ଦିଗପହଣ୍ଡିରେ ସାର ପାଇଁ ଉତ୍ତେଜନା : ଚାଷୀଙ୍କ ରାସ୍ତା ଅବରୋଧ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ୟୁରିଆ ସାର ର ଘୋର ଅଭାବ ଦେଖାଦେଇଛି। ଚାଷୀଙ୍କୁ ମିଳୁନି ୟୁରିଆ ସାର। ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟ ରଘୁନନ୍ଦନ ଟ୍ରେଡ଼ର୍ସ ଘରୋଇ ଡିଲର ଙ୍କ ଗୋଦାମ ସମ୍ମୁଖରେ ୟୁରିଆ ସାର ପାଇଁ ଗୁରୁବାର ଅପରାହ୍ନ ପ୍ରାୟ ୪ ଟାରେ ଦିଗପହଣ୍ଡି – ବ୍ରହ୍ମପୁର ମୁଖ୍ୟରାସ୍ତା କୁ ଅବରୋଧ କରିଥିଲେ। ଘରୋଇ ଡିଲର ୟୁରିଆ ସାର ଚାଷୀ ବିକ୍ରୀ କରୁଥିବା ଖବର ପ୍ରଚାରିତ ହେବା ପରେ ଗୁରୁବାର ଭୋର ରୁ ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମ ର ସହସ୍ରାଧିକ ମହିଳା ଓ ପୁରୁଷ ଚାଷୀ ଡିଲର ଙ୍କ ଗୋଦାମ ସମ୍ମୁଖରେ ପହଞ୍ଚିଥିଲେ।ସାର ପାଇଁ ଉତ୍ତେଜନା ପ୍ରକାଶ ପାଇବାରୁ ଥାନା ଭାରପ୍ରାପ୍ତ ଆଇଆଇସି ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବାସହ ଚାଷୀଙ୍କୁ ଧାଡ଼ି କରି ସାର ନେବାକୁ ପରାମର୍ଶ ଦେଇଥିଲେ। ପ୍ରାୟ ୨ ଶହ ମିଟର ଯାଏଁ ଖରାରେ ଚାଷୀ ସାର ନେବାପାଇଁ ଧାଡ଼ିରେ ଠିଆ ହୋଇଥିଲେ। ତହସିଲଦାର,ଦିଗପହଣ୍ଡି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଏବଂ କୃଷିବିଭାଗ ଅଧିକାରୀ ମାନଙ୍କ ଉପସ୍ଥିତିରେ ଚାଷୀଙ୍କୁ ସାର ସୁଷମ ବଣ୍ଟନ କରାଯାଇଥିଲା। ଅପରାହ୍ନ ପ୍ରାୟ ୪ ଟାରେ ସାର ସରିଯାଇଥିବା ପ୍ରଚାରିତ ହେବା ପରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୂର୍ବରୁ ଆମକୁ କାହିଁକି କୁହାଗଲା ନାହିଁ କହି ବହୁ ସଂଖ୍ୟକ ଚାଷୀ ବର୍ଷା ସତ୍ତ୍ବେ ରାସ୍ତା ଅବରୋଧ କରିଥିଲେ। ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ସନ୍ତୋଷ କୁମାର ସାହୁ , ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶନିବାର ଚାଷୀଙ୍କୁ ପୁଣି ସାର ବିକ୍ରୀ କରାଯିବା ର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ରଘୁନନ୍ଦନ ଟ୍ରେଡ଼ର୍ସ ର ମାଲିକ ରଘୁନନ୍ଦନ ନାୟକ ଙ୍କୁ ପଚାରିବାରୁ ଗତ ଅଗଷ୍ଟ ମାସ ସୁଦ୍ଧା ୨୦ ଟ୍ରକ୍ ୟୁରିଆ ୪୫୦୦ ପ୍ୟାକେଟ ୟୁରିଆ ସାର ଆସିବା ପରେ ଚାଷୀଙ୍କୁ ବିକ୍ରୀ କରାଯାଇଥିଲା।ବୁଧବାର ୧୧୨୫ ବସ୍ତା ୟୁରିଆ ସାର ଆସିଥିଲା। ଗୁରୁବାର ଅପରାହ୍ନ ସୁଦ୍ଧା ୯୯୦ ବସ୍ତା ସାର ଚାଷୀଙ୍କୁ ବିକ୍ରୀ କରାଯିବା ପରେ କିଛି ନିର୍ଦ୍ଦିଷ୍ଟ ଯୁବକ ବାରମ୍ବାର ସାର ନେବାକୁ ପହଞ୍ଚି ପାଟିତୁଣ୍ଡ କରିଥିଲେ।ପୋଲିସ ପ୍ରଶାସନ ର ନିର୍ଦ୍ଦେଶକ୍ରମେ ସାର ବିକ୍ରୀ ବନ୍ଦ କରାଯାଇଥିଲା। ୧୩୫ ବସ୍ତା ଗୋଦାମ ରେ ମହଜୁଦ ଅଛି। ଦିନେ ଦୁଇଦିନ ମଧ୍ୟରେ ପୁଣି ସାର ଆସିଲେ ଚାଷୀଙ୍କୁ ବିକ୍ରୀ କରାଯିବ ବୋଲି ସେ କହିଛନ୍ତି।