୨୫ ରେ ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘ ନିର୍ବାଚନ

ଆସିକା (ୱାଇଏନ୍‍ଏସ୍‍): ଆସନ୍ତା ୨୫ ତାରିଖରେ ଆସିକା ସମବାୟ ଚିନିଶିଳ୍ପ ଲିଃର କର୍ମଚାରୀ ସଂଘର ୧୫ଟି କାର୍ଯ୍ୟକାରୀ କମିଟି ସଦସ୍ୟ ପଦବୀ ଲାଗି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ନିର୍ବାଚନ ପାଇଁ ଆସନ୍ତାକାଲି ଅର୍ଥାତ୍‍ ଗୁରବାର ପୂର୍ବାହ୍ନ ୯ ଘଟିକାରୁ ୧୨ ଘଟିକା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ବିକ୍ରୀ ହେବ ବୋଲି ଜଣାପଡିଛି । ଆସନ୍ତା ୧୮ ତାରିଖ ଦିନ ପୂର୍ବାହ୍ନ ୯ ଘଟିକାରୁ ଅପରାହ୍ନ ୧ ଘଟିକା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ ସାଙ୍ଗକୁ ଆସନ୍ତା ୨୦ ତାରିଖ ଦିନ ଅପରାହ୍ନ ୧ ଘଟିକାରୁ ଅପରାହ୍ନ ୪.୩୦ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଯାଞ୍ଚ ପ୍ରକ୍ରିୟା ରହିଥିବା ଜଣାପଡିଛି । ଆସନ୍ତା ୨୨ ତାରିଖ ଦିନ ପୂର୍ବାହ୍ନ ୯ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଭିତରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ସାଙ୍ଗକୁ ଉକ୍ତ ଦିନ ଅପରାହ୍ନ ୪.୩୦ରୁ ୫ ଘଟିକା ମଧ୍ୟରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ସାଙ୍ଗକୁ ପ୍ରାର୍ଥୀମାନଙ୍କୁ ନିର୍ବାଚନୀ ସଙ୍କେତ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଆସିକା ସମବାୟ ଚିନିଶିଳ୍ପ ଲିଃରେ କାର୍ଯ୍ୟରତ ଥିବା ୧୪୭ ଜଣ ସ୍ଥାୟୀ ଓ ୯୭ ଜଣ ଏନ୍‍ଏମ୍‍ଆର୍‍ ବର୍ଗର କର୍ମଚାରୀଙ୍କୁ ମିଶାଇ ସମୂଦାୟ ୨୪୪ ଜଣ ଭୋଟର ଆଗାମୀ ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା କର୍ମଚାରୀ ସଂଘର ୧୫ଟି କାର୍ଯ୍ୟକାରୀ କମିଟି ସଦସ୍ୟ ପଦବୀ ଲାଗି ନିଜ ନିଜର ମତାଧିକାର ସାବ୍ୟସ୍ତ କରି ମନ ପସନ୍ଦର ନିିର୍ଦ୍ଦେଶକଙ୍କୁ ନିର୍ବାଚିତ କରିବେ ବୋଲି ଜଣାପଡିଛି । ଆସନ୍ତା ୨୫ ତାରିଖ ଦିନ ସକାଳ ୮ ଘଣ୍ଟିକାରୁ ୧୨ ଘଣ୍ଟିକା ପର୍ଯ୍ୟନ୍ତ କୃଷକ ଭବନ ପରିସରରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଅପରାହ୍ନରେ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୫ ତାରିଖରେ ଆସିକା ସମବାୟ ଚିନିଶିଳ୍ପ ଲିଃ କର୍ମଚାରୀ ସଂଘର ୧୫ଟି କାର୍ଯ୍ୟକାରୀ କମିଟି ସଦସ୍ୟ ପଦବୀ ଲାଗି ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ସଂପନ୍ନ କରିବା ଲାଗି ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିଲା ବେଳେ ନିର୍ବାଚନକୁ ସୁପରିଚାଳନା କରିବା ଲାଗି ଅନିଲ୍‍ କୁମାର ଦାଶ, ଜିତେନ୍ଦ୍ର କୁମାର ଜେନା, ରାମପ୍ରସାଦ ଶତପଥୀ ନିୟୋଜିତ ଥିବା ଜଣାପଡିଛି । ଏଆଇଟିୟୁସି ସହବନ୍ଧିତ ଆସିକା ସମବାୟ ଚିନିଶିଳ୍ପ ଲିଃ କର୍ମଚାରୀ ସଂଘର ସ୍ଥାୟୀ ସଭାପତି ରୂପେ ବରିଷ୍ଠ ଶ୍ରମିକ ନେତା ରାମକୃଷ୍ଣ ପଣ୍ଡା ରହିଥିଲା ବେଳେ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିବାକୁ ଥିବା ୧୫ ଜଣ ନିର୍ଦ୍ଦେଶକଙ୍କ ମଧ୍ୟରୁ ଉପସଭାପତି, ସଂପାଦକ, କୋଷାଧ୍ୟକ୍ଷ ସମେତ ଅନ୍ୟାନ୍ୟ ପଦବୀ ଲାଗି କର୍ମକର୍ତ୍ତା ଚୟନ କରାଯିବ ବୋଲି ଜଣାପଡିଛି । ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ୧୫ଟି କାର୍ଯ୍ୟକାରୀ କମିଟି ସଦସ୍ୟ ପଦବୀ ଲାଗି ଆସନ୍ତା ୧୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ବର୍ତ୍ତମାନ ଠାରୁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ଆଶା ବାନ୍ଧି ବସିଥିବା କେତେକ କର୍ମଚାରୀଙ୍କ ମହଲରେ ଉତ୍ସୁକତା ପ୍ରକାଶ ପାଇଥିବା ପରିଲକ୍ଷିତ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ