଏବଂ ଟ୍ରଲର ସହ ଚାଳକ ଙ୍କୁ ପୋଲିସ ଅଟକ ରଖିଛି। ମେଡିକାଲ ପରିସରରେ ମୃତକଙ୍କ ସମ୍ପର୍କୀୟ ଜମା ହୋଇଥିବା ଦେଖିବାକୁ ମିଳିଥିଲା। ଗୁରୁତର ଆହତ ବାଇକ ଚାଳକଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି।