ଅଗ୍ନିଶମ ସେବା ସପ୍ତାହ ଆରମ୍ଭ

ଆସିକା  (ୱାଇଏନ୍‍ଏସ୍‍) :ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ ଅବସରରେ ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂସ୍ଥା ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଅଧୀନସ୍ଥ ଆସିକା ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ସ୍ଥାନୀୟ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯାଇଥିବା ଦେଖିବାକୁ ମିଳିଛି। ଆସିକା ଅଗ୍ନିଶମ ସେବା କେନ୍ଦ୍ରର କେନ୍ଦ୍ର ଅଧିକାରୀ କୈଳାଶ ଚନ୍ଦ୍ର ସାହୁଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଭାରପ୍ରାପ୍ତ କେନ୍ଦ୍ର ଅଧିକାରୀ ତଥା ମୁୂଖ୍ୟ ଅଗ୍ନିଯୋଦ୍ଧା ଅଶୋକ କୁମାର ବାରିକ ଯୋଗଦେଇ ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ୧୯୪୪ ମସିହା ଏପ୍ରିଲ ମାସ ୧୪ ତାରିଖରେ ବମ୍ବେ ଡକ୍‍ୟାଡ୍‍ରେ ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ଭିକ୍ଟୋରିଆ ଜାହାଜରେ ଯାଉଥିବା ୨ ଜଣ ନାବିକଙ୍କ ସମେତ ପ୍ରାୟ ୬୫ ଜଣ ଦମକଳ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଥିଲେ। ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧୯୬୮ ମସିହା ଠାରୁ ଭାରତ ସରକାରଙ୍କ ପରାମର୍ଶ କ୍ରମେ ପ୍ରତ୍ୟେକ ବର୍ଷ ଏପ୍ରିଲ୍ ମାସ ୧୪ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ କରାଯାଉଛି ବୋଲି ପ୍ରକାଶ କରିଥିଲେ। ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ ଅବସରରେ ଆସିକା ଅଗ୍ନିଶମ ବିଭାଗର କେନ୍ଦ୍ରର ଭାରପ୍ରାପ୍ତ କେନ୍ଦ୍ର ଅଧିକାରୀ ତଥା ମୁଖ୍ୟ ଅଗ୍ନିଯୋଦ୍ଧା ଅଶୋକ କୁମାର ବାରିକ, ମୁଖ୍ୟ ଅଗ୍ନିଯୋଦ୍ଧା ଦ୍ୱାରିକାନାଥ ମେକାପ୍‍, ଡ୍ରାଇଭର ହାବିଲ୍‍ଦାର ସନ୍ତୋଷ ନାୟକ, ଅଗ୍ନିଯୋଦ୍ଧା ଗାଡିଚାଳକ ଜଟକିଶୋର ହାତୀ, ଅଗ୍ନିଯୋଦ୍ଧା ସୁଶାନ୍ତ ବେହେରା, ଅଜୟ କୁମାର ରାଉତ, ଶୁଭଜିତ୍‍ ସାହୁ, ରଂଜନ କୁମାର ଭୋଇ ପ୍ରମୁଖ କଳିଙ୍ଗରୋଡ, ବିଜୁ ପଟ୍ଟନାୟକ ଛକ, ଘରୋଇ ବସଷ୍ଟାଣ୍ଡ ସମେତ ବିଭିନ୍ନ ଅଞ୍ଚଳକୁ ଗସ୍ତ କରି ନିଆଁ ଲିଭା ଅଭ୍ୟାସ ସହ ହଠାତ୍ ନିଆଁ ଲାଗିଲେ କିପରି ସେଥିରୁ ନିଜକୁ ରକ୍ଷା କରିବା ଓ ଅନ୍ୟକୁ ସୁରକ୍ଷା ଦେବା, ଉଚ୍ଚ ସ୍ଥାନରେ ଥିବା ବ୍ୟକ୍ତିଙ୍କୁ କିପରି ରକ୍ଷା କରିବା, ନିଆଁକୁ କିପରି ଆୟତ୍ତ କରିବା, ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବହାର, ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଛାତ ଉପରୁ ସିଢି ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର, ରସି ସାହାଯ୍ୟରେ ଜନସାଧାରଣଙ୍କୁ ଉଦ୍ଧାର, ତୈଳଜାତୀୟ ନିଆଁକୁ ସିଓଟୁ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ଲିଭାଇବା, ଅମ୍ଳଜାନ ନଥିବା ସ୍ଥାନକୁ ଯାଇ କୃତ୍ରିମ ଶ୍ୱାସପ୍ରଶ୍ୱାସ ନଳୀ ବ୍ୟବହାର କରି ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା, ବୁଡି ଯାଉଥିବା ଲୋକଙ୍କୁ ବନ୍ୟା ସମୟରେ କିଭଳି ଉଦ୍ଧାର କରିବା ସେ ସଂକ୍ରାନ୍ତରେ ବିଭିନ୍ନ କୌଶଳ ମାଧ୍ୟମରେ ମକ୍‌ଡ୍ରିଲ୍ ପ୍ରଦର୍ଶନ କରି ଜନସାଧାରଣଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଥିଲା । ଏହି ଅଗ୍ନି ନିରାପତ୍ତା ସଚେତନତା ଓ ମକ୍‌ଡ୍ରିଲ୍ କାର୍ଯ୍ୟକ୍ରମରେ ବହୁ ସଚେତନ ନାଗରିକ ଉପସ୍ଥିତ ରହି ଅଗ୍ନିକାଣ୍ଡ ସମୟରେ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ବିଭିନ୍ନ କୌଶଳ ଓ ପ୍ରତିଷେଧକ ସତର୍କ ପଦକ୍ଷେପ ସଂକ୍ରାନ୍ତରେ ଜ୍ଞାନ ଆହରଣ କରିଥିବା ଦେଖିବାକୁ ମିଳିଥିଲା ।ଜାତୀୟ ଅଗ୍ନିଶମ ସେବା ସପ୍ତାହ ପାଳନ ଅବସରରେ ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାସଂସ୍ଥା ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଅଧୀନସ୍ଥ ଆସିକା ଦମକଳ କେନ୍ଦ୍ର ପକ୍ଷରୁ ଅଗ୍ନି ସୁରକ୍ଷା-ଜୀବନ ରକ୍ଷାର ବାର୍ତ୍ତା ନେଇ ବିଭାଗୀୟ କର୍ମଚାରୀମାନେ ଆସିକା ସହରର ବିଭିନ୍ନ ସାହିବସ୍ତିକୁ ପରିକ୍ରମା କରି ଏଲ୍‍ପିଜି ସିଲିଣ୍ଡର ବ୍ୟବହାର କରିସାରିବା ପରେ ରେଗୁଲେଟରକୁ ସର୍ବଦା ବନ୍ଦ ରଖିବା, ଛୋଟ ଛୋଟ ଶିଶୁମାନଙ୍କ ପାଖରୁ ଦିଆସିଲକୁ ଦୂରରେ ରଖିବା, ଗ୍ୟାସଚୁଲା ସିଲିଣ୍ଡିର ଉଚ୍ଚତା ଠାରୁ ଏକ ଫୁଟ ଉଚ୍ଚରେ ରଖିବା, ଗ୍ୟାସଚୁଲା ରଖାଯାଇଥିବା ଘରେ ପ୍ରବେଶ କରିବା ପୂର୍ବରୁ କୌଣସି ପ୍ରକାରର ଗନ୍ଧ ହେଉଛି କି ନାହିଁ ପରଖି ନେବା, ଗ୍ୟାସ ସିଲିଣ୍ଡିର ଥିବା ଘର ଭିତରୁ କୌଣସି ପ୍ରକାର ଗନ୍ଧ ଆସୁଥିଲେ ବିଦ୍ୟୁତ ସୁଇଚ୍‍ କିମ୍ବା ଗ୍ୟାସ୍‍ ଲାଇଟର ବ୍ୟବହାର ନକରି ତୁରନ୍ତ ସେହି ପ୍ରକୋଷ୍ଠର କବାଟ ଝରକା ଖୋଲିଦେବା, ରୋଷେଇ କରିବା ସମୟରେ ସର୍ବଦା କଟନ୍‍ କପଡା ପରିଧାନ କରିବା ସମେତ ନିଆଁ ପ୍ରତି ସର୍ବଦା ସଚେତନ ରହିବା ଓ ଯେକୌଣସି ଅଗ୍ନି ଦୁର୍ଘଟଣା ଖବର ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ଆସିକା ଦମକଳ କେନ୍ଦ୍ରର ସହାୟତା ନେବାକୁ ସହରବାସୀଙ୍କୁ ଲିଫ୍‍ଲେଟ୍‍ ବାଣ୍ଟି ସଚେତନ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ